କାଳିଆପାଣି: ଯାଜପୁରଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପକ୍ଷରୁ ନଗଡ଼ାବାସୀଙ୍କୁ ନୂଆବର୍ଷ ଭେଟି ସ୍ବରୂପ ଜିଲ୍ଲାର ପ୍ରଥମ ସ୍କୁଲବସ୍‌ ସେବାର ଶୁଭାରମ୍ଭ ହୋଇଛି। ସମବାୟ ମନ୍ତ୍ରୀ ଡ. ପ୍ରଦୀପ ବଳସାମନ୍ତ ଏବଂ ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ଯୋଗସୂତ୍ରରେ ନଗଡ଼ା ସରକାରୀ ଉପ୍ରା ସ୍କୁଲ ଠାରୁ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ବସ୍(ଓଡି-୦୪ଏସ୍‌-୦୭୮୪) ଚିଙ୍ଗୁଡ଼ିପାଳ ସୌରିକ ହାଇସ୍କୁଲକୁ ଗଡ଼ିଥିଲା। ସୁକିନ୍ଦା ବିଡିଓ ପ୍ରଜ୍ଞା ପରିମିତା ପୃଷ୍ଟି ଓ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ନାରାୟଣ ଦାସଙ୍କ ପୌରହିତ୍ୟରେ ନଗଡ଼ା ସ୍କୁଲ ପରିସରରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ବିଜେପି ନେତା ରମଣୀ ରଞ୍ଜନ ବଳସାମନ୍ତ ମୁଖ୍ୟଅତିଥି ଭାବେ ନଡ଼ିଆ ବାଡ଼େଇ ଏହାର ଶୁଭାରମ୍ଭ କରିଥିଲେ।

Advertisment

ମନ୍ତ୍ରୀଙ୍କ ପ୍ରତିନିଧି ଶେଖର ମହାନ୍ତି, ଡିଏମ୍‌ଏଫ୍‌ ଶିକ୍ଷା ବିଶେଷଜ୍ଞ ଖ୍ରିଷ୍ଟୋଫର ଦୀପ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବେଣୁଧର ମହାନ୍ତ, ସିଆର୍‌ସିସି ସଞ୍ଜୟ କୁମାର ସାମଲ, ଆସ୍ପାୟାର ବ୍ଲକ ସଂଯୋଜକ ରମେଶ ଘୁଗେ, ବିଜେପି ନେତା ମାନସ ମହାନ୍ତି, ଦୀପକ ପାତ୍ର, ନରୋତ୍ତମ ମହାନ୍ତ, ଲମ୍ବୋଦର ମହାନ୍ତ, ସତ୍ୟଜିତ ନାୟକ, ବୈକୁଣ୍ଠ ମହାନ୍ତ, ରାହୁଲ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଏଣିକି ସ୍କୁଲବସ୍ ତଳ ନଗଡ଼ାରୁ ସୌରିକ ହାଇସ୍କୁଲ ନିୟମିତ ଯାତାୟତ କରିବ। 

ନିୟମିତ ପିଲା ଆସିପାରୁ ନଥିଲେ ସ୍କୁଲ

ସୂଚନାଯୋଗ୍ୟ ଯେ, ଗତ ସେପ୍ଟମ୍ବର ମାସରେ ସୌରିକ ହାଇସ୍କୁଲରେ ନଗଡ଼ା, ଗୁହିଆଶାଳ ଓ ତୁମୁଣି ଗାଁର ୪୩ ଜଣ ଡ୍ରପ୍‌ଆଉଟ୍‌ ଜୁଆଙ୍ଗ ଛାତ୍ରଛାତ୍ରୀଙ୍କ ନାମ ଲେଖା ଯାଇଥିଲା। ହେଲେ ଗାଁ ଠାରୁ ସ୍କୁଲ ୧୭ ରୁ ୨୦ କିଲୋମିଟର ଦୂରରେ ଥିବାରୁ ପିଲାଏ ନିୟମିତ ସ୍କୁଲ ଆସିପ‌ାରୁ ନଥିଲେ। ଏହାକୁ ନେଇ ସାମାଜିକ କର୍ମୀ ମଣ୍ଟୁ ଦାସ ଜିଲ୍ଲାପାଳ ଓ ଶିଶୁ ସୁରକ୍ଷା ଅଧିକାର ଆୟୋଗର ଦୃଷ୍ଟି ଆକର୍ଷଣ କରିଥିଲେ।

ଆହୁରି ପଢ଼ନ୍ତୁ: Paddy: ଭଦ୍ରକ ଜିଲ୍ଲାରେ ଖୋଲିନି ମଣ୍ଡି: ଗାଁରେ ବୁଲୁଛନ୍ତି ପଶ୍ଚିମବଙ୍ଗର ବ୍ୟବସାୟୀ

ସମସ୍ୟା ଦୂରୀଭୂତ ହେବ: ବିଇଓ

ଏ ସଂକ୍ରାନ୍ତରେ ଜିଲ୍ଲାପାଳ ପତ୍ରାଙ୍କ ୭୦୭୬/୬-୧୦-୨୫ ଆଧାରରେ ଚଣ୍ଡିଖୋଲ ଆର୍‌ଟିଓଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ନାରାୟଣ ସାହୁ ଓ ଡିଏମ୍‌ଏଫ୍‌ ଟିମ୍‌ ଲିଡର ଡ. ସତ୍ୟ ସ୍ବରୂପ ପଣ୍ଡା ଏ ସଂପର୍କିତ କାର୍ଯ୍ୟ ତ୍ବରାନ୍ବିତ କରାଇଥିଲେ। ଏହାଦ୍ବାରା ନଗଡ଼ା ପାରିପାର୍ଶ୍ବିକ ଅଞ୍ଚଳ ବ୍ୟତୀତ ଅଶୋକଝର, ଦେଓଗାଁ, କୁମୁଡ଼ିବାହାଳି, କଙ୍କଡ଼ା‌ଗୋଡ଼ି, ଅରଡ଼ାପାଳ ଓ ଖୁଣ୍ଟାପଶି ଗାଁର ଛାତ୍ରଛାତ୍ରୀ ନିୟମିତ ସ୍କୁଲ ଆସିବା ସମସ୍ୟା ଦୂରୀଭୂତ ହେବ ବୋଲି ବିଇଓ ଶ୍ରୀ ଦାସ କହନ୍ତି। ପୂର୍ବରୁ ଡିଏମ୍‌ଏଫ୍‌ ଅନୁଦାନରେ ସୁକିନ୍ଦା, ହରିପୁର, ଟୋଲକାନୀ ଓ ଡୁବୁରି କଲେଜ୍‌କୁ ୧୦ଟି ବସ୍ ଚାଲୁଛି।  

ଆହୁରି ପଢ଼ନ୍ତୁ: Illegal Poaching: ଦୁଇଟି ବାଘଛାଲ ସହ ସମ୍ବରଶିଙ୍ଗ ଜବତ, ବାପପୁଅ ସମେତ ୬ ଜଣ ଗିରଫ

ରିପୋର୍ଟ: ରବି ନାରାୟଣ କର