Kandhamal: ଗାଁକୁ ନାହିଁ ରାସ୍ତା, ଦୋଳାରେ ବୋହି ନେବାକୁ ପଡୁଛି ରୋଗୀ

ଗ୍ରାମାଞ୍ଚଳରେ କେତେ ବିକାଶ ହୋଇଛି କନ୍ଧମାଳ ଜିଲ୍ଲାର ବିଭିନ୍ନ ଉପାନ୍ତ ଏବଂ ଦୁର୍ଗମ ଅଞ୍ଚଳ ବୁଲି ଆସିଲେ ନିଶ୍ଚିତ ଭାବେ ହୃଦୟଙ୍ଗମ ହେବ ଯେ ସ୍ୱାଧୀନତାର ୭୮ବର୍ଷ ଭିତରେ ଗାଁରେ ବିକାଶ କେତେ ହୋଇଛି?

G Udayagiri

G Udayagiri village. Photograph: (sambad.in)

ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିକାଶର ନାରା କେବଳ ପ୍ରଚାର ପ୍ରସାରରେ ସୀମିତ ରହିଯାଇଛି।ପ୍ରକୃତରେ ଗ୍ରାମାଞ୍ଚଳରେ କେତେ ବିକାଶ ହୋଇଛି କନ୍ଧମାଳ ଜିଲ୍ଲାର ବିଭିନ୍ନ ଉପାନ୍ତ ଏବଂ ଦୁର୍ଗମ ଅଞ୍ଚଳ ବୁଲି ଆସିଲେ ନିଶ୍ଚିତ ଭାବେ ହୃଦୟଙ୍ଗମ ହେବ ଯେ ସ୍ୱାଧୀନତାର ୭୮ବର୍ଷ ଭିତରେ ଗାଁରେ ବିକାଶ କେତେ ହୋଇଛି? କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ପଞ୍ଚାୟତର ୧୧ନଂ ୱାର୍ଡର ଜାଟିଗୁଡା ଗାଁର ଅବସ୍ଥା ଦେଖିଲେ ଜାଣିହେବ ଆମ ଗାଁ କେତେ ବିକାଶ କରିଛି ଆମେ କେତେ ବିକଶିତ।

ଆମ ସରକାର କେବଳ ବିକଶିତ ଭାରତର ନାରା ଦେଇ ଚାଲିଛନ୍ତି। ଗାଁକୁ ଆଜି ପର୍ଯ୍ୟନ୍ତ ରାସ୍ତା ନାହିଁ। ଜଙ୍ଗଲ ପାହାଡ଼ ପର୍ବତ ଘେରା ଅତି ସୁନ୍ଦର ପରିବେଶ ଭିତରେ ଅବସ୍ଥିତ ଜାଟିଗୁଡ଼ା। ଜାଟିଗୁଡା, ଟିଣ୍ଡିକାମ୍ବା, ମାହାରେ ୨୫ରୁ ଊର୍ଦ୍ଧ୍ଵ ପରିବାରର ୧୩୦ରୁ ଊର୍ଦ୍ଧ୍ବ ଜନସଂଖ୍ୟା। ଏହା ଏକ ରାଜସ୍ୱ ଗ୍ରାମ ହେଲେ ନାମକୁ ମାତ୍ର। ମୌଳିକ ସୁବିଧାରୁ ବଞ୍ଚିତ ଏହି ଗ୍ରାମବାସୀମାନେ ସମସ୍ତେ ପ୍ରାୟ ଆଦିବାସୀ ସମ୍ପ୍ରଦାୟର। ସମସ୍ତେ ପ୍ରାୟ ଚାଷ ଉପରେ ଏବଂ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଉପରେ ନିର୍ଭର କରୁଥିବା ବେଳେ କାମଧନ୍ଦା ଅଭାବରୁ ବହୁ ଯୁବକ ଦାଦନ ଖଟିବାକୁ କେରଳ ଏବଂ ବାଙ୍ଗାଲୋର ଯାଇଛନ୍ତି। ରାସ୍ତା ଅଭାବରୁ ଗ୍ରାମବାସୀ ଏକପ୍ରକାର ଜଙ୍ଗଲୀ ଜୀବନ ଯାପନ କରୁଥିବା ପ୍ରକାଶ କରିଛନ୍ତି। ଟିଣ୍ଡିକାମ୍ବାରେ ଏକ ପ୍ରାଥମିକ ବିଦ୍ୟାଳୟ ଥିଲା ହେଲେ ପିଲା ସଂଖ୍ୟା କମିବାରୁ ସରକାରଙ୍କ ନୂତନ ନିୟମ ପ୍ରକାରେ ବିଦ୍ୟାଳୟ ବନ୍ଦ ପଡ଼ିଛି। ଏହି ଗ୍ରାମରୁ ବ୍ଲକ ସଦର ମହକୁମା ରାଇକିଆ ଦୂରତା ୨୯କିମି। ସେଇପରି ପେଟାପାଙ୍ଗା ପଞ୍ଚାୟତ ସଦରମହକୁମା ଦୂରତା ୮କିମି। ପଞ୍ଚାୟତ ହେଉ କି ବ୍ଲକକୁ ଜୀବାକୁ ହେଲେ ୫କିମି ରାସ୍ତା ଚାଲି ଚାଲି ଗଲେ ଯାଇ ଗାଡି ମଟର ପାଇବେ।

ଆହୁରି ପଢ଼ନ୍ତୁ: Farmer: ଜୈବିକ ପଦ୍ଧତିରେ ଚାଷ କରି ଉଦାହରଣ ପାଲଟିଲେ କନ୍ଧମାଳର ଯୁବଚାଷୀ

୫କିମି ପାଣି ବୋହୁଛନ୍ତି

ସେଇଭଳି ନିଜନିଜ ରାସନକାର୍ଡରେ ଚାଉଳ ଆଣିବା ନିମନ୍ତେ ୫କିମି ରାସ୍ତା ଗଦଗୁଡ଼ା ଗଲେ ସେଠି ଚାଉଳ ଧରି ମୁଣ୍ଡରେ ବୋହି ବୋହି ପୁଣି ୫କିମି ରାସ୍ତା ନିଜ ଗାଁକୁ ଆସିବାକୁ ପଡୁଛି। ସବୁଠାରୁ ହୃଦୟ ବିଦରକ ଦୃଶ୍ୟ ହେଉଛି ଗାଁରେ କାହାର ସ୍ୱାସ୍ଥ୍ୟ ଖରାପ ହେଲେ ଗୁରୁତର ହେଲେ ଗାଁକୁ ଆମ୍ବୁଲାନ୍ସ କିମ୍ବା କୌଣସି ଗାଡି ଆସିପାରେନି ଏଣୁ ଦୋଳା କିମ୍ବା ଖଟିଆରେ ବୋହି ବୋହି ଦୀର୍ଘ ୫କିମି ରାସ୍ତା ନେଲେ ଗାଡ଼ିର ବ୍ୟବସ୍ଥା ହୋଇପାରୁଛି। ସେଇଭଳି ଗର୍ଭବତୀ ମା’ମାନେ ମଧ୍ୟ ସେଇ ଅବସ୍ଥାରେ ଗତି କରୁଛନ୍ତି। ନିଜ ଜମିରେ ଉତ୍ପାଦିତ ପନିପରିବା ହେଉ କି ଜଙ୍ଗଲଜାତ ଦ୍ରବ୍ୟକୁ ବଜାରକୁ ବିକ୍ରି କରିବାକୁ ହେଲେ ମୁଣ୍ଡରେ ବୋହି ବୋହି ୫କିମି ରାସ୍ତା ଗଲା ପରେ ଗାଡି ମିଳିବ। ରାସ୍ତାଉପରେ ରାସ୍ତା ନିର୍ମାଣ ହେଉଛି ଅଥଚ ଜାଟିଗୁଡା ଗ୍ରାମକୁ ମୂଳରୁ ରାସ୍ତା ନାହିଁ।

ଆହୁରି ପଢ଼ନ୍ତୁ: Bangladeshis in bhubanswer: ରାଜଧାନୀରେ କେତେ ବାଂଲାଦେଶୀ?

ଚାନ୍ଦା କରି ଶ୍ରମଦାନ

ଏମଜିଏନଆରଜିରେ ମଧ୍ୟ ରାସ୍ତାର ଉନ୍ନତି କରଣ ଚିନ୍ତା ବ୍ଲକ ପ୍ରଶାସନ କରୁନଥିବା ବେଳେ ଗ୍ରାମବାସୀମାନେ ଏକତ୍ରିତ ହୋଇ ଚାନ୍ଦା କରି ଶ୍ରମଦାନ କରି ବର୍ଷରେ ଥରେ ଦୁଇଥର ନିଜ ଗାଁକୁ ଯିବା ଆସିବା ରାସ୍ତାରେ ମାଟି ପକେଇ ସମତୁଲ କରିଥିବା ପ୍ରକାଶ କରିଛନ୍ତି ସ୍ଥାନୀୟ ଗ୍ରାମବାସୀ। ୧୧ନଂ ୱାର୍ଡର ୱାର୍ଡମେମ୍ବର ବୁଲେନ ପ୍ରଧାନ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଆମ ଗାଁ ରାସ୍ତା ନିମନ୍ତେ ସରପଞ୍ଚ ଠାରୁ ଆରମ୍ଭ କରି ବିଡ଼ିଓ, ଜିଲ୍ଲାପାଳ ସମସ୍ତଙ୍କୁ ବାରମ୍ବାର କହିବା ପରେ ମଧ୍ୟ କିଛି ସୁଫଳ ମିଳିନି। ଆମେତ ଗରିବ ଆଦିବାସୀ ଲୋକ ଜଙ୍ଗଲ ଭିତର ଗାଁରେ ରାହୁଛୁ ଆମ କଥା କିଏ ଶୁଣୁଛି? କାମଧନ୍ଦା କିଛି ନାହିଁ ଏନଆରଜିଏରେ କାମ ହେଉନି କାମ କଲେ ଟଙ୍କା ମିଳୁନି ଏଣୁ ଗାଁ ଲୋକ ଦିନ ମଜୁରିଆ ଭାବେ ଅନ୍ୟ ଆଡ଼େ ଯାଇ କାମ କରୁଛନ୍ତି ବହୁ ଯୁବକ ଦାଦନ ଖଟୁଛନ୍ତି ବାହାର ରାଜ୍ୟରେ। ତୁରନ୍ତ ଗାଁ ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ।ଜାଟିଗୁଡ଼ା ଗାଁର ଚିତ୍ର ଦେଖିଲେ ସରକାରଙ୍କ ବିକଶିତ ଭାରତ ନାରା ନାରାରେ ରହିଲା ଭଳି ମନେ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe