Cold Waves: ଘୁ.ଉଦୟଗିରିରେ ଶୀତଲହରୀ, ୭ଡିଗ୍ରିରେ ପହଞ୍ଚିଲା ପାରଦ

ଦିନକୁ ଦିନ ପାରଦ ତଳମୁଁହା ହେବାରେ ଲାଗିବା ସହ ପ୍ରବଳ ଥଣ୍ଡା ଏବଂ ଜାଡ଼ରେ କମ୍ପୁଛି ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରି।ଗତକାଲି ପାରଦ ୭.୬ଡିଗ୍ରି ଥିବା ବେଳେ ଆଜି ପୁଣି ଖସି ୭ଡିଗ୍ରିରେ ପହଁଚିଥିବା ରେକର୍ଡ କରିଛି।

Kandhamal

Temperature reduced in Kandhamal district. Photograph: (sambad.in)

ଘୁ.ଉଦୟଗିରି: ଦିନକୁ ଦିନ ପାରଦ ତଳମୁଁହା ହେବାରେ ଲାଗିବା ସହ ପ୍ରବଳ ଥଣ୍ଡା ଏବଂ ଜାଡ଼ରେ କମ୍ପୁଛି ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରି।ଗତକାଲି ପାରଦ ୭.୬ଡିଗ୍ରି ଥିବା ବେଳେ ଆଜି ପୁଣି ଖସି ୭ଡିଗ୍ରିରେ ପହଁଚିଥିବା ରେକର୍ଡ କରିଛି ଆଞ୍ଚଳିକ କୃଷି ଗବେଷଣା ଏବଂ ପରାମର୍ଶ କେନ୍ଦ୍ର। ଶୀତ ସାରା ଅଞ୍ଚଳବାସୀଙ୍କୁ କଲବଲ କରିବାରେ ଲାଗିଛି। ଯେତେ ଶୀତ ବଢୁଛି ସେତେ ପର୍ଯ୍ୟଟକ ଏହି ଅଞ୍ଚଳକୁ ଆସିବାର ସୁଅ ଛୁଟୁଛି। ବିଶେଷ କରି ସ୍ଥାନୀୟ ଅଞ୍ଚଳରେ ଥିବା କାଲିଗାଡୁ ହିଲଟପରେ ସକାଳୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି।

ସଞ୍ଜ ନଇଁଲେ ଥଣ୍ଡାର ରାଜୁତି

କାଲିଗାଡୁ ହିଲଟପ୍‌ରେ ସୂର୍ଯ୍ୟ ଉଦୟ ସହ ପ୍ରବଳ ଥଣ୍ଡା ଜାଡ଼ରେ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠେଇବାରେ ଲାଗିଛନ୍ତି ପର୍ଯ୍ୟଟକ। ସକାଳୁ ସ୍ଥାନୀୟ ସହରର ଯୁବପିଢି ଖେଳ ପଡ଼ିଆରେ ଭିଡ଼ ଜମେଇ ଥଣ୍ଡାରେ ଖେଳିବା ଏବଂ କସରତ କରି ସୁସ୍ଥତା ପାଇଁ ଉଦ୍ୟମ ଜାରି ରଖିଛନ୍ତି।ଅନ୍ୟପଟେ ଥଣ୍ଡାକୁ ସାରା ଅଞ୍ଚଳ କୁହୁଡ଼ିର ଚାଦର ତଳେ ବିଛେଇ ହୋଇ ରହୁଛି। ସଞ୍ଜ ନଇଁଲେ ଥଣ୍ଡା ତାର ରାଜୁତି ଆରମ୍ଭ କରିଥିବା ବେଳେ ରାତି ଯେତେ ବଢୁଛି ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗୁଛି ତା ସହ କୁହୁଡି ବଢ଼ିବାରେ ଲାଗୁଛି। ରାସ୍ତାରେ ଯାନବାହନ ସମସ୍ୟା ବି ଲାଗି ରହୁଛି କୁହୁଡି ଯୋଗୁଁ। ପାଣିପାଗ ବିଭାଗ ସୂଚନା ପ୍ରକାରେ ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ଆହୁରି ପାରଦ ନିମ୍ନକୁ ଖସିବା ସହ ଥଣ୍ଡା ବଢ଼ିବ।

ଶୀତର ପ୍ରକୋବ ବଢ଼ିଲା

ଚଳିତ ବର୍ଷ ବିଳମ୍ବରେ ଶୀତ ଆରମ୍ବ ହୋଇଥିବା ବେଳେ ହଠାତ ପାରଦ କମିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଦିନରେ ସୂର୍ଯ୍ୟଙ୍କ କିରଣକୁ ଭରସା କରୁଥିବା ବେଳେ ସନ୍ଧ୍ୟା ହେଲେ ନିଆଁର ସାହାରା ନେଉଛନ୍ତି। ଗରିବ ଲୋକ ଥଣ୍ଡା ପାଇଁ ଡହଳ ବିକଳ ହେଲେଣି।ଝାଟିମାଟି ଘରେ ଜୀବନ ବିତାଉଥିବା ପରିବାର ରାତିସାରା ନିଆଁ ଲଗେଇ ଶୋଉଥିବା ବେଳେ ସ୍ଥାନିୟ ସହରରେ ବସଷ୍ଟାଣ୍ଡ ନଥିବା ଏବଂ ସହରରେ କୌଣସି ସ୍ଥାନରେ ଯାତ୍ରୀ ବିଶ୍ରାମ ଗୃହ ନଥିବା ଯୋଗୁଁ ବସ ଯାତ୍ରୀମାନେ ରାତିସାରା ବସ୍‌କୁ ଅପେକ୍ଷା କରିବା ନିମନ୍ତେ କାହା ବାରଣ୍ଡାରେ ବସୁଥିବା ବେଳେ କିଛି ଛକଗୁଡ଼ିକରେ ନିଆଁ ଜାଳି ବସୁଥିବା ଦେଖୁବାକୁ ମିଳିଛି।

ଆହୁରି ପଢ଼ନ୍ତୁ: Nuapada Election: ‘ବିରୋଧୀଙ୍କ ଅପପ୍ରଚାର, ମିଥ୍ୟା ପ୍ରତିଶ୍ରୁତି ନୂଆପଡ଼ାବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି’

ରାସ୍ତାଘାଟ ଶୂନଶାନ୍‌

ସକାଳୁ ପ୍ରବଳ କୁହୁଡ଼ି ଯୋଗୁଁ ଭ୍ରମଣରେ ପାଇଁ ଲୋକେ ଘରୁ ବାହାରୁ ନାହାନ୍ତି। ସକାଳୁ ଚାହା ଦୋକାନରେ ଶୀତୁଆ ସକାଳ ଖଟି ବେଶ ଜମୁଛି।ସୂର୍ଯ୍ୟକିରଣ ପଡ଼ିବା ସ୍ଥାନରେ ଲୋକଙ୍କ ଖଟି ଅଧିକ ଦେଖୁବାକୁ ମିଳୁଛି। ସକାଳୁ ପାଣିକୁ ହାତ ଦେଇହଉନି। ପାଣି ଜାଡ଼ି କି ରହୁଛି। ଥଣ୍ଡା ପଡ଼ିବା ପରେ ଗରମ ପାଣି ଭରସାରେ ଲୋକ ଜୀବନ କାଟୁଛନ୍ତି। ଗ୍ରାମାଞ୍ଚଳ ଲୋକ ସନ୍ଧ୍ୟା ହୋଇଗଲେ ଘରେ ରହୁଛନ୍ତି। ସନ୍ଧ୍ୟା ପରେ ଘରୁ ପଦାକୁ ବାହାରିବା କଷ୍ଟ ହୋଇଯାଉଛି ଯେଭଳି ଥଣ୍ଡା ପଡୁଛି ବାହାରକୁ ବାହାରିଲେ ହାତ ଗୋଡ଼ ମୁଣ୍ଡ କାଲ ହୋଇଯାଉଛି। ସଞ୍ଜ ନଇଁଲେ ସହର ରାସ୍ତା ଖାଁ ଖାଁ ଲାଗୁଛି। ଶୂନଶାନ ଲାଗୁଛି ସଡ଼କ, ଦୋକାନ ଓ ବଜାର। ପାଣିପାଗ ବିଭାଗ ସୂଚନାନୁସାରେ ଆଗାମୀ ଦିନରେ ତାପମାତ୍ରା ଆହୁରି ଖସିବା ସହ ଜାଡ଼ ବଢ଼ିବ।

ଆହୁରି ପଢ଼ନ୍ତୁ: BJP Win Nuapada Bye Election: ନୂଆପଡ଼ା: ବିଜେଡ଼ି ହାତରୁ ଖସିଲା, ବିଜେପି ହାତକୁ ଫେରିଲା... 'ପଦ୍ମ' ଫୁଟିବାକୁ ୧୧ ବର୍ଷ ଲାଗିଗଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe