ରାହାମା/ଝରିଗାଁ: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପାଣିରେ ବୁଡ଼ି ତିନି ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଦୁଇ ଜଣ ଯୁବକ ଏବଂ ଜଣେ ବୃଦ୍ଧ ଅଛନ୍ତି। ଗାଧୋଇବା ବେଳେ ନଦୀରେ ବୁଡ଼ି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପୋଖରୀରେ ବୁଡ଼ି ଜଣେ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଜଗତସିଂହପୁରଜିଲ୍ଲା ରାହାମା ଏବଂ ନବରଂଗପୁର ଜିଲ୍ଲା ଝରିଗାଁରେ ଏହି ଅଘଟଣ ଘଟିଛି।
ନଦୀରେ ବୁଡ଼ିଗଲେ ୨ ନାବାଳକ
ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା କୃଷ୍ଣାନନ୍ଦପୁର ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଦିନ ୧୨ଟା ସମୟରେ ଷଣ୍ଡମଣ୍ଡପ କେଉଟସାହିର ୬ ଜଣ ନାବାଳକ ପାଇକା ନଦୀରେ ଗାଧୋଉ ଥିବା ବେଳେ ପ୍ରଖର ଜଳସ୍ରୋତରେ ୩ଜଣ ଭାସି ଯାଇଥିଲେ। ଘଟଣାସ୍ଥଳରେ କୃଷ୍ଣାନନ୍ଦପୁର ପୁଲିସ ଓ ତିର୍ତ୍ତୋଲ, ରଘୁନାଥପୁର ଅଗ୍ନିଶମ ଅଧିକାରୀ, ଓଡ୍ରାଫ ଟିମ ପହଞ୍ଚି ୨ଟି ବୋଟ ସାହାଯ୍ୟରେ ଖୋଜାଖୋଜି କରିଛନ୍ତି। ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି ପରେ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି। ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ହେଲେ ଶିଶର ବେହେରା (୧୨) ଓ ଅମନଜିତ ମଲ୍ଲିକ (୧୩)। ସୌରଭ ମଲ୍ଲିକ (୧୩) ନିଖୋଜ ଅଛନ୍ତି। ରାତ୍ରି ହେବାରୁ ଉଦ୍ଧାର କାର୍ଯ୍ୟ ବାଧା ପ୍ରାପ୍ତ ହେଇଛି। ଏନେଇ କୃଷ୍ଣାନନ୍ଦ ପୁର ଥାନାରେ ଅପମୁତ୍ୟୁ ମାମଲା କେଶ ନମ୍ବର ୩/୨୫ ରୁଜୁ କରାଯାଇଛି।
ଆହୁରି ପଢ଼ନ୍ତୁ: Snake Inside Bike: ବାହାରେ ରଖୁଥିବା ଜିନିଷକୁ ସାବଧାନତାର ସହ ବ୍ୟବହାର କରନ୍ତୁ; ସର୍ପ ଦଂଶନରୁ ରକ୍ଷା ପାଆନ୍ତୁ
ମହୁମାଛି ଭୟରେ ପୋଖରିରେ ବୁଡ଼ି ମଲେ
ନବରଂଗପୁର ଜିଲ୍ଲା ବାରବାକୁଳି ଗ୍ରାମର ପଦୁ ସାନ୍ତା(୫୫) କୌଣସି ଏକ କାମରେ ଫୁଫୁଗାଁ ଯାଇଥିଲେ। ସେଠାରେ କାମ ସାରିବା ପରେ ସନ୍ଧ୍ୟା ସମୟରେ ନିଜ ଘରକୁ ଫେରୁଥିଲେ। ଘରକୁ ଫେରିବା ସମୟରେ ବାରବାକୁଳି ଗ୍ରାମ ଠାରୁ ଏକ କିଲୋମିଟର ଦୂରରେ ଥିବା ଜଙ୍ଗଲ ନିକଟରେ ହଠାତ ପଦୁ ସାନ୍ତାଙ୍କୁ ମହୁମାଛି ଆକ୍ରମଣ କରିଥିଲେ। ମହୁମାଛିଙ୍କ ଆକ୍ରମଣରୁ ବଞ୍ଚିବା ପାଇଁ ପଦୁ ନିକଟରେ ଥିବା ପୋଖରୀ ଭିତରକୁ ପଶି ଯାଇଥିଲେ। ତେବେ ସେହି ପୋଖରୀ ଭିତରୁ ଆଉ ବାହାରକୁ ବାହାରି ପାରି ନଥିଲେ। ଦୀର୍ଘ ସମୟ ପରେ ପଦୁଙ୍କ ନାତି ପ୍ରଦୀପ ସାନ୍ତା ସେହି ରାସ୍ତା ଦେଇ ଯାଉଥିବା ବେଳେ ଅଜାଙ୍କ ମୃତ ଶରୀର ପାଣିରେ ଭାସୁଥିବା ଦେଖିଥିଲେ। ପରେ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ଝରିଗାଁ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ଶବ ବାହାର କରିଥିବା ବେଳେ ଝରିଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇଛି।
ଆହୁରି ପଢ଼ନ୍ତୁ: Biggest drop in gold prices:ମାତ୍ର ୬ ମିନିଟରେ ୭,୭୦୦ ଟଙ୍କା କମିଲା ସୁନା ଦର
ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା
ଆସନ୍ତାକାଲି ପଦୁଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଘଟଣା ସମ୍ପର୍କରେ ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେହିପରି ଷଣ୍ଡମଣ୍ଡପ କେଉଟସାହିରେ ମଧ୍ୟ ଶୋକାକୁଳ ପରିବେଶ ଦେଖାଯାଇଛି।