Officers inquire death situation of Risa Mankidia. Photograph: (sambad.in)
କାଳିଆପାଣି (ରବି ନାରାୟଣ କର): ‘ସମ୍ବାଦ’ରେ ଗତମାସ ୨୫ ତାରିଖ ‘ମିଳିଲାନି ଚାଉଳ, ଆଖି ବୁଜିଲେ ମାଙ୍କିଡ଼ିଆ ରିସା’ ଶୀର୍ଷକ ଖବର ପ୍ରକାଶ ପାଇବାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ବିଧାୟକ ଦଳ ଉପନେତା ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସଙ୍କ ନେତୃତ୍ବରେ ଏକ ୮ ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଦଳ ଗତମାସ ୨୭ ତାରିଖ ମାଙ୍କିଡ଼ିଆ ବସ୍ତି ଆସି ବାସ୍ତବତା ପରଖିଥିଲେ। ଏହାର ଦିନକ ପରେ ଭୁବନେଶ୍ବର କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହାକୁ ଅନାହାର ମୃତ୍ୟୁ ଆଖ୍ୟା ଦେଇଥିଲେ। ଗତ ୧ ତାରିଖରେ ସୁକିନ୍ଦାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶରତ ରାଉତ ଓ ଦେବାଶିଷ ନାୟକଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ଭେଟି ଉଚ୍ଚସ୍ତରୀୟ ତଦନ୍ତ ଓ ପ୍ରଭାବିତ ପରିବାରକୁ ନ୍ୟାୟ ଦାବି କରିଥିଲେ। ସେଦିନ ବିଡିଓ ପ୍ରଜ୍ଞା ପରିମିତା ପୃଷ୍ଟି ଓ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଦିଲ୍ଲୀପ କୁମାର ପାଣିଗ୍ରାହୀ ମୃତ ରିସା ମାଙ୍କିଡ଼ିଆଙ୍କ କୁଡ଼ିଆରେ ପହଞ୍ଚି ବିଭାଗୀୟ ତଦନ୍ତ କରିଥିଲେ। ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି।
ସରଜମିନ ତଦନ୍ତ କଲା ପ୍ରଶାସନ
ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁ ଆଜି ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ୧୦ ନମ୍ବର ୱାର୍ଡ ମାଙ୍କିଡ଼ିଆ ବସ୍ତି ଗସ୍ତରେ ଆସିଥିଲେ। ତାଙ୍କ ସହିତ ଉପଜିଲ୍ଲାପାଳ ତାପସ ରଞ୍ଜନ ଦେହୁରୀ ଓ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ବରେ ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ଦଳ ମୃତ ରିସା ମାଙ୍କିଡ଼ିଆଙ୍କ ଭିଟାମାଟିରେ ପହଞ୍ଚି ବାସ୍ତବତା ପରଖିଥିଲେ। ରିସାଙ୍କ ପଲାମରା ପଲିଥିନ୍ ଢଙ୍କା କୁଡ଼ିଆ ମାଟିରେ ମିଶିଯାଇଥିବା ଦେଖାଯାଇଥିଲା। ରିସାଙ୍କ ପୁତୁରା ବୋହୂ ମେଞ୍ଜାରି ଘରେ ନଥିଲେ। ନିଶାଗ୍ରସ୍ତ ପୁତୁରା ଘୁଟୁର ଆଖପାଖରେ ବୁଲୁଥିଲେ ହେଁ ତାଙ୍କ ଦେଖା ମିଳିନଥିଲା। ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଶ୍ରୀ ସାହୁ ବସ୍ତିର ପୂର୍ବତନ ୱାର୍ଡସଭ୍ୟ ସନିଆ ମାଙ୍କିଡ଼ିଆ ଓ ପଡ଼ୋଶୀ ସାଧୁ ମାଙ୍କିଡ଼ିଆଙ୍କ ଠାରୁ ରିସାଙ୍କ ମୃତ୍ୟୁ, ତାଙ୍କ ମୃତ୍ୟୁ ପୂର୍ବର ସ୍ଥିତି ତାଙ୍କ ରାସନ ଚାଉଳ ଉଠାଣଙ୍କ ସଂପର୍କରେ ପଚାରି ବୁଝିଥିଲେ। ମାଙ୍କିଡ଼ିଆ ବସ୍ତିର ଏକାଧିକ ମହିଳାଙ୍କୁ ଭେଟି ଖାଦ୍ୟ ସୁରକ୍ଷା ଯୋଜନାରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ବଣ୍ଟନ ବ୍ୟବସ୍ଥା ବୁଝିଥିଲେ।
ଆହୁରି ପଢ଼ନ୍ତୁ: Heart Attack: କାଳିଆପାଣିରେ ହୃଦ୍ଘାତ ମୃତ୍ୟୁ ଆତଙ୍କ! ଦିନକରେ ଆଖି ବୁଜିଲେ ୪ ଜଣ
ଆଶ୍ରମ ସ୍କୁଲ ବୁଲିଲେ ଅଧିକାରୀ
ସେଠାରୁ ଅଧ୍ୟକ୍ଷ ଶ୍ରୀ ସାହୁ ଚିଙ୍ଗୁଡ଼ିପାଳ ଅଙ୍ଗନବାଡ଼ି କେନ୍ଦ୍ର ଓ ପାର୍ଶ୍ବସ୍ଥ ଆଶ୍ରମ ସ୍କୁଲ ଗସ୍ତ କରିଥିଲେ। ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କ ଖାଦ୍ୟ ବ୍ୟବସ୍ଥା ଯାଞ୍ଚ୍ କରିଥିଲେ। ଆଶ୍ରମ ସ୍କୁଲର ଅଷ୍ଟମ ଶ୍ରେଣୀକକ୍ଷରେ ପିଲାମାନଙ୍କୁ ପାଠ ପଢ଼ାଇଥିଲେ। ଶିକ୍ଷକ ସୁମନ୍ତ ନାଏକ ଓ ପ୍ରଧାନଶିକ୍ଷକ ଅରବିନ୍ଦ ମିଶ୍ରଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ଠାରୁ ସାପ୍ତାହିକ ଖାଦ୍ୟ ଓ ଭୋଜନ ବ୍ୟବସ୍ଥା ପଚାରି ବୁଝିଥିଲେ। ରୋଷେଇ ଘରେ ପ୍ରସ୍ତୁତ ଅଣ୍ଡାଝୋଳ ତରକାରୀ ଓ ଭାତର ମାନ ପରଖିଥିଲେ। ଛାତ୍ରାବାସର ଏକାଧିକ କୋଠରୀ ଓ ଶୌଚାଳୟ ବୁଲି ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ସହକାରୀ ମୁଖ୍ୟ ଯୋଗାଣ ଅଧିକାରୀ ଦେବକାନ୍ତ ମହାନ୍ତି, ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଦାସ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ସରୋଜିନୀ ଦାସ ଓ ଲିଲି ଗାଗରାଇ, ସିଡିପିଓ ସୁଜାତା ମହାପାତ୍ର, ବ୍ଲକ ଯୋଗାଣ ଅଧିକାରୀ ଶୁଭାଙ୍ଗୀ ରାୟ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶ୍ବେତଲିନା ରଥ, ଡିଇଓ ମାନସ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ: ଅନୁଗୁଳ-ସୁକିନ୍ଦା ରେଳ ପ୍ରକଳ୍ପ ପାଇଁ ୨୫୩୯ କୋଟିର ରିଫାଇନାନ୍ସ ଚୁକ୍ତି
Follow Us