ଯାଜପୁର (ମନୋଜ ରାଉଳ): ଯାଜପୁର ଜିଲ୍ଲା ଜଜ୍ କୋର୍ଟକୁ ଆଜି ଏକ ସନ୍ଦିଗ୍ଧ ଇ-ମେଲ ଆଇଡିରୁ ବୋମା ଧମକ ଆସିଛି। ଉକ୍ତ ମେଲରେ ଯାଜପୁର ଜିଲ୍ଲା ଅଦାଲତର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ୩ଟି ଆର୍ଡିଏକ୍ସ ଲଗାଯାଇଛି। ଖୁବଶୀଘ୍ର ସେଗୁଡ଼ିକ ବିସ୍ଫୋରଣ ହେବ। ତେଣୁ କୋର୍ଟ ଛାଡ଼ି ସମସ୍ତେ ଚାଲିଯିବାକୁ ଉକ୍ତ ମେଲ୍ରେ ଚେତାବନୀ ଦିଆଯାଇଥିବା ଜଣାପଡ଼ିଛି। ମଧ୍ୟାହ୍ନ ପାଖାପାଖି ୧୨ଟା ବେଳେ ଏହି ମେଲ ପାଇବା ପରେ କୋର୍ଟ ପରିସରରେ ଆତଙ୍କ ଖେଳିଯାଇଥିଲା। ଅପ୍ରସ୍ତୁତ ଭାବେ ଯିଏ ଯୁଆଡ଼େ ଦୌଡ଼ିବା ଆରମ୍ଭ କରିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ଯାଜପୁର ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ଟାଉନ ଥାନା ପୁଲିସ ଏକ ବମ୍ ସ୍କ୍ବାଡ୍, ଅଗ୍ନିଶମ ବାହିନୀର ଏକ ଟିମ୍ ଓ ସନ୍ଧାନୀ କୁକୁର ଧରି ସେଠାରେ ପହଞ୍ଚିଥିଲେ। ତୁରନ୍ତ କୋର୍ଟ ପରିସର ଖାଲି କରିବାକୁ ସମସ୍ତଙ୍କୁ କୁହାଯାଇଥିଲା। ତେବେ କିଏ କାହିଁକି ଏହି ଧମକ ଦେଇଛି, ତାର ତଦନ୍ତ ଆରମ୍ଭ ହୋଇଛି। ଏହା ଏକ ଗୁଜବ ବୋଲି କୁହାଯାଉଥିଲେ ମଧ୍ୟ ଅପରାହ୍ଣ ୪ଟା ପର୍ଯ୍ୟନ୍ତ କୋର୍ଟ ପରିସରରେ ପୁଲିସ ମୁତୟନ ରହିଥିବା ଦେଖାଯାଇଛି। ବୋମା ଧମକ ପରେ କୋର୍ଟ ପରିସରରେ ଭୟର ବାତାବରଣ ଦେଖା ଦେଇଛି। କିଛିଦିନ ପୂର୍ବରୁ କଟକ ସ୍ଥିତ ହାଇକୋର୍ଟ ସମେତ ରାଜ୍ୟର ଏକାଧିକ କୋର୍ଟକୁ ଏପରି ବୋମା ଧମକ ଆସିଥିବା ବେଳେ ଆଜି ମଧ୍ୟ ପୁଣିଥରେ କଟକ, ପୁରୀ, ଫୁଲବାଣୀ ଓ ଯାଜପୁର ଜିଲ୍ଲା ଅଦାଲତଙ୍କୁ ଏହି ଇ-ମେଲ ଆସିଛି।
ଆହୁରି ପଢ଼ନ୍ତୁ: Cricket: ଅନେକ ରେକର୍ଡର ଅଧିକାରୀ ହେଲେ ବୈଭବ ସୂର୍ଯ୍ୟବଂଶୀ
ଏନେଇ ଆଇନଜୀବୀ ରାଜୀବ ମହାନ୍ତି କହିଛନ୍ତି ଯେ, ଏଭଳି ଆତଙ୍କିତ ଖବର ଆସିବା ପରେ ନିଶ୍ଚିତ ଭାବେ କୋର୍ଟ ଓ ଯାଜପୁର ସହରବାସୀଙ୍କ ମନରେ ଆତଙ୍କ ଖେଳିଯାଇଛି। ଏହା ଏକ ଗୁଜବ ହୋଇପାରେ। କିିନ୍ତୁ ହାଲୁକା ଭାବେ ଗ୍ରହଣ କରିବା ମଧ୍ୟ ଠିକ୍ ନୁହେଁ। ବାରମ୍ବାର ରାଜ୍ୟର ବିଭିନ୍ନ ଅଦାଲତକୁ ଏପରି ଖବର ଆସୁଥିବାରୁ ବିଚାର ବିଭାଗ କାର୍ଯ୍ୟଗୁଡ଼ିକ ପ୍ରଭାବିତ ହେଉଛି। ଜନସାଧାରଣ ନାହିଁନଥିବା ହଇରାଣ ହେଉଛନ୍ତି। ପୁଲିସ ତଥା ତଦନ୍ତକାରୀ ଦଳ ଏପରି ସମ୍ବେଦନଶୀଳ ଘଟଣାକୁ ଗୁରୁତ୍ବର ସହିିତ ନେବାସହ ଏଥିରେ ସାମିଲ ଥିବା ଗ୍ୟାଙ୍ଗ୍ ବିରୋଧରେ ଦୃଢ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
Follow Us