ବାଂଶପାଳ: କେନ୍ଦୁଝରଜିଲ୍ଲା ବାଂଶପାଳ ବ୍ଲକ ଯାତ୍ରା ନିକଟରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜି ଧାନଗଦି ଗ୍ରାମରେ ହାତୀ ଆକ୍ରମଣରେ ମୃତ ଯୁବକଙ୍କ ଶବଦାହ କରି ଶ୍ବଶୁର ଘର ଲୋକେ ଓ ସମ୍ପର୍କୀୟ ନିଜ ଘରକୁ ଏକ ଅଟୋ ଯୋଗେ ଫେରୁଥିବା ବେଳେ ଅଟୋ ଓଲଟି ପଡ଼ିବାରୁ ଜଣଙ୍କ ମୃତ୍ୟୁ ଘଟିଛି ଓ ୯ ଜଣ ଆହତ ହୋଇଥିବା ଜଣାପଡିଛି। ମୃତକ ନୟାକୋଟ ଥାନା ସୁଣ୍ଡୁରା ଗ୍ରାମର ଅନିଲ ମୁଣ୍ଡା। ଆହତମାନେ ହାଣ୍ଡିଭଙ୍ଗା ଅଞ୍ଚଳର ବୋଲି ଜଣାପଡ଼ିଛି।
ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣାଗ୍ରସ୍ତ
ସୂଚନା ଅନୁସାରେ ଆଜି ଧାନଗଦି ଗ୍ରାମରେ ହାତୀ ଆକ୍ରମଣରେ ମୃତ ଶିବ ମୁଣ୍ଡାଙ୍କ ଘରକୁ ତାଙ୍କ ଶ୍ବଶୁର ଘର ଲୋକେ ଓ ସମ୍ପର୍କୀୟମାନେ ଆସିଥିଲେ। ମେଡିକାଲରୁ ଶବ ବ୍ୟବଚ୍ଛେଦ ହୋଇ ଆସିବା ପରେ ସମସ୍ତେ ଶବଦାହରେ ସାମିଲ ହୋଇଥିଲେ। ସନ୍ଧ୍ୟା ସମୟରେ ନିଜ ଘରକୁ ଫେରୁଥିଲେ। ଏକ ଅଟୋରେ ଫେରୁଥିବା ବେଳେ ଯାତ୍ରା ପଞ୍ଚାୟତ ଅଫିସ ସମ୍ମୁଖରେ ଅଟୋଟି ଭାରସ୍ୟମ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ଫଳରେ ଘଟଣା ସ୍ଥଳରେ ଜଣେ ଗୁରୁତର ହେବା ସହ ଅଟୋରେ ବସି ଥିବା ଅନ୍ୟ ୯ ଜଣ ଯାତ୍ରୀ ଆହତ ହେଇଥିଲେ। ସମସ୍ତଙ୍କୁ ସ୍ଥାନୀୟ ଲୋକେ ଓ ନୟାକୋଟ ପୁଲିସ ଉଦ୍ଧାର କରି ବାଂଶପାଳ ମେଡିକାଲରେ ଭର୍ତ୍ତି କରିଥିଲେ।
ଆହୁରି ପଢ଼ନ୍ତୁ: Three Dead In Water: ପାଣି ଭିତରେ ଗଲା ଦୁଇ ନାବାଳକଙ୍କ ସମେତ ତିନି ଜୀବନ, ଏମିତି ଥିଲା କାରଣ
ହସ୍ପିଟାଲରେ ଅନିଲ ମୃତ, ୯ଜଣଙ୍କ ଚିକିତ୍ସା ଜାରି
ତେବେ ଗୁରୁତର ହୋଇଥିବା ହାତୀ ଆକ୍ରମଣରେ ମୃତ ଶିବଙ୍କ ସମ୍ପର୍କୀୟ ମାମୁଁ ଅନିଲ ମୁଣ୍ଡା ମେଡିକାଲରେ ମୃତ୍ୟୁ ବରଣ କରିଥିଲେ। ଅନ୍ୟ ୯ ଜଣ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଘଟଣା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ନୟାକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ଆହୁରି ପଢ଼ନ୍ତୁ: IndiGo Flights Emergency Landing: ମଝି ଆକାଶରେ ଇନ୍ଧନ ଲିକ୍, ଅଘଟଣ ପୂର୍ବରୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ
ହାତୀ ଆକ୍ରମଣରେ ଯୁବ ଚାଷୀଙ୍କ ମୃତ୍ୟୁ
ସୂଚନାଯୋଗ୍ୟ, ଶିବ ମୁଣ୍ଡା (୨୩) ଗତକାଲି ରାତିରେ ଧାନ ଫସଲ ଜଗିବାକୁ ଯାଇଥିଲେ। ତାଙ୍କ ସହିତ ଗାଁର ଅନ୍ୟ ଲୋକମାନେ ମଧ୍ୟ ଥିଲେ। ରାତି ପ୍ରାୟ ୧୨ଟା ବେଳକୁ ୨୩ଟିକିଆ ହାତୀପଲ (୪ଦନ୍ତା ସାମିଲ) ଧାନ ଖେତକୁ ଆସିଥିଲେ। ସେଠାରେ ଉପସ୍ଥିତ ଥିବା ଲୋକେ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲେ। ଏହି ସମୟରେ ଏକ ଦନ୍ତାହାତୀ ଉଗ୍ରରୂପ ଧାରଣ କରିଥିଲା ଏବଂ ଶିବ ମୁଣ୍ଡାଙ୍କୁ ଶୁଣ୍ଢରେ ଟେକି ଖେତ ନିକଟ ନଦୀରେ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ସମୟରେ ଶିବଙ୍କ ସହିତ ଥିବା ସନ୍ତୋଷ ମୁଣ୍ଡା ଗଛକୁ ଚଢ଼ି ଜୀବନ ବଞ୍ଚାଇଥିବା ବେଳେ ରତ୍ନା ମୁଣ୍ଡା ଖାଲରେ ଲୁଚି ଯାଇଥିଲେ। ଶିବ ମୁଣ୍ଡା ପ୍ରାୟ ୧୦ ମାସ ତଳେ ବିବାହ କରିଥିଲେ। ତାଙ୍କର ପରିବାରରେ ସ୍ତ୍ରୀ ଓ ଛୋଟ ଶିଶୁ (୨୧ ଦିନରୁ କମ) ଅଛନ୍ତି।