ଭୁବନେଶ୍ବର: ଆଜିକାଲି ପରିସ୍ଥିତି ଯେମିତି ହେଲାଣି ମଣିଷକୁ ପ୍ରତ୍ୟେକ ମୁହୂର୍ତ୍ତରେ ସତର୍କ ରହିବାକୁ ହେବ। ଅନେକ ସମୟରେ ଆମେ ବାହାରେ ଜୋତା, ଚପଲ ହେଲମଟ ଓ ବାଇକ ଆଦି ରଖିଥାଉ। ବାହାରେ ଜିନିଷ ରଖିବା ଦ୍ବାରା ବେଳେବେଳେ ହଇରାଣ ହେବାକୁ ପଡ଼ିଥାଏ। ବିଷାକ୍ତ ଜୀବଜନ୍ତୁ ଏହାରି ଉପରେ ଅକ୍ତିଆର ମଧ୍ୟ କରିଥାନ୍ତି।
ବିପଦରେ ପଡ଼ିପାରେ ଜୀବନ
ଆପଣମାନଙ୍କୁ ଅନୁରୋଧ ବାହାରେ ରଖୁଥିବା ଜିନିଷ ବ୍ୟବହାର କରିବା ପୂର୍ବରୁ ନିଶ୍ଚିତ ଭାବେ ସତର୍କତା ଅବଲମ୍ବନ କରନ୍ତୁ। କାରଣ ଅନେକ ସମୟରେ ବାହାରେ ଥିବା ଜୋତା, ଚପଲ, ହେଲମଟ ଓ ବାଇକ ଆଦିରେ କଙ୍କଡ଼ାବିଛା, ବିଛା, ସାପ ଭଳି ବିଷାକ୍ତ ଜନ୍ତୁ ଆସି ରହିଯାଇଥାଆନ୍ତି।ଏଭଳି ପରିସ୍ଥିତିରେ ଆମେ ଯଦି ସତର୍କତା ଅବଲମ୍ବନ କରିବା ନାହିଁ ତେବେ ନିଶ୍ଚିତ ଭାବେ ଏମାନଙ୍କ ଦଂଶନର ଶିକାର ହେବା। ଆଉ ଆମର ଜୀବନ ବିପଦରେ ପଡ଼ିପାରେ। ତେଣୁ ସାବଧାନ ହେବା ଏସବୁ ବିଷାକ୍ତ ଜନ୍ତୁ ଦଂଶନରୁ ନିଜକୁ ରକ୍ଷା କରିବା।
ଅଧିକପଢ଼ନ୍ତୁ:ମଝି ଆକାଶରେ ଇନ୍ଧନ ଲିକ୍, ଅଘଟଣ ପୂର୍ବରୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ
ବାଇକ୍ ଭିତରେ ସାପ
ଫଟୋେରେ ଆପଣମାନେ ସ୍ପଷ୍ଟ ଭାବେ ଦେଖିପାରୁଥିବେ କଳା-ଲାଲ ରଙ୍ଗର ଏକ ବାଇକ ଘର ବାହାରେ ଛିଡ଼ା ହୋଇଛି। ଏହି ବାଇକଟି ଭୁବନେଶ୍ବରର ଚକେଇସିହାଣୀ ନିବାସୀ ବୀରେନ୍ଦ୍ର ସାହୁଙ୍କର ଅଟେ। ବୀରେନ୍ଦ୍ରଙ୍କ କହିବାନୁସାରେ, ଆଜି ଅପରାହ୍ଣ ପ୍ରାୟ ୨ଟାରେ ସେ ଅଫିସ ଯିବାକୁ ବାହାରୁଥିବା ବେଳେ ହଠାତ ତାଙ୍କୁ ବାଇକ ସିଟ ତଳେ କିଛିଗୋଟେ ହଲଚଲ ହେଉଥିବା ଦେଖିବାକୁ ମିଳିଥିଲା। ସେ ଭୟଭୀତ ହୋଇ ବାଇକ୍ ଠାରୁ ଦୂରେଇ ଯାଇଥିଲେ। ଏହାପରେ ସେ ବାଇକ ସିଟ ତଳେ ଏକ ସାପ ଥିବା ଦେଖିବାକୁ ପାଇଥିଲେ। ବାଇକ୍ର ସିଟ୍ ତଳେ ସାପଟି ସନ୍ଧ୍ୟା ପର୍ଯ୍ୟନ୍ତ ଥିଲା। ବାଇକ୍ରେ ପାଣି ଛିଞ୍ଚଣ କଲା ପରେ ମଧ୍ୟ ବାଇକ୍ ଭିତରୁ ସାପ ବାହାରକୁ ଗଲା ନାହିଁ। ଗାଡ଼ିକୁ ସତର୍କତାର ସହିତ ଷ୍ଟାର୍ଟ କଲେ। ତଥାପି ସାପଟି ବାହାରକୁ ଆସିଲା ନାହିଁ।
ସ୍ନେକ୍ ହେଲ୍ପଲାଇନ୍ର ପରାମର୍ଶ
ସ୍ନେକ୍ ହେଲ୍ପଲାଇନ୍ର ସଦସ୍ୟ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଗାଡ଼ି ଭିତରେ ଯଦି କୌଣସି ସାପ ବା ଅନ୍ୟ ବିଷାକ୍ତ ପ୍ରାଣୀ ଅଛନ୍ତି, ତାହେଲେ ଅସରପା ପାଇଁ ବ୍ୟବହାର ହେଉଥିବା ସ୍ପେ ବ୍ୟବହାର କରନ୍ତୁ। ଏହାର ଦୁର୍ଗନ୍ଧ ଏତେ ଭୟଙ୍କର ଯେ, ଗାଡ଼ି ଭିତରେ ସାପ ରହିପାରିବ ନାହିଁ। ମାତ୍ର ୫ ମିନିଟ୍ ଭିତରେ ଏହା ପଳାୟନ କରିବ।
ଥରେ ଭାବି ଦେଖନ୍ତୁ ତ ବୀରେନ୍ଦ୍ର ବାବୁ ଯଦି ସାବଧାନ ନହୋଇ ବାଇକରେ ବସି ପଡ଼ିଥାଆନ୍ତେ ତେବେ କ’ଣ ହୋଇଥାଆନ୍ତା। ତେଣୁ ବାହାରେ ରଖିଥିବା ଜିନିଷ ବ୍ୟବହାର ପୂର୍ବରୁ ତାହାକୁ ଭଲଭାବେ ତନଖି ନେବା ଜରୁରୀ।
ଅଧିକପଢ଼ନ୍ତୁ:ହୃଦ୍ଘାତର ଲକ୍ଷଣ ଗୋଡ଼ରେ ଦେଖାଯାଏ, ୯୯% ଲୋକ ଏହାକୁ ଅଣଦେଖା କରିଥାନ୍ତି
Snake Inside Bike