କାଳିଆପାଣି (ରବି ନାରାୟଣ କର): ଚାଣକ୍ୟଙ୍କ ନୀତିବାଣୀ ‘ଉତ୍ସବେ ବ୍ୟସନେ ‌ଚୈବ, ଦୁର୍ଭିକ୍ଷେ ରାଷ୍ଟ୍ର ବିପ୍ଳବେ, ରାଜଦ୍ବାରେ ଶ୍ମଶାନେ ଚ, ଯଃ ତିଷ୍ଠତି ସଃ ବାନ୍ଧବାଃ’କୁ ୫ ଦଶନ୍ଧିରୁ ଅଧିକ ଦିନ ଧରି ଅକ୍ଷରେ ଅକ୍ଷରେ ପାଳନ କରିଆସୁଛନ୍ତି ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ ଚିଙ୍ଗୁଡ଼ିପାଳ ପଞ୍ଚାୟତ ବେଣାଗାଡ଼ିଆ ଗାଁର ଦଳିତବସ୍ତି ନାଏକସାହିର ଗ୍ରାମବାସୀ। ମୃତ ବ୍ୟକ୍ତିଙ୍କ କୋକେଇ ସଜଡ଼ା, ଶବ ଶୋଭାଯାତ୍ର ଓ ଶ୍ମଶାନରେ ଶବ ସଂସ୍କାର ଠାରୁ ଆରମ୍ଭକରି ଏକାଦଶାହ ଶୁଦ୍ଧିକ୍ରିୟା ପର୍ଯ୍ୟନ୍ତ ସମସ୍ତ ସାମାଜିକ ରୀତିନୀତି ଓ ଖର୍ଚ୍ଚ ପାଇଁ ବସ୍ତିର ୨୨ଟି ଯାକ ପରିବାର ସହାୟତା ଓ ସହଯୋଗର ହାତ ବଢ଼ାଇ ଆସିଛନ୍ତି। ପୂର୍ବରୁ ଶହେ ଟଙ୍କାରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଏବେ ୫ଶହ ଗୁଣା ହୋଇଛି। ଦରବୃଦ୍ଧିକୁ ଦେଖି ଏବେ ପ୍ରତ୍ୟେକ ପରିବାର ପ୍ରତି ୫ ହଜାର ଟଙ୍କା ଲେଖାଏଁ ଧାର୍ଯ୍ୟ କରାଯାଇଛି। ୩ ବର୍ଷ ତଳେ ମୁଖିଆ ଗତିଆ ନାଏକ, ଯୁବ ପ୍ରତିନିଧି ମାନସ ନାଏକ ଓ ମହିଳା ପ୍ରତିନିଧି ପେଣ୍ଡୁ ନାଏକଙ୍କ ଉପସ୍ଥିତିରେ ଗ୍ରାମସଭାରେ ଗୃହୀତ ଏହି ନିଷ୍ପତ୍ତିକୁ ସମସ୍ତେ ବିନା ଦ୍ବିଧାରେ ଗ୍ରହଣ କରିଆସିଛନ୍ତି।

Advertisment

୫ ଶହ ବ୍ୟକ୍ତିଙ୍କ ପାଇଁ ଭୋଜନ ବ୍ୟବସ୍ଥା

ଗାଁର ସ୍ବର୍ଗତ ତପି ନାଏକଙ୍କ ଏକାଦଶାହରେ ଆଜି ଓଡ଼ିଆ ପ୍ରଥା ପରମ୍ପରା ଓ ପୁରୋହିତ କର୍ମ ଆଧାରରେ ଶୁଦ୍ଧିକ୍ରିୟା ସଂପନ୍ନ ହୋଇଥିଲା। ବସ୍ତିବାସିନ୍ଦା ଓ ବନ୍ଧୁବାନ୍ଧବଙ୍କୁ ମିଶାଇ ୫ ଶହରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଭୂରି‌ ‌ଭୋଜନ ବ୍ୟବସ୍ଥା କରାଯାଇଥିଲା। ଶବ ସଂସ୍କାରରେ ‌ସାମିଲ ଥିବା ସମସ୍ତ ୨୨ ଜଣ ପ୍ରିୟଜନ(ମାଲଭାଇ)ଙ୍କ ପାଇଁ ‌ଖିଅର ଓ ବ୍ୟବସ୍ଥା ନୂତନ ବସ୍ତ୍ର ଦିଆଯାଇଥିଲା। ବସ୍ତିର ସମସ୍ତ ସଦସ୍ୟ ଓ ନିମନ୍ତ୍ରିତ ବ୍ୟକ୍ତିଙ୍କ ପାଇଁ ତୁଠକର୍ମ, ଖିଅର ଓ ସ୍ନାନଶୌଚ ପରେ ନୂଆ ଲୁଗାପଟା ବଣ୍ଟନ କରାଯାଇଥିଲା। ଶବଦାହରୁ ନେଇ ସମସ୍ତ ପ୍ରେତକର୍ମ ଓ ଭୋଜିଭାତ ଗାଁ ପାଣ୍ଠିରୁ ଖର୍ଚ୍ଚ କରାଯାଇଥାଏ ବୋଲି ମୁଖିଆ ଗତିଆ ନାଏକ କହନ୍ତି। ବନ୍ଧୁବାନ୍ଧବ ଓ ଅତିଥିଙ୍କ ସହାୟତା ରାଶି ଓ ବେଭାର ମୃତକଙ୍କ ପରିବାର ଗ୍ରହଣ କରିଥାନ୍ତି। ସେହି ଆଧାରରେ ସେ ବନ୍ଧୁ ରଖିଲା ଭଳି ସଂପୃକ୍ତ ପରିବାର ପକ୍ଷରୁ ସାଧ୍ୟମତେ ପ୍ରତିଦାନ ଦେବାର ପରମ୍ପରା ରହିଆସିଛି ବୋଲି ପ୍ରମିଳା ନାଏକ କହନ୍ତି। ବସ୍ତିବାସିନ୍ଦାଙ୍କ ମଧ୍ୟରେ ବଣ୍ଟନ କରାଯାଇଥିବା ଟେଣ୍ଟ୍‌ ବନ୍ଧା, ରୋଷେଇ, ବଢ଼ାକୁଢ଼ା ଓ ବାସନ ମଜା ଇତ୍ୟାଦି କାମକୁ ଲୋକେ ଆଗ୍ରହର ସହ ତୁଲାଇଥାନ୍ତି ବୋଲି କାଳନ୍ଦୀ ନାଏକ କହନ୍ତି। ସାମୁହିକ ସହଯୋଗରୁ ସବୁକାମ ସୁରୁଖୁରୁରେ ହୋଇଯାଉଥିବା କହନ୍ତି ପେଣ୍ଡୁ ନାଏକ। 

ଆହୁରି ପଢ଼ନ୍ତୁ: Murder Attempt: ତିନି ବର୍ଷୀୟ ଶିଶୁକୁ ହତ୍ୟା ଉଦ୍ୟମ, ସିସିଟିଭିରେ ଲୋମହର୍ଷଣର ଦୃଶ୍ୟ କଏଦ

କ’ଣ କୁହନ୍ତି ବୁଦ୍ଧିଜୀବୀ?

ଏ ସଂପର୍କରେ ଗାଁର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନୀଳକଣ୍ଠ ମହାନ୍ତ କହନ୍ତି ଯେ, ଗରିବ ଦଳିତ ବସ୍ତିର ଏଭଳି ଉଦାର ମନୋଭାବ ପାଇଁ ମୃତ ବ୍ୟକ୍ତିଙ୍କ ଉତ୍ତରାଧିକାରୀ କିମ୍ବା ପରିବାରକୁ ଶୁଦ୍ଧିକ୍ରିୟାର ଆର୍ଥିକ ବୋଝ ନଥାଏ। ନାଏକସାହିର ବଡ଼ପଣ ଅନ୍ୟମାନଙ୍କ ପାଇଁ ଉଦାହରଣ। ପୂର୍ବରୁ ବସ୍ତିବାସିନ୍ଦା କୌଳିକ ବୃତ୍ତି ଆଧାରରେ ବାଉଁଶ ପାତିଆରେ କୁଲା, ଡାଲା, ଟୋକେଇ, ଲୋଦର ଓ ଅମାର ଇତ୍ୟାଦି ପ୍ରସ୍ତୁତ କରି ଚଳୁଥିଲେ। କ୍ରମେ ଚାଷବାସରୁ ଏହିସବୁ ଦ୍ରବ୍ୟ ଦୂରେଇ ଯାଉଥିବାରୁ ବସ୍ତିରେ ଅଭାବ ଦେଖା ଦେଇଥିଲେ ହେଁ ଏଠାରେ ଭାଇଚାରା ଅକ୍ଷୁଣ୍ଣ ରହିଥିବା କହନ୍ତି।  

ଆହୁରି ପଢ଼ନ୍ତୁ: Maoists Surrender: କଣ୍ଟ ପୂରୁଛି, ମାଓବାଦୀଙ୍କର ଭୟ ବଢୁଛି