କେନ୍ଦ୍ରାପଡ଼ା/ଭୁବନେଶ୍ବର: ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ଭଳି ତୁଳସୀକ୍ଷେତ୍ରର ଶ୍ରୀବଳଦେବଜୀଉ ପରିକ୍ରମା ପ୍ରକଳ୍ପ ହେବ। ଶ୍ରୀବଳଦେବଜୀଉଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ନିର୍ମାଣ କାମ ଖୁବ୍ ଶୀଘ୍ର ଆରମ୍ଭ ହେବ। ଚଳିତ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ଭିତ୍ତିଭୂମି ବାବଦକୁ ରାଜ୍ୟ ସରକାର ପ୍ରାୟ ୧୦୦କୋଟି ଟଙ୍କାର ବଜେଟ୍ ରଖିଛନ୍ତି। ବଳଦେବଜୀଉ ପରିକ୍ରମା ପ୍ରକଳ୍ପ ନେଇ ଆଜି ସମୀକ୍ଷା ପରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ପରିକ୍ରମା ପ୍ରକଳ୍ପ ଓ ଉନ୍ନତିକରଣ ନିମନ୍ତେ ଆର୍ଥିକ ବଜେଟ ଅଟକଳ ଓ ଡିପିଆର ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଜି ରାଷ୍ଟ୍ରୀୟ ଭାଜପା ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବଳଦେବଜୀଉଙ୍କ ପୀଠର ପରିକ୍ରମା ପ୍ରକଳ୍ପ, ସମ୍ପୂର୍ଣ୍ଣ ଉନ୍ନତିକରଣ, ମନ୍ଦିରର ଭଣ୍ଡାର ଗୃହ, ଭୋଗ ମଣ୍ଡପ ଓ ପୋଖରୀର ସୌନ୍ଦର୍ଯ୍ୟୀକରଣ ବିଷୟରେ ଆଲୋଚ଼ନା ହୋଇଛି।
Focused on preserving heritage while accelerating development, the double engine government in Odisha is moving ahead with the mantra of Vikas Bhi, Virasat Bhi. Reviewed the proposed renovation and beautification of Tulasikshetra Kendrapada’s iconic #BaladevJu Temple along with… pic.twitter.com/sRemIptGfI
— Baijayant Jay Panda (@PandaJay) November 16, 2025
ପୂର୍ବରୁ ହୋଇଛି ଏକାଧିକ ବୈଠକ
ବଳଦେବଜୀଉ ପ୍ରକଳ୍ପ ନେଇ ପୂର୍ବରୁ ୩ରୁ ୪ଥର ବୈଠକ ହୋଇସାରିଛି। ମନ୍ଦିରର ସେବକ, ଟ୍ରଷ୍ଟ ବୋର୍ଡ, ସ୍ଥାନୀୟ ଲୋକ ଏବଂ ଜନ ପ୍ରତିନିଧିଙ୍କ ସହ ମଧ୍ୟ ଆଲୋଚନ ହୋଇଛି। କିନ୍ତୁ ଏହି ପ୍ରକଳ୍ପର ଅଗ୍ରଗତି ମନ୍ଥର ଗତିରେ ଚାଲିଛି, ଯାହା ଖୁବ୍ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଛି। ଏହି ବୈଠକରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସାଦ ନାୟକ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର.ଆୟର, ଦେବୋତ୍ତର କମିସନର ଲଲାଟେନ୍ଦୁ ଜେନାଙ୍କ ସମେତ ଅନ୍ୟ ପ୍ରମୁଖ ଅଧିକାରୀ ଗଣ ଉପସ୍ଥିତ ଥିଲେ।
ବଳଦେବଜୀଉ ମନ୍ଦିର
ଓଡ଼ିଶାର ଐତିହାସିକ କିର୍ତ୍ତୀରାଜିମାନଙ୍କ ଭିତରେ ଅନ୍ୟତମ ହେଉଛି ବଳଦେବଜୀଉ ମନ୍ଦିର। କେନ୍ଦ୍ରାପଡ଼ା ସହରର ୨ କିଲୋମିଟର ଦକ୍ଷିଣ ପଶ୍ଚିମକୁ ଇଚ୍ଛାପୁର ଗାଁର କେନ୍ଦ୍ରରେ ଏହା ଅଷ୍ଟାଦଶ ଶତାବ୍ଦୀରେ ମରାଠା ଶାସନ କାଳରେ ତିଆରି ହୋଇଥିବାର ଅନୁମାନ କରାଯାଏ। ନାଗପୁରର ରଘୁଜୀ ଭୋସଲେ ନାମକ ମରାଠା ଶାସକ ଏହାକୁ ଗଢ଼ିଥିଲେ ବୋଲି କୁହାଯାଏ।ଦୁଇଏକର ୬ ଡ଼େସିମିଲ ପରିମିତ ସ୍ଥାନରେ ଅବସ୍ଥିତ ଏଇ ମନ୍ଦିର ଦୁଇ ଭାଗରେ ବିଭକ୍ତ। ଗୋଟିଏ ପାଖରେ ବିଭିନ୍ନ ମନ୍ଦିର ରହିଛି ଓ ଅନ୍ୟ ପାଖଟି ଉଦ୍ୟାନ। ଏହି ମନ୍ଦିରର ପାଚେରୀ ୧୪ ଫୁଟ ଉଚ୍ଚ। ମନ୍ଦିରର ଅରୁଣସ୍ତମ୍ଭଟି ୪୦ ଫୁଟ ଉଚ୍ଚତା ବିଶୀଷ୍ଟ। ମୁଖ୍ୟ ମନ୍ଦିରର ଉଚ୍ଚତା ୭୫ ଫୁଟ ଓ ଓସାର ୪୦ ଫୁଟ। ପୁରାତନ ସପ୍ତପାବଚ୍ଛ ନିର୍ମାଣଶୈଳୀର ଆଧାରରେ ଏହା ବଉଳମାଳିଆ ପଥର ବ୍ୟବହାର କରି ତିଆରି କରାଯାଇଛି। ମନ୍ଦିରର ଚୂଡ଼ାରେ ରାମାନନ୍ଦୀ ଚିତା, ବ୍ରହ୍ମ ନୀଳଚକ୍ର ରହିଛି ଓ ଏହାର ଶୀର୍ଷରେ ନୀଳଚକ୍ର ବାନା ଉଡୁଛି। ମନ୍ଦିରର ଗର୍ଭଗୃହରେ ଥିବା ରତ୍ନ ସିଂହାସନରେ ତିନି ମୂର୍ତ୍ତୀ (ଶ୍ରୀ ବଳଦେବ ଜୀଉ, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରା) ବିଜେ କରିଛନ୍ତି।
ମନ୍ଦିର ବେଢ଼ାରେ ଅନେକ ମନ୍ଦିର
ମନ୍ଦିର ଭିତରେ ଥିବା ଅନ୍ୟ ମୂର୍ତ୍ତୀମାନେ ହେଲେ ଶ୍ରୀ ଗୋବିନ୍ଦ ଜୀଉ, ମହାଲକ୍ଷ୍ମୀ, ଶ୍ରୀ ସୁଦର୍ଶନ, ଶ୍ରୀ ବାଳଗୋପାଳ ଓ ଶାଳଗ୍ରାମ। ମୁଖ୍ୟ ମନ୍ଦିରଠାରୁ ମଝି ମନ୍ଦିରଟି ଟିକେ ସାନ ଯାହା ପଞ୍ଚ-ପାବଚ୍ଛୀ ନିର୍ମାଣ ଶୈଳୀରେ ଗଠିତ। ଗରୁଡ଼ ସ୍ତମ୍ଭଟି ଜଗମୋହନରେ ରହିଛି। ମନ୍ଦିରର ମୁଖ୍ୟ ଦ୍ୱାରସାମନାରେ ଦୁଇ ପାଖରେ ଗଜକୁ ସିଂହମାଡ଼ିବସିଥିବାର ଦୁଇ ବିଶାଳ ମୂର୍ତ୍ତି ରହିଛି। ଏହା ପରେ ସାତଟି ପବିତ୍ର ପାହାଚକୁ ଅତିକ୍ରମ କଲେ ମୁଖଶାଳାକୁ ପ୍ରବେଶ କରିହୁଏ। ଏଠାରେ ନବଗ୍ରହଙ୍କର ମୂର୍ତ୍ତି ସହିତ ପତିତପାବନ ଓ କ୍ଷେତ୍ର ରକ୍ଷକ ହନୁମାନଙ୍କର ମୂର୍ତ୍ତୀ ରହିଛି। ଏଇ ପବିତ୍ର ସାତଟି ପାହାଚ ଅତିକ୍ରମ କରି ସାମନାକୁ ଦେଖିଲେ ସେଠାରେ ଉପବିଷ୍ଟା ତୁଳସୀ ଦେବୀଙ୍କର ଏକ ସୁନ୍ଦର ମୂର୍ତ୍ତୀ ରହିଛି। ମନ୍ଦିର ବେଢ଼ାରେ ଥିବା ଅନ୍ୟ ପ୍ରମୁଖ ମନ୍ଦିର ଗୁଡ଼ିକ ହେଲେ ଅଷ୍ଟଶମ୍ଭୁ ମନ୍ଦିର, ବୈକୁଣ୍ଠନାଥ ମନ୍ଦିର, କନକ ଦୁର୍ଗା ମନ୍ଦିର, ପାଦପଦ୍ମ ମନ୍ଦିର, ନବଗ୍ରହ ମନ୍ଦିର, ବାସୁଦେବ ମନ୍ଦିର, ଶ୍ରୀଗଣେଶ ମନ୍ଦିର, ରେବତୀ ମନ୍ଦିର, ତୁଳସୀ ମନ୍ଦିର, କଳ୍କୀ ମନ୍ଦିର, ଷଡ଼ଭୁଜ ଗୌରାଙ୍ଗ ମନ୍ଦିର ଓ ଶ୍ରୀରାମ ମନ୍ଦିର। ଝୁଲଣ ଗୃହ, ରତ୍ନଭଣ୍ଡାର, ସ୍ନାନ ମଣ୍ଡପ, ମୁକ୍ତି ମଣ୍ଡପ ଆଦି ଆଉ କିଛି ସଂରଚନା ମଧ୍ୟ ବେଢ଼ା ଭିତରେ ରହିଛି। ଭକ୍ତମାନେ ବସି ପ୍ରସାଦ ସେବନ କରିବା ପାଇଁ ବେଢା ଭିତରେ ଆନନ୍ଦ ବଜାର ରହିଛି।
ଆହୁରି ପଢ଼ନ୍ତୁ: Mother Ninja Technique: ଛୁଆର ଫୋନ ନିଶା ଛଡ଼ାଇବା ପାଇଁ ଚର୍ଚ୍ଚାରେ ମା’ର ଜୁଗାଡ଼
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/16/baladevjew-2025-11-16-15-49-16.jpg)