କାଳିଆପାଣି (ରବି ନାରାୟଣ କର): ରେଙ୍ଗାଲି ବାମ କେନାଲ ପାଇଁ ଦୁର୍ଦ୍ଦଶା ବଢ଼ୁଛି। ବର୍ଷତମାମ୍ ଘର ଭିତର ସନ୍ତସନ୍ତିଆ ଓ ଏହା ଚାରିପାଖ ପାଣି ପଚରପଚର। କେନାଲର ପାଣିଧାରକୁ ତାଳଦେଇ ଜୀବନ ଦୁର୍ବିଷହ ହୋଇଛି। କେନାଲ ଭରିଗଲେ ନାହିଁ ନଥିବା ପରିସ୍ଥିତି। ଘରଛାଡ଼ି ଅନ୍ୟ ଠାରେ ସାମୟିକ ଆଶ୍ରୟ ନେବାକୁ ପଡ଼ୁଛି। ଏଭଳି ଦୟନୀୟ ସ୍ଥିତି ରାଜ୍ୟର ଅନ୍ୟତମ ଧନୀ ତହସିଲ ମାନ୍ୟତା ପାଇଥିବା ସୁକିନ୍ଦାର ବନ୍ଧଗାଁ ସର୍କଲ ପିମ୍ପୁଡ଼ିଆ ପଞ୍ଚାୟତ ୯ ନମ୍ବର ୱାର୍ଡ ଅର୍ଜୁନଝର ବସ୍ତିରେ ଦେଖିବାକୁ ମିଳିଛି। ଗୋଟିଏ ଆଦିବାସୀ ଓ ୩ଟି ଦଳିତ ପରିବାର ଅତି ଦୟନୀୟ ପରିସ୍ଥିତିରେ ବଞ୍ଚି ରହିଛନ୍ତି। ଭୂମିହୀନ ଓ ଗରିବ ହୋଇଥିବାରୁ ବିକଳ୍ପ ବ୍ୟବସ୍ଥାରେ ଆଶ୍ରୟ ଖୋଜି ବଞ୍ଚି ରହିବାକୁ ସେମାନଙ୍କର ଚାରା ନଥିବା ସାଧାରଣରେ ଅଭିଯୋଗ ହୁଏ।
ରେଙ୍ଗାଲି କେନାଲ ଚାଷୀକୁଳ ପାଇଁ ଆଶାର କିରଣ ହୋଇଥିବା ସ୍ଥଳେ ବାସୁଦେବ ମୁଣ୍ଡା, ବିନୋଦ ପାତ୍ର, ରମେଶ ପାତ୍ର ଓ ଧନେଶ୍ବର ପାତ୍ରଙ୍କ ପରିବାର ପାଇଁ ଦୁଃଖର ପସରା ହୋଇଛି। ପୁରୁଷାନୁକ୍ରମେ ୫ ପିଢ଼ି ଧରି କେନାଲ ତଳେ ଘର ତୋଳି ରହୁଥିବା ଏହି ଲୋକମାନେ ଏବେ ବଞ୍ଚିବାର ରାହା ଖୋଜୁଛନ୍ତି। କେନାଲ ପାଣି ସମସ୍ତଙ୍କ ମୁହଁରୁ ହସ ଛଡ଼େଇ ନେଇଛି। ବର୍ଷତମାମ୍ କାହା ଠାରୁ ରୋଗ ଛାଡ଼ୁନି। ସମସ୍ତେ ଥଣ୍ଡା, କାଶ, ଜର ଓ ଚର୍ମରୋଗ ଆକ୍ରାନ୍ତ। ପଥୁରିଆ ଚଟାଣ ଉପରେ ଥିବା ବସ୍ତିର ସବୁ ଘରେ ପାଣିର ପ୍ରକୋପ। ବିନା ଖଟରେ ବିଶ୍ରାମ ନେବାର ବାଟ ନାହିଁ। ଖଟକୁ ସୁରକ୍ଷିତ ରଖାଯିବା ପାଇଁ ତଳେ ସିମେଣ୍ଟ ଇଟା କିମ୍ବା ପଥର ଦିଆଯାଇଛି। ଛଣକୁଟା ଗଦା ପାଣିରେ ଭାସୁଛି। ଭାଡ଼ିରେ ଚୁଲି ପାରି ରୋଷେଇ କରିବାକୁ ପଡ଼ୁଛି। ଲୁଗାପଟା ଓ ଆସବାବପତ୍ର ସାଇତି ରଖିବା ପାଇଁ ସ୍ବତନ୍ତ୍ର ସଙ୍ଘା ଓ ମାଞ୍ଚିଆ କରିବାକୁ ପଡ଼ୁଥିବା କୁହାଯାଇଛି।
ଖାଦ୍ୟପଦାର୍ଥ ସବୁ ଶୀଘ୍ର ଫିମ୍ପି ମାରିଯାଉଛି। ଶସ୍ୟ ସଂରକ୍ଷଣ ପାଇଁ ଘର ଶେଣି ବରଗାରେ ଶିକା ଟାଙ୍ଗିବାକୁ ପଡ଼ୁଛି। ଭୂମିହୀନ ଆଦିବାସୀ ହୋଇଥିଲେ ବି ୫ ଜଣିଆ ପରିବାରକୁ ନେଇ ଆମେ ଏମିତି ରହୁଛୁ ବୋଲି କ୍ଷୋଭ ପ୍ରକାଶ କରନ୍ତି ବାସୁଦେବ ମୁଣ୍ଡା। ୯ ଜଣିଆ ବଡ଼ ପରିବାରକୁ ନେଇ ଆମେ ଆଉ ତିଷ୍ଠି ରହିବା ଅବସ୍ଥାରେ ନାହୁଁ ବୋଲି ବିନୋଦ ପାତ୍ର ଅଭିଯୋଗ କରନ୍ତି। ଏସବୁ ପରିବାର ପାଖେ ବସୁନ୍ଧରା ଯୋଜନା ବାଟ ହୁଡ଼ିଛି। ମଣିଷ ଜଳଚର ପ୍ରାଣୀ ଭଳି ରହୁଥିବାରୁ ମାନବାଧିକାର ଉଲଂଘନ ହେଉଥିବା ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି। ପୂର୍ବ ପିଢ଼ି ଏଠାରେ ଚାଷବାସ କରି ଭଲରେ ରହୁଥିଲେ। ୨୦୧୯ ମସିହାରୁ ରେଙ୍ଗାଲି କେନାଲରେ ପାଣିର ପ୍ରବାହ ଦିନରୁ ଦୁର୍ଦ୍ଦଶା ବଢ଼ୁଥିବା ସାଧାରଣରେ ଅଭିଯୋଗ ହୁଏ। ୬ ବର୍ଷ ଧରି ଏତାଦୃଶ ସମସ୍ୟା ସଂପର୍କରେ ପ୍ରଭାବିତ ପରିବାର ପକ୍ଷରୁ ଗ୍ରାମସଭା, ପଞ୍ଚାୟତ, ରେଙ୍ଗାଲି ପ୍ରତିନିଧି, ତହସିଲ ଓ ବ୍ଲକ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ହେଁ କେହି ତାଙ୍କ କଥା ଶୁଣୁନଥିବା ଅଭିଯୋଗ ହୋଇଛି।
ଆହୁରି ପଢ଼ନ୍ତୁ: Nitish Kumar: ମହିଳାଙ୍କ ପାଇଁ ୨ ଲକ୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଘୋଷଣା କଲେ ନୀତୀଶ
ଏ ସଂପର୍କରେ ସରପଞ୍ଚ ତପନ କୁମାର ନାୟକଙ୍କୁ ପଚାରିବାରେ ଲୋକେ ଅତ୍ୟନ୍ତ ଦୟନୀୟ ଭାବେ ସେଠାରେ ରହୁଥିବା ପ୍ରସଙ୍ଗକୁ ସ୍ବୀକାର କରି ଦୁଃଖ ପ୍ରକାଶ କରିଥିଲେ। ତେବେ ସରକାରୀ ଓ ଶାଳଜଙ୍ଗଲ ଜମିରେ ଘର କରିଥିବାରୁ ସେମାନଙ୍କୁ ସ୍ଥାୟୀ ଜମିପଟ୍ଟା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦେବାରେ ପ୍ରତିବନ୍ଧକ ଉପୁଜୁଥିବା କହନ୍ତି। ଜିଲ୍ଲା ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।
ଆହୁରି ପଢ଼ନ୍ତୁ: World Bank: ବିଶ୍ବ ବ୍ୟାଙ୍କ ଗୃପ ସଭାପତିଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
Follow Us