yogathaon jajpur Photograph: (sambad.in)
ଯାଜପୁର: ଅସୁସ୍ଥ ହୋଇ ଔଷଧ ଖାଇବା ଅପେକ୍ଷା ଶରୀର କିପରି ସୁସ୍ଥ ରହିବ ତାହା ଗୁରୁତ୍ବପୂର୍ଣ୍ଣ। ନିୟମିତ ଯୋଗାଭ୍ୟାସ କଲେ ଆମେ ପରିଣତ ବୟସରେ ବି ଆମେ ସୁସ୍ଥ ରହିବା ସାଙ୍ଗକୁ ଔଷଧଠାରୁ ଦୂରେଇ ରହିପାରିବା ବୋଲି ଆଜି ‘ସମ୍ବାଦ’ ଏବଂ ଅଲ୍ ଓଡ଼ିଶା ଯୋଗ ଆସୋସିଏସନ୍ ପକ୍ଷରୁ ବ୍ୟାସନଗର କାଳୀମେଳଣ ପଡ଼ିଆରେ ଆୟୋଜିତ ଯୋଗାଥନ୍ର ଦ୍ବିତୀୟ ସଂସ୍କରଣରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ସାରା ବିଶ୍ବକୁ ଭାରତର ବଡ଼ ଅବଦାନ ହେଉଛି ଯୋଗ
‘ସମ୍ବାଦ’ ଯାଜପୁର ସଂସ୍କରଣ ମୁଖ୍ୟ ଗଦାଧର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କୋରେଇ ବିଧାୟକ ଆକାଶ ଦାସନାୟକ ଯୋଗଦେଇ କହିଥିଲେ ସାରା ବିଶ୍ବକୁ ଭାରତର ବଡ଼ ଅବଦାନ ହେଉଛି ଯୋଗ। ମଣିଷର ମନ ସୁସ୍ଥ ରହିଲେ ଶରୀର ସୁସ୍ଥ ରହିବ। ଶରୀର ସୁସ୍ଥ ରହିଲେ ପରିବାର ଏବଂ ପରିବାର ସୁସ୍ଥ ରହିଲେ ରାଜ୍ୟ ତଥା ଦେଶ ସୁସ୍ଥ ରହିପାରିବ। ମନ ଓ ଶରୀରକୁ ସୁସ୍ଥ ରଖିବାପାଇଁ ଯୋଗ ସର୍ବୋତ୍କୃଷ୍ଟ ମାଧ୍ୟମ ବୋଲି ବିଧାୟକ କହିଥିଲେ। ସମ୍ମାନିତ ଅତିଥି ଭାବେ ଓଏମ୍ସିର ଡିଜିଏମ୍ (ପର୍ସନେଲ) ଦେବାଶିଷ ସାମଲ ଯୋଗଦେଇ ‘ଯୋଗାଥନ୍’ ଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ‘ସମ୍ବାଦ’କୁ ସାଧୁବାଦ ଜଣାଇଥିଲେ। ସାମାଜିକ ପରିବର୍ତ୍ତନରେ ସମସ୍ତେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ। ଯାଜପୁରରୋଡ ଏସ୍ଡିପିଓ ଶରତ ଚନ୍ଦ୍ର ପାତ୍ର କହିଥିଲେ, ଯୋଗର ଜନ୍ମ ଭାରତରେ। ଏହାର ଜନ୍ମଦାତା ହେଉଛନ୍ତି ସ୍ବୟଂ ଭଗବାନ ଶିବ। ସୁସ୍ଥ ରହିବାପାଇଁ ଉତ୍ତମ ଖାଦ୍ୟ ସାଙ୍ଗକୁ ନିୟମିତ ଯୋଗ କରିବା ଦରକାର ବୋଲି କହିଥିଲେ।
/filters:format(webp)/sambad/media/media_files/2026/03/01/un-2026-03-01-11-45-21.png)
ନିମନ୍ତ୍ରିତ ଅତିଥି ଭାବେ ଫ୍ରିଡମ୍ ଅଏଲର ରାଜ୍ୟ ମୁଖ୍ୟ ଅମିୟ ଧଳ, ଟାଟା ମେଡିକା ହସ୍ପିଟାଲର ସିଇଓ ଡ. ସନ୍ତୋଷ କୁମାର ପାଣ୍ଡେ, ଚିଦାନନ୍ଦ ଯୋଗ ସଂସ୍କୃତି ସଂସ୍ଥାନର ନିର୍ଦ୍ଦେଶକ ତଥା ରାଜ୍ୟ ଯୋଗ ଚିକିତ୍ସା ସଂଘର ସଭାପତି ବନମାଳୀ ରଥ, କେଜିଆଇ ଅଧ୍ୟକ୍ଷ ତଥା ଯୁବ ସମାଜସେବୀ ଡ. ଆଲେକଜାଣ୍ଡାର ଦାସ, ବ୍ୟାସନଗର ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ, ପୂର୍ବତନ ପୌରାଧ୍ୟକ୍ଷା ସବିତା ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଭୋର ସାଢ଼େ ୫ଟାରୁ ଅଲ୍ ଓଡ଼ିଶା ଯୋଗ ଆସୋସିଏସନ୍ର ସାଧାରଣ ସମ୍ପାଦକ ତଥା ଯୋଗଗୁରୁ ଆଦିତ୍ୟ କୁମାର ଜେନାଙ୍କ ବିଭିନ୍ନ ସୂକ୍ଷ୍ମ ଆରମ୍ଭ ହୋଇଥିଲା ଯୋଗାଭ୍ୟାସ। ଏହାପରେ ସୂର୍ଯ୍ୟଙ୍କ ଆଗମନକୁ ଲକ୍ଷ୍ୟ କରି ସୂର୍ଯ୍ୟ ନମସ୍କାର ଅଭ୍ୟାସ କରାଯାଇଥିଲା। ଏଥିରେ କପାଳଭାତି, ନାଡ଼ି ଶୋଧନ, ତାଡ଼ାସନ, ତ୍ରିକୋଣାସନ ଆଦି ଅଭ୍ୟାସ କରାଯାଇଥିଲା। ଏହି ଅବସରରେ ଅଲ୍ ଓଡ଼ିଶା ଯୋଗ ଆସୋସିଏସନ୍, ଛତ୍ରପତି ଶିବାଜୀ ପ୍ରଭାତ ଶାଖା, ଶିକ୍ଷାବିତ୍ ଶୁଭକାନ୍ତ ରଥ, ସମାଜସେବୀ କାହ୍ନୁଚରଣ ନାଥ, ରାଜକିଶୋର ରଥ, ବରିଷ୍ଠ ନାଗରିକ ମଞ୍ଚର ଚନ୍ଦ୍ରମଣି ସାମଲ, ଚୋରଦା ଯୋଗ ସମିତିର ଯୋଗଗୁରୁ ବଟକୃଷ୍ଣ ସାହୁ, ହିମାଂଶୁ ଭୂଷଣ ପୃଷ୍ଟି, ସ୍ବାସ୍ଥ୍ୟ ସୁରକ୍ଷା ସମିତିର ଶିଶିର ରାଉତ, ଫିଟ୍ ଆଣ୍ଡ ଫାଇନ୍ର ସମ୍ପାଦକ ଅକ୍ଷୟ କୁମାର ଦେଓଙ୍କୁ ସମ୍ମାନିତ କରାଯାଇଥିଲା।
/filters:format(webp)/sambad/media/media_files/2026/03/01/unti-2026-03-01-11-45-47.png)
‘ସମ୍ବାଦ’ ଯାଜପୁର ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ ଅତିଥିମାନଙ୍କୁ ମଞ୍ଚକୁ ସ୍ବାଗତ କରିଥିଲେ। ଶେଷରେ ବ୍ୟାସନଗର ପ୍ରତିନିଧି ବିଜୟ କୁମାର ସାହୁ ଧନ୍ୟବାଦ ଦେଇଥିଲେ। ‘ସମ୍ବାଦ’ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Follow Us