ଘୁ.ଉଦୟଗିରି (ସମୀର କୁମାର ପାଢ଼ୀ): କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ ଆରଡି ରୋଡ଼ ଠାରୁ ଗାମୁଲି ପର୍ଯ୍ୟନ୍ତ ନିର୍ମିତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ରାସ୍ତା ବର୍ତ୍ତମାନ ଶୋଚନୀୟ ଅବସ୍ଥାକୁ ପହଞ୍ଚିଥିବା ଯୋଗୁଁ ଯାତାୟାତକୁ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡ଼ିଛି। ପ୍ରାୟ ୧୦୦.୭୬ ଲକ୍ଷ ଟଙ୍କା ବ୍ୟୟରେ ୨.୩୫ କି.ମି. ଦୈର୍ଘ୍ୟର ଏହି ରାସ୍ତା ୧୦/୧୦/୨୦୧୭ ରେ ଆରମ୍ଭ ହୋଇ ୯/୭/୨୦୧୮ ରେ କାମ ଶେଷ ହୋଇଥିବା ସୂଚନା ଥିବାବେଳେ ଅନ୍ୟ ଏକ ସୂଚନା ଫଳକରେ ୯/୭/୨୦୧୮ରୁ କାମ ଆରମ୍ଭ ହୋଇ ୯/୨୦୨୩ରେ ଶେଷ ହେବାକୁ ଥିବା ଉଲ୍ଲେଖ ରହିଛି। ଏହି ସୂଚନା ନେଇ ମଧ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି।
ଯୋଜନା ଅନୁଯାୟୀ କାମ ଶେଷ ହେବା ପରେ ୫ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ୮.୫୮ ଲକ୍ଷ ଟଙ୍କା ବ୍ୟବସ୍ଥା ରହିଥିଲେ ମଧ୍ୟ ବାସ୍ତବରେ ରାସ୍ତାର ଅବସ୍ଥା ଦେଖିଲେ ମରାମତି କେବେ କରାଗଲା ବୋଲି ଜଣାପଡ଼ୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ମେଟାଲ ବାହାରି ରାସ୍ତାରେ ଖେଳୁଛି। ବାଟୋଇଙ୍କ ପାଇଁ ଚାଲିବା କଷ୍ଟକର ହୋଇଥିବା ବେଳେ ବାଇକ୍ ଚାଳକମାନେ ସବୁ ସମୟରେ ଦୁର୍ଘଟଣା ଭୟରେ ଯାତାୟାତ କରୁଛନ୍ତି।
ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଅଧପନ୍ତରିଆ କାର୍ଯ୍ୟ: ପୋଖରୀ ଭାବି ପହଁରିଲେ ବତକ
ବର୍ଷା ଦିନରେ ପରିସ୍ଥିତି ଆହୁରି ଦୟନୀୟ ହୋଇ ପଡ଼ୁଥିବାରୁ ଛାତ୍ରଛାତ୍ରୀ, ରୋଗୀ ଓ ଦୈନିକ ଯାତାୟାତକାରୀମାନେ ଭାରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ ଗତ ୫ବର୍ଷ ମଧ୍ୟରେ କେତେବେଳେ ରକ୍ଷଣାବେକ୍ଷଣ କାମ ହୋଇଛି ତାହା ଜଣା ପଡିନାହିଁ। ଏହି ପରିସ୍ଥିତିରେ ରାସ୍ତାଟିକୁ ତୁରନ୍ତ ନୂତନ ଭାବରେ ନିର୍ମାଣ କରି ଯାତାୟାତ ସୁବିଧା ସୁନିଶ୍ଚିତ କରିବାକୁ ଗାମୁଲିବାସୀ ଦାବି କରିଛନ୍ତି।
Follow Us