Jajpur collector review DMF fund in Kaliapani of Jajpur on Wednesday. Photograph: (sambad.in)
କାଳିଆପାଣି(ରବି ନାରାୟଣ କର): ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଆଜି ଖଣିଅଞ୍ଚଳ ଗସ୍ତରେ ଆସି ଖଣିଜ ପ୍ରତିଷ୍ଠାନ(ଡିଏମ୍ଏଫ୍) ପାଣ୍ଠି ଅନୁଦାନରେ ନିର୍ମାଣାଧୀନ, ନବନିର୍ମିତ ଓ ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପର ଉନ୍ନୟନ ସମୀକ୍ଷା କରିଛନ୍ତି। କାଳିଆପାଣି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍ସି), ଚିଙ୍ଗୁଡ଼ିପାଳ ଆଶ୍ରମ ସ୍କୁଲ, ଦେଓଗାଁ ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲ ଓ ଏହା ସଂଲଗ୍ନ ୨ ଶହ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରାବାସ ବୁଲି ସ୍ବାସ୍ଥ୍ୟ, ଶିକ୍ଷା ଓ ପରିବେଶକୁ ନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ(ଏଡିଏମ୍) ସପନ କୁମାର ନନ୍ଦ, ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ବିଡିଓ ପ୍ରଜ୍ଞା ପରମିତା ପୃଷ୍ଟି, ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡାକ୍ତର ଜୟଦେବ ନନ୍ଦ, ଜିଲ୍ଲା ଶିକ୍ଷା ଅଧିକାରୀ ମହେଶ୍ବର ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରା, ସରକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଲମ୍ବୋଦର ଖୁଣ୍ଟିଆ, ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ଦାସ ଓ ଓଡ଼ିଶା ଖଣି ନିଗମ(ଓଏମ୍ସି) ଆଞ୍ଚଳିକ ପ୍ରବନ୍ଧକ ଇଂ ଅବନୀକାନ୍ତ ପ୍ରଧାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।
ଭୂତକୋଠି ପାଲଟିଛି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର
କାଳିଆପାଣି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍ସି)ର ଅଧିକାଂଶ କୋଠାବାଡ଼ି ଏବେ ଭୂତକୋଠି ପାଲଟିଥିବା ଦେଖି ଜିଲ୍ଲାପାଳ ଚିନ୍ତା ପ୍ରକଟ କରିଥିଲେ। ପୂର୍ବ ମାଲିକ ଟାଟାଷ୍ଟିଲ ଦ୍ବାରା ତୁରନ୍ତ ଏହି କୋଠାବାଡ଼ି ଓ ପରିସର ଏବଂ ସଡ଼କ ଓ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁଗମ ଓ ବ୍ୟବହାର ଉପଯୋଗୀ କରାଇ ସ୍ବାସ୍ଥ୍ୟ ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍ଓ)ଙ୍କୁ ହସ୍ତାନ୍ତର ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ମେ ମାସ ୧୨ ତାରିଖରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପିଏଚ୍ସି ଗସ୍ତରେ ଆସି ନେଇଥିବା ନିଷ୍ପତ୍ତି ମା’ଗୃହ, ପୁଷ୍ଟି ସାଧନ କେନ୍ଦ୍ର(ଏନ୍ଆର୍ସି), କିଡ୍ନି ରୋଗ ଚିକିତ୍ସା ବ୍ୟବସ୍ଥା ଓ ଜାତୀୟ ସ୍ବାସ୍ଥ୍ୟ ମିସନ(ଏନ୍ଏଚ୍ଏମ୍) ପିପିପି ମୋଡ୍ରେ ବିଭିନ୍ନ ସେବା ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ।
ଆହୁରି ପଢ଼ନ୍ତୁ: Drone from pakistan:ପାକିସ୍ତାନରୁ ପଞ୍ଜାବକୁ ଡ୍ରୋନ୍ ଦ୍ବାରା ଅସ୍ତ୍ରଶସ୍ତ୍ର
ନଗଡ଼ାରୁ ଚିଙ୍ଗୁଡ଼ିପାଳ ଗଡ଼ିବ ବସ୍
ଚିଙ୍ଗୁଡ଼ିପାଳ ଆଶ୍ରମସ୍କୁଲ ଓ ଛାତ୍ରାବାସ ଏବଂ ଦେଓଗାଁ ଉପ୍ରା ସ୍କୁଲ ପରିସର ଓ ନିର୍ମାଣାଧୀନ କୋଠାବାଡ଼ି ବୁଲି ଦେଖିଥିଲେ। ପ୍ରତ୍ୟକ୍ଷ ଖଣି ପ୍ରଭାବିତ ୭ ପଞ୍ଚାୟତରେ ଡ୍ରପ୍ ଆଉଟ୍ ସମସ୍ୟାର ସ୍ଥାୟୀ ସମାଧାନ ପରାମର୍ଶ ଦେଇଥିଲେ। ଦେଓଗାଁର ୨ ଶହ ଶଯ୍ୟା ଛାତ୍ରାବାସ ପ୍ରକଳ୍ପ ବୁଲି ଉନ୍ନୟନ ସମୀକ୍ଷା କରିଥିଲେ। ଆସନ୍ତା ୫ ତାରିଖ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରାଇବାକୁ ସେ ପୂର୍ତ୍ତବିଭାଗ ଯନ୍ତ୍ରୀ ଇଂ ଦିଲ୍ଲୀପ କୁମାର ନାୟକ ଓ ମଧୁସୂଦନ ଦାସଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେଦିନ ନଗଡ଼ାରୁ ଚିଙ୍ଗୁଡ଼ିପାଳ ସୌରିକ ହାଇସ୍କୁଲକୁ ସ୍କୁଲ ବସ୍ ଚଳାଚଳର ଶୁଭାରମ୍ଭ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ କର ପ୍ରତିଶ୍ରୁତି ଦେଇଥିଲେ। ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି, ଚିଙ୍ଗୁଡ଼ିପାଳ ସରପଞ୍ଚ ଅଞ୍ଜଳି ଦେହୁରୀ, ରାଁସୋଳ ସରପଞ୍ଚ କନକଲତା ସର୍ଦ୍ଦାର, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଭଗବତୀ ମହାନ୍ତ, ଶ୍ରମିକନେତା ଅମଳେନ୍ଦୁ ବେହୁରା ଓ ବିଦ୍ୟାଧର ପାତ୍ର, ଦିବ୍ୟାଙ୍ଗ ଓ ଶିଶୁ ଅଧିକାରୀ କର୍ମୀ ମଣ୍ଟୁ ଦାସ, ବିଭିନ୍ନ ଗ୍ରାମବାସୀ ଓ ଅଭିଭାବକଙ୍କ ଅଭିଯୋଗ ଶୁଣିଥିଲେ।
ଆହୁରି ପଢ଼ନ୍ତୁ: Police SI Exam Scam: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ପୁଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ମାମଲାର ତଦନ୍ତ କରିବ ସିବିଆଇ
ଏକାଧିକ ଅଧିକାରୀଙ୍କ ଗସ୍ତ
ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଆଶିଷ କୁମାର ବିଶ୍ବାଳ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମାଙ୍ଗଳିକା ରାଉତରାୟ, ଡିଏମ୍ଏଫ୍ ଶିକ୍ଷା ବିଭାଗ ବିଶେଷଜ୍ଞ ଖ୍ରିଷ୍ଟୋଫର ଦୀପ, ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସସ୍ମିତା ଦାସ, ଚିକିତ୍ସାଧିକାରୀ ଡାକ୍ତର ଶୁଭାଶିଷ ଜେନା ଓ ଡାକ୍ତର ପ୍ରଦୀପ କୁମାର ରାଉତରାୟ, ଜନସ୍ବାସ୍ଥ୍ୟ ଅଧିକାରୀ ରଶ୍ମିପ୍ରଭା ଖଟୁଆ, ବ୍ଲକ ଯୋଗାଣ ଅଧିକାରୀ ଶୁଭାଙ୍ଗୀ ରାୟ, ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶ୍ବେତଲିନା ରଥ ସମୀକ୍ଷାରେ ସହଯୋଗ କରିଥିଲେ।
Follow Us