କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର କାଳିଆପାଣି ଥାନା ଚିଙ୍ଗୁଡ଼ିପାଳ ପଞ୍ଚାୟତ ନଗଡ଼ା ପାହାଡ଼ ତଳ ଅଶୋକଝର ଜୁଆଙ୍ଗ ବସ୍ତିର ସନାତନ ପ୍ରଧାନଙ୍କ ପୁଅ ସାନୁଜ ପ୍ରଧାନଙ୍କର କଟକ ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଅଭିଯୋଗ ହୋଇଛି। ଗତକାଲି ସକାଳ ସାନୁଜ ଭୁଲ ବଶତଃ ଘରେ ରଖାଯାଇଥିବା ଚଢ଼େଇ ମରା ଔଷଧ ଖାଇ ଦେଇଥିଲେ। ସମସ୍ତଙ୍କ ଅଗୋଚରରେ ସେ ଘର ପାଖ ନିଛାଟିଆ ସ୍ଥାନରେ ପଡ଼ି ରହିଥିଲେ। ପତ୍ନୀ ସୋନାତି ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଠାବ କରିଥିଲେ। ଖବରପାଇ ଗାଁରେ ଓମ୍ବାଡ୍ସି ଆମ୍ବୁଲାନ୍ସ ପହଞ୍ଚିଲା ବେଳକୁ ସଞ୍ଜ ହୋଇଯାଇଥିଲା। ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ରାତିରେ ସଂଜ୍ଞାହୀନ ଅବସ୍ଥାରେ ସାନୁଜଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା।
ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଆଜି ସକାଳ କଟକ ପଠାଯାଇଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ସେଠାରେ କୋଳରେ ଶିଶୁପୁତ୍ରକୁ ଧରି ପତ୍ନୀ ଅସହାୟ ଓ ଭୋକ ଉପାସରେ ମୁକପ୍ରାୟ ହୋଇଯାଇଥିବା ଅଭିଯୋଗ ହୁଏ। କପର୍ଦ୍ଦକ ଶୂନ୍ୟ ଏହି ଗରିବ ନିରକ୍ଷର ମହିଳା ସ୍ବାମୀଙ୍କ ଶବ ଧରି ଗାଁ ଫେରିବାକୁ ସେ ବାଟ ପାଉନଥିବା କହି ବାହୁନି କାନ୍ଦୁଛନ୍ତି। ଶବାଗାର ସମ୍ମୁଖ ରାସ୍ତାକଡ଼ରେ ଶିଶୁପୁତ୍ରକୁ ଧରି ସହାୟତା ଆଶାରେ ପତ୍ନୀ ସୋନାତିଙ୍କ ବୁକୁଫଟା କାନ୍ଦ ସାଧାରଣରେ ଆଲୋଡ଼ନର କାରଣ ହୋଇଛି।
ଆହୁରି ପଢ଼ନ୍ତୁ: India vs South Africa T20 WC: ଭାରତ ଆଗରେ ୧୮୮ ରନ୍ର ବିଜୟ ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା
ଏ ସଂପର୍କରେ କାଳିଆପାଣି ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କୁ ଯୋଗାଯୋଗ କରିବାରେ ଏ ସଂପର୍କିତ ସୂଚନା ତାଙ୍କ ପାଖେ ନଥିବା କହନ୍ତି। ତଥାପି ଦୁଃଖରେ ଏହି ଗରିବ ଜନଜାତି ମହିଳାଙ୍କୁ ଆନୁଷଙ୍ଗିକ ସହାୟତା ଦିଗରେ ଉଦ୍ୟମ କରାଯିବ ବୋଲି କହିଥିଲେ।
Follow Us