କାଳିଆପାଣି (ରବି ନାରାୟଣ କର): ଭିକ ମାଗି ଚଳୁଥିବା ମାଙ୍କିଡ଼ିଆ ବୃଦ୍ଧ ରିସା ମାଙ୍କିଡ଼ିଆଙ୍କ ପାଇଁ ରାସନ ଚାଉଳ ଗଣ୍ଡାକ ଏକମାତ୍ର ଭରସା ଥିଲା। ଗତ ଜୁନ ଓ ଅଗଷ୍ଟମାସରେ ୨ ଥର ସେ ଡିଲର ପାଖକୁ ଯାଇଥିଲେ। ତୁମ ନାଁରେ ଚାଉଳ ଆସିନାହିଁ କହି ଡିଲର ଫେରାଇ ଦେଲା। ପ୍ରଶାସନର ପ୍ରତିଶ୍ରୁତି ମିଛ ବୋଲି ଜାଣିବା ପରେ ଏହି ଅସହାୟ ବୃଦ୍ଧ ଦୁଃଖ‌ରେ ଭାଙ୍ଗି ପଡ଼ିଥିଲେ। ଏହାକୁ ଝୁରିଝୁରି ଗତକାଲି ମରିଗଲେ ବୋଲି କହନ୍ତି ତାଙ୍କ ପଡ଼ୋଶୀ ପୂର୍ବତନ ୱାର୍ଡସଭ୍ୟ ଦମ୍ପତି ମାର୍ଥା ଓ ସନିଆଁ ମାଙ୍କିଡ଼ିଆ।

Advertisment

ପର ହାତଟେକା ଖାଦ୍ୟରେ ବଞ୍ଚି ଥିଲେ ବୃଦ୍ଧ

ଡିଲର ପାଖରୁ ଖାଲି ହାତରେ ଫେରିବା ପରେ ଅଧିକାଂଶ ସମୟ ଗୁମ୍‌ସୁମ୍‌ ରହୁଥିଲେ। ସଂପର୍କୀୟ ମିଞ୍ଜାରି ମାଙ୍କିଡ଼ିଆ ଓ ପଡ଼ୋଶୀଙ୍କ ହାତଟେକା ଖାଦ୍ୟରେ ବଞ୍ଚି ରହିଥିଲେ ହେଁ ରିସା ଅବସାଦରେ ରହୁଥିଲେ। ମାସେଧରି ଅଜଣା ରୋଗରେ ନିଜ ଭଙ୍ଗାଦଦରା କୁଡ଼ିଆରେ ପଡ଼ିଥିବା ଛିଣ୍ଡା କତରାରୁ ଉଠୁନଥିଲେ। ଛିଣ୍ଡା ଜରିପାଲ ଓ ଭଙ୍ଗା କାନ୍ଥ ଥାଇ ସନ୍ତସନ୍ତିଆ ଭୂଇଁରେ ଥଣ୍ଡା ଜରରେ କମ୍ପୁଥିଲେ। ଗତକାଲି ମୃତ୍ୟୁ ପରେ ଗ୍ରାମବାସୀଙ୍କ ସହାୟତାରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି।

ଆହୁରି ପଢ଼ନ୍ତୁ: No Reels in Train Tracks: ଟ୍ରେନ୍ ଟ୍ରାକ୍ ନୁହେଁ ରିଲ୍ସର ପ୍ଲାଟଫର୍ମ… ସେଲ୍‌ଫି କି ଭିଡ଼ିଓ କରୁଥିଲେ ସାବଧାନ ! ଗଣିବାକୁ ପଡ଼ିବ ତଣ୍ଡ, ଯିବାକୁ ବି ପଡିପାରେ ଜେଲ

ଭିକ ମାଗିଲେ ୭ ବର୍ଷ

ସୁକିନ୍ଦା ବ୍ଲକ ରାଁସୋଳ ପଞ୍ଚାୟତ ୧୦ ନମ୍ବର ୱାର୍ଡ ମହ୍ଲାରସାହି ମାଙ୍କିଡ଼ିଆ ବସ୍ତିର ବୃଦ୍ଧ ରିସା ୭ ବର୍ଷ ଧରି ଭିକ ମାଗୁଥିଲେ। ଦୁର୍ଭାଗ୍ୟଜନକ ଭାବେ ସମସ୍ତ ସରକାରୀ ଯୋଜନାରୁ ବାଦ୍‌ ପଡ଼ିଥିବା ବିଲୁପ୍ତ ମାଙ୍କିଡ଼ିଆ ଜନଜାତି ସମ୍ପ୍ରଦାୟର ଏହି ବୃଦ୍ଧଙ୍କ ପାଖେ ମାନବାଧିକାର ଆଇନ ହାଟ ହୁଡ଼ିଥିବା ସାଧାରଣରେ ଅଭିଯୋଗ ହୁଏ। ଖୋଲାମେଲା ନିଚ୍ଚା କୁଡ଼ିଆର ସନ୍ତସନ୍ତିଆ ଅସ୍ବାସ୍ଥ୍ୟକର ପରିବେଶରେ ରୋଗଶଯ୍ୟାରେ ପଡ଼ି ରହିଥିଲେ ହେଁ ଜୀବଦଶାରେ ତାଙ୍କୁ ସ୍ବାସ୍ଥ୍ୟ ସହାୟତା ମିଳିନଥିବା ଅଭିଯୋଗ ହୁଏ। ୧୧ ବର୍ଷ ତଳୁ ପତ୍ନୀ ଗୁରୁବାରୀଙ୍କ ମୃତ୍ୟୁ ପରେ ରିସା ନିଃସଙ୍ଗ ଥିଲେ। ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ମୌଳିକ ଅଧିକାରରୁ ବଞ୍ଚିତ ଥିଲେ। ଆଦିମ ଜନଜାତି ବର୍ଗର ଏହି ବରିଷ୍ଠ ନାଗରିକ ଖାଦ୍ୟ ସୁରକ୍ଷା ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ଜଙ୍ଗଲ ଜମି ଅଧିକାର ଆଇନ, ବସୁନ୍ଧରା ଯୋଜନା, ପ୍ରଧ‌ାନମନ୍ତ୍ରୀ ଆବାସ ଯୋଜନା ଓ ସାମାଜିକ ନିରାପତ୍ତା ଯୋଜନାରୁ ଦୂରେଇ ରହିଥିଲେ। 

ଆହୁରି ପଢ଼ନ୍ତୁ: ACF Death Case: ଏଏସିଏଫ୍ ମୌମ୍ୟରଂଜନ ମୃତ୍ୟୁ ମାମଲା: ତତ୍କାଳୀନ ଡିଏଫ୍‌ଓଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ

ପ୍ରଶାସନର ଅବହେଳା!

ତାଙ୍କ ସମସ୍ୟାକୁ ନେଇ ‘ସମ୍ବାଦ’ରେ ଗତବର୍ଷ ଜୁଲାଇ ମାସରେ ‘ଛିଣ୍ଡା ପାଲ ତଳେ ନିଃସଙ୍ଗ ଜୀବନ ବିତାଉଛନ୍ତି ବୃଦ୍ଧ, ବାଟ ହୁଡ଼ିଛି ସରକାରୀ ଯୋଜନା’ ଶୀର୍ଷକ ଖବର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ତୁରନ୍ତ ସହାୟତା ନିର୍ଦ୍ଦେଶ ଦେଇଥିଲା। ତତ୍କାଳୀନ ବିଡିଓ ଅଭିଷେକ ସ୍ବାଇଁ ଓ ଯୋଗାଣ ଅଧିକାରୀ ଦେବାଶିଷ କର ରିସାଙ୍କ କୁଡ଼ିଆକୁ ଆସି ୧ କ୍ବିଣ୍ଟାଲ ୫ କିଲୋ ଚାଉଳ ଓ ତାଙ୍କ ନାଁରେ ଥିବା ଅନ୍ତ୍ୟୋଦୟ କାର୍ଡ ନମ୍ବର-୧୩୧୦୨୧୧୧୫୯୯ ଦେଇଥିଲେ। ଗତ ୨୦୨୩ ମସିହା ସେପ୍ଟେମ୍ବର ୨୭ ତାରିଖରେ ଭିକମାଗି ବଞ୍ଚୁଥିବା ଏହି ବସ୍ତିର ଅନ୍ୟଜଣେ ନିଃସଙ୍ଗ ବୃଦ୍ଧ ସୁରେନ୍ଦ୍ର ମାଙ୍କିଡ଼ିଆଙ୍କର ମୃତ୍ୟୁ ହୋଇଥିଲା। ଏ ସଂପର୍କରେ ସରପଞ୍ଚ କମକଲତା ସର୍ଦ୍ଦାରଙ୍କୁ ପଚାରିବାରେ ରିସାଙ୍କ ନାଁରେ କୌଣସି ଡକୁମେଣ୍ଟ୍‌ ନଥିବାରୁ ରାସନ କଟି ଯାଇଥିବ କହିଥିଲେ।