Jajpur Old Man @94: ସାଇଁ ସାଇଁ ସାଇକେଲ ଚଲାଉଛନ୍ତି, ଧାଏଁ ଧାଏଁ ଧାନ କାଟୁଛନ୍ତି... ଫକୀର ମଉସାଙ୍କ ଆଗରେ ହାର ମାନିଯିବେ ଯୁବକ

୯୪ ଗୋଟେ ଏମିତି ସେମିତି ବୟସ ନୁହେଁ ମ । ଆଜିକାଲି ତ ମଣିଷ ୬୦ ବର୍ଷ ଧରିଲା ବେଳକୁ ଆଉ ଚାଲିବୁଲି ପାରୁନି ୮୦ ଛୁଇଁବା ବି କାହା କାହା ପାଇଁ ମୁସ୍କିଲ ହେଲାଣି । ଆଉ ଏପରି ସ୍ଥଳରେ ୯୪ ବର୍ଷରେ ଧାଁ ଦୌଡ କରିବା, ନିଜ ବଳରେ ନିଜେ ବଳିଆନ ହେବା ଆଉ ନିଜ କାମ ନିଜେ କରିବା ଅବାକ ଲାଗୁଥିଲେ ବି ଏହା ସତ

fakira sahu

fakira sahu Photograph: (sambad.in)

କାଳିଆପାଣି (ରବି ନାରାୟଣ କର): ୯୪ ଗୋଟେ ଏମିତି ସେମିତି ବୟସ ନୁହେଁ ମ । ଆଜିକାଲି ତ ମଣିଷ ୬୦ ବର୍ଷ ଧରିଲା ବେଳକୁ ଆଉ ଚାଲିବୁଲି ପାରୁନି ୮୦ ଛୁଇଁବା ବି କାହା କାହା ପାଇଁ ମୁସ୍କିଲ ହେଲାଣି । ଆଉ ଏପରି ସ୍ଥଳରେ ୯୪ ବର୍ଷରେ ଧାଁ ଦୌଡ କରିବା । ନିଜ ବଳରେ ନିଜେ ବଳିଆନ ହେବା ଆଉ ନିଜ କାମ ନିଜେ କରିବା ଅବାକ ଲାଗୁଥିଲେ ବି ଏହା ସତ । ୯୪ ବର୍ଷର ବୃଦ୍ଧ ଟୋକାଙ୍କ ପରି ସାଇଁ ସାଇଁ ସାଇକେଲ ଚଲାଉଛନ୍ତି, ଧାନ ବିଲରେ ଧାଏଁ ଧାଏଁ ଧାନ କାଟୁଛନ୍ତି ଫକୀର ମଉସା ।

jajpur old man
jajpur old man Photograph: (sambad.in)

ସାଇକେଲରେ ଯାଇଥିଲେ ଯାଜପୁରରୁ ଯୋରନ୍ଦା

ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ସୀମାନ୍ତ ଉଚ୍ଚବାଲି ପଞ୍ଚାୟତ ଗୌଡ଼ବାହାଳି ଗାଁର ସାଧାରଣ ଚାଷୀ ଫକୀର ସାହୁ ଜଣେ ଅସାଧାରଣ ବ୍ୟକ୍ତିତ୍ବ । ତାଙ୍କ ଦୈନନ୍ଦିନ ନିଆରା କାର୍ଯ୍ୟଶୈଳୀକୁ ନେଇ ଅଞ୍ଚଳରେ ଚର୍ଚ୍ଚା । ୯୪ ବର୍ଷ ବୟସରେ ନିଜକୁ ଫିଟ୍‌ ଏଣ୍ଡ୍‌ ଫାଇନ୍‌ ରଖିପାରିଥିବା ଶ୍ରୀ ସାହୁଙ୍କ ସାଇକଲ ଚଢ଼ା ଆଗରେ ଟୋକାଏ ବି ହାର୍‌ ମାନିବେ ବୋଲି କହନ୍ତି ସେହି ଗାଁର ଅଧ୍ୟାପକ ଅଜୟ କୁମାର ସାହୁ। ମହିମା ଧର୍ମରେ ଦୀକ୍ଷିତ ଶ୍ରୀ ସାହୁ ପ୍ରତିବର୍ଷ ମାଘପୂର୍ଣ୍ଣମୀରେ ସାଇକଲ୍‌ରେ ଗାଁରୁ ୭୦ କିଲୋମିଟର ଦୂର ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମାଗାଦି ଯାଇ ସେହିଦିନ ସଂଧ୍ୟା ସୁଦ୍ଧା ଅନାୟାସରେ ଗାଁକୁ ଫେରିଆସିପାରୁଛନ୍ତି ।

ପରିଣତ ବୟସରେ ଫକୀର ସଂକୀର୍ତ୍ତନ, ସତ୍‌ସଙ୍ଗ, ଆଧ୍ୟାତ୍ମିକ ଆଲୋଚନା ଓ ପ୍ରଭୁନାମ ଜପିବାରେ ଆନନ୍ଦ ପାଉଥିବା କହନ୍ତି। ପୂର୍ବରୁ ସେ ଭଲ ମୃଦଙ୍ଗ ବଜାଉଥିଲେ। ଏବେ ହାତ ଥରୁଥିବାରୁ ତାଳମାନରେ ସାମାନ୍ୟ ବ୍ୟତିକ୍ରମ ଆଶଂକାରେ ସଂକୀର୍ତ୍ତନ ଦଳରେ ସେ ଝାଞ୍ଜ ଓ ଗିନି ବଜାଉଛନ୍ତି। ୧୦ ବର୍ଷ ତଳେ ପତ୍ନୀ ହାରାମଣିଙ୍କ ମୃତ୍ୟୁ ପ‌ରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ହେଁ କିଛିମାସ ମଧ୍ୟରେ ପରିସ୍ଥିତି ସହ ଖାପଖୁଆଇ ବାସ୍ତବତାକୁ ନେଇ ଜୀବନଚର୍ଯ୍ୟା ଜାରି ରଖିଛନ୍ତି। ଅଧିକାଂଶ ସମୟ କାମଦାମ‌ରେ ବ୍ୟସ୍ତ ରହୁଥିବା ଶ୍ରୀ ସାହୁଙ୍କର ରାଜମିସ୍ତ୍ରି ଓ ବଢ଼େଇ କାମରେ ଦକ୍ଷତା ରହହିଛି। ନିଜସ୍ବ ଶ୍ରମଦାନରେ ସେ କୋଠାଘର ନିର୍ମାଣ କରିପାରିଛନ୍ତି। ପୋଷ୍ୟପୁତ୍ର(ଭଣଜା) ପରିବାର ସହିତ ସେ ଏହି ଘରେ ରହନ୍ତି।

fakeer mausa
fakeer mausa Photograph: (sambad.in)

ଫକୀରଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା 

ରାତି ସାଢ଼େ ୯ଟା ସୁଦ୍ଧା ଶୋଇ ପଡ଼ୁଥିବା ଶ୍ରୀ ସାହୁ ପ୍ରତ୍ୟୁଷ ୪ଟାରୁ ଶଯ୍ୟାତ୍ୟାଗ ଓ ନିତ୍ୟକର୍ମ ସାରି ସାମାନ୍ୟ ବିଲବାଡ଼ି କାମ ପରେ ଅଧଘଣ୍ଟା ଧରି ଗୋସେବା କରିଥାନ୍ତି । ମହିମା ଅଲେଖ ଗୋସାଇଁଙ୍କୁ ଯୋଗାଭ୍ୟାସ ମାଧ୍ୟମରେ ପ୍ରଣାମ କରିଥାନ୍ତି। ସକାଳ ୬ଟା ସୁଦ୍ଧା ସ୍ନାନ ପରେ ସେ ଗାଈ ଦୁହିଁଥାନ୍ତି। ଖାଲି ପେଟରେ ଗୁହାଳରେ ଗରମ ଥିବା ସେହି ସଦ୍ୟଦୁହାଁ କଞ୍ଚାକ୍ଷୀରକୁ ସେ ପିଇଥାନ୍ତି। ବିଲବାଡ଼ିରେ କାମ ପରେ ପ୍ରାତଃ ଭୋଜନ ଓ ମଧ୍ୟାହ୍ନ ଭୋଜନରେ ସେ ପଖାଳ ଭାତ ଖାଇଥାନ୍ତି। ସଂଧ୍ୟାରେ ଭାଗବତ ଶୁଣିବା ଓ ପୁରାଣ ପାଠ ଶୁଣିବାରେ ତାଙ୍କ ଆଗ୍ରହ। 

ଆହୁରି ପଢନ୍ତୁ- Rohini Acharya: ଲୋକଙ୍କର ରକ୍ତ ଦେବାର କ୍ଷମତା ନାହିଁ ଜଣେ ବିବାହିତ ଝିଅ ଉପରେ କିପରି ଆଙ୍ଗୁଳି ଉଠାଇ ପାରୁଛନ୍ତି: ରୋହିଣୀ

ଏବେ ବି ସେ ନିଜର ୪ ଏକର ଜମିରେ ଖରିଫ୍‌ ଧାନଚାଷ, ରବି ଫସଲ ଓ ଆନୁଷଙ୍ଗିକ କୃଷିକାର୍ଯ୍ୟ କରିପାରୁଛନ୍ତି। ଗୁହାଳର ଗାଈଗୋରୁ ପାଇଁ ନିଜେ ଘାସ କାଟି ଏହାକୁ ବିଡ଼ାବାନ୍ଧି ଘରକୁ ଆଣିଥାନ୍ତି। କେବେ ବି ସେ ଚା’ ପିଅନ୍ତିନି କିମ୍ବା ରୁଟି କିମ୍ବା ଆମିଷ ଖାଇବାକୁ ପସନ୍ଦ କରନ୍ତିନି। ରାତିରେ ଗରମ ଭାତ ସହ ଡାଲି ତରକାରୀ ଖାଇଥାନ୍ତି। ମାଦକ ଦ୍ରବ୍ୟର ସେ ଘୋର ବିରୋଧୀ। ପଞ୍ଚାୟତର ଏକମାତ୍ର ଅତି ବରିଷ୍ଠ ନାଗରିକ ଭାବେ ସେ ମାସିକ ୩୫୦୦ ଟଙ୍କା ଭତ୍ତା ପାଉଛନ୍ତି। ସବୁବେଳେ ଚଳଚଞ୍ଚଳ ଓ ହସଖୁସ ମିଜାଜ୍‌ର ନିଆରା ବ୍ୟକ୍ତିତ୍ବ ଫକୀର ସାହୁ ଆମ ଗାଁ ଓ ଅଞ୍ଚଳ ପାଇଁ ଗୌରବ ବୋଲି ଅଧ୍ୟାପକ ଶ୍ରୀ ସାହୁ କହନ୍ତି।  

ଆହୁରି ପଢନ୍ତୁ- PK On Bihar Election Result: “ଫଳାଫଳ ପରଠାରୁ ନିଦ ନାହିଁ, ପୁଣି ଚେଷ୍ଟା କରିବୁ”: ପ୍ରଶାନ୍ତ କିଶୋର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe