G Udayagiri temperature reduce. Photograph: (sambad.in)
ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ପୁଣି ଖସିଲା ପାରଦ। ବଢ଼ିଲା ଶୀତ। ଲୋକେ ହେଉଛନ୍ତି କଲବଲ। କନ୍ଧମାଳ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ତୁଳନାରେ ଆଜି ଅଧିକ ଶୀତ ଅନୁଭୂତ ହେଉଛି। କନ୍ଧମାଳ ଜିଲ୍ଲାରେ ଗତକାଲି ଠାରୁ ଆଜି ୧.୪ଡିଗ୍ରି ପାରଦ ହ୍ରାସ ପାଇ ୭.୪ ଡିଗ୍ରି ରେକର୍ଡରେ ପହଞ୍ଚିଛି।
ପାରଦ ତଳମୁଁହା ହେବା ସହ ଜାଡ଼ ଆରମ୍ଭ ହୋଇଯାଇଛି। ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ଼ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନ ଜୀବିକା ପ୍ରଭାବିତ କରିଛି। ଦିନରେ ତାପମାତ୍ରା ସ୍ୱାଭାବିକ ରହୁଥିବା ବେଳେ ସଞ୍ଜ ନଇଁଲେ ପାରଦ ଖସିବା ସହ ଥଣ୍ଡା ତାର ରାଜୁତି ଆରମ୍ଭ କରିଦେଉଛି। ଯେତେ ରାତି ବଢୁଛି ସେତେ ଥଣ୍ଡାର ପ୍ରକୋପ ବଢିବା ସହ ଜାଡ଼ରେ ଥରୁଛି ସାରା ଅଞ୍ଚଳ। ସଞ୍ଜ ନଇଁଲେ ସହର ରାସ୍ତା ଘାଟ ଜନଶୁନ୍ୟ ହୋଇଯାଉଛି।ଆଖୂପାଖ ଅଞ୍ଚଳରୁ ସହରକୁ ଆସୁଥିବା ଲୋକ ସନ୍ଧ୍ୟା ପୂର୍ବରୁ ନିଜ ନିଜ ଗାଁ କୁ ଫେରିଯାଉଛନ୍ତି ଥଣ୍ଡା ଯୋଗୁଁ। ସଞ୍ଜ ହେଲେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସାହି ଗଳିକନ୍ଦିରେ ଲୋକ ସ୍ଥାନେସ୍ଥାନେ ନିଆଁ ଜାଳି ବସି ରହୁଛନ୍ତି।
ଆହୁରି ପଢ଼ନ୍ତୁ: Odisha Assembly, Naveen-Mohan: ଯେବେ ଏକାଠି ବସନ୍ତି ନବୀନ-ମୋହନ… ମହାମହିମଙ୍କ ସହ ବସି ଫଟୋ ଉଠାଇଲେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା
ଥଣ୍ଡାର ପ୍ରକୋପ ବଢ଼ିଲା
ପାରଦ ଖସିବା ସହ ଥଣ୍ଡା ପବନ ପ୍ରବାହିତ ହେବା ଯୋଗୁଁ ଥଣ୍ଡାର ପ୍ରକୋପ ଲୋକଙ୍କୁ ବାଧୁଛି। ଆଗାମୀ ଦିନରେ ପାରଦ ଆହୁରି ତଳମୁଁହା ହେବା ସହ ଥଣ୍ଡା ଆହୁରି ବଢ଼ିବା ନେଇ ପାଣିପାଗ ବିଭାଗ ଅନୁମାନ କରିଥିବା ବେଳେ ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ସ୍ଥାନିତ ହେବା ପରେ ସ୍ଥାନୀୟ ଅଞ୍ଚଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନସ୍ଥଳୀରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଭିଡ଼ ଜମିବା ସହ ଛୁଟି ଦିନରେ ବଣ ଭୋଜି ପାଇଁ ମଧ୍ୟ ପ୍ରବଳ ଭିଡ଼ ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଦେଖିବାକୁ ମିଳୁଛି। ହେଲେ ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ସେଇଭଳି କିଛି ଆଖି ଦୃଶିଆ ବିକାଶ ହୋଇନଥିବା ଯୋଗୁଁ ସାଧାରଣରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ଦାବି ହୋଇଛି।
ଆହୁରି ପଢ଼ନ୍ତୁ: Kandhamal tourism: କନ୍ଧମାଳ ପର୍ଯ୍ୟଟନକୁ ଅଡୁଆ ଗଞ୍ଜେଇ ମାଫିଆ: ବାଉନ୍ସରଙ୍କ କବଜାରେ ଜଳପ୍ରପାତ
Follow Us