ବାଲୁଗାଁ (ଟୁଟୁ ପଟ୍ଟନାୟକ): ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଓ ବାଲୁଗାଁ ବନ୍ୟପ୍ରାଣୀ ବିଭାଗର ମିଳିତ ଉଦ୍ୟମରେ ଚିଲିକା ଏବଂ ପକ୍ଷୀ ଅଭୟାରଣ୍ୟ ନଳବଣରେ ଚଳିତ ବର୍ଷ ପକ୍ଷୀ ଗଣନା ରବିବାର ସମାପ୍ତ ହୋଇଛି। ଚଳିତ ବର୍ଷ ପ୍ରକାଶିତ ଗଣନା ରିପୋର୍ଟ ଅନୁସାରେ ସମଗ୍ର ଚିଲିକାରେ ୧୯୬ ପ୍ରଜାତିର ୧୧ ଲକ୍ଷ ୩୨ ହଜାର ୨୦୦ଟି ପକ୍ଷୀଙ୍କ ସମାଗମ ହୋଇଛି। କେବଳ ପକ୍ଷୀ ଅଭୟାରଣ୍ୟ ନଳବଣରେ ୧୦୬ ପ୍ରଜାତିର ୩ ଲକ୍ଷ ୯୭ ହଜାର ୫୮୭ଟି ପକ୍ଷୀ ଥିବା ସଦ୍ୟ ସମାପ୍ତ ପକ୍ଷୀ ଗଣନାରୁ ଜଣାପଡିଛି।
ଗତବର୍ଷ ସମଗ୍ର ଚିଲିକାରେ ୧୧ ଲକ୍ଷ ୨୭ହଜାର ୨୨୮ଟି ପକ୍ଷୀମାନଙ୍କ ସମାଗମ ହୋଇଥିବା ବେଳେ ପକ୍ଷୀ ଅଭୟାରଣ୍ୟ ନଳବଣରେ ୩ଲକ୍ଷ ୪୩ହଜାର ୨୩୬ଟି ପକ୍ଷୀଙ୍କ ସମାଗମ ହୋଇଥିଲା। ଗତବର୍ଷ ଠାରୁ ଚଳିତ ବର୍ଷ ୫୪ ହଜାର ୩୬୧ ପକ୍ଷୀଙ୍କ ସଂଖ୍ୟା ଅଧିକ ହୋଇଛି। ସେଥି ମଧ୍ୟରୁ ବିଦେଶୀ ୧୦୬ ପ୍ରଜାତିର ୧୧ ଲକ୍ଷ ୧୦ ହଜାର ୨୫୭ଟି ପକ୍ଷୀ ଥିବା ବେଳେ ଦେଶୀୟ ପକ୍ଷୀ ୯୦ ପ୍ରଜାତିର ୨୧ ହଜାର ୯୪୩ଟି ଥିବା ଜଣାପଡିଛି। ସବୁଠାରୁ ସୁନ୍ଦର ଓ ଆକର୍ଷଣୀୟ ପକ୍ଷୀ ଫ୍ଲେମିଙ୍ଗଙ୍କ ସଂଖ୍ୟା ୧୮ ଶହ ଥିବା ରିପୋର୍ଟରୁ ଜଣାପଡିଛି। ୧୫.୫୩ ବର୍ଗ କିଲୋମିଟର ପରିବ୍ୟାପ୍ତ ପକ୍ଷୀ ଅଭୟାରଣ୍ୟ ନଳବଣରେ ଚଳିତବର୍ଷ ୧୦୬ ପ୍ରଜାତିର ୩ ଲକ୍ଷ ୯୭ ହଜାର ୫୮୬ଟି ପକ୍ଷୀଙ୍କ ସମାଗମ ହୋଇଥିବା ବେଳେ ଗତ ୨୦୨୪/୨୫ରେ ୩ଲକ୍ଷ ୪୩ହଜାର ୨୩୬ଟି ସମାଗମ ହୋଇଥିଲା। ଅର୍ଥାତ ସମଗ୍ର ଚିଲିକାରେ ୪ ହଜାର ୯ଶହ ୭୨ଟି ଅଧିକ ପକ୍ଷୀ ସଂଖ୍ୟା ଜଣାଯାଇଛି।
ସର୍ବାଧିକ ନର୍ଦ୍ଡନ ପ୍ରିଣ୍ଟଲ
ପକ୍ଷୀ ଗଣନା ଅନୁସାରେ ସମଗ୍ର ଚିଲିକାରେ ବିଦେଶୀ ପକ୍ଷୀଙ୍କ ମଧ୍ୟରେ ସର୍ବାଧିକ ନର୍ଦ୍ଡନ ପ୍ରିଣ୍ଟଲ ୨ଲକ୍ଷ ୧୮ ହଜାର ୯୯୩ଟି, ୟୁରାସିୟମ ୟୁଜିଅନ ୧ ଲକ୍ଷ ୫୩ ହଜାର ୩୧୮ଟି ଥିବା ବେଳେ ଗଡ଼ୱାଲ ୧ ଲକ୍ଷ ୪୩ହଜାର ୧୨୭ଟି ପକ୍ଷୀ ଥିବା ସଦ୍ୟ ସମାପ୍ତ ଗଣନାରୁ ଜଣାପଡ଼ିଛି। ସର୍ବାଧିକ ସଂଖ୍ୟାରେ ବାଲୁଗାଁ ରେଞ୍ଜ ଅନ୍ତର୍ଗତ ନଳବଣରେ ପକ୍ଷୀଙ୍କୁ ଚିନ୍ହଟ କରାଯାଇ ଥିବା ବେଳେ ଦ୍ୱିତୀୟରେ ଟାଙ୍ଗି ରେଞ୍ଜର ମଙ୍ଗଳାଯୋଡି, ଭୂଷଣ୍ଡପୁର ଏବଂ ସର୍ବନିମ୍ନ ରମ୍ଭା ରେଞ୍ଜରେ ପକ୍ଷୀ ମାନଙ୍କୁ ଚିନ୍ହଟ କରାଯାଇଛି। ବାଲୁଗାଁ ବନ୍ୟପ୍ରାଣୀ ଅଧିନସ୍ଥ ୫ଟି ରେଞ୍ଜ ଚିଲିକା, ବାଲୁଗାଁ, ଟାଙ୍ଗି, ସାତପଡ଼ା ଓ ରମ୍ଭା ରେଞ୍ଜର ଅଞ୍ଚଳରେ ୨୨ଟି ଜୋନରେ ବିଭକ୍ତ ହୋଇ ୧୩୦ଜଣ ଗଣନାକାରୀ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।
ଆହୁରି ପଢ଼ନ୍ତୁ: Hockey India League: ହକି ଇଣ୍ଡିଆ ଲିଗ୍: ବେଙ୍ଗଲ ଟାଇଗର୍ସର ରୋମାଞ୍ଚକର ବିଜୟ
ପକ୍ଷୀ ଗଣନାରେ ଛାତ୍ରଛାତ୍ରୀ ସାମିଲ
ସଡ଼କ ପଥରେ ୨ଟି ଜୋନ ଓ ଜଳ ପଥରେ ୨୦ଟି ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ରବିବାର ସକାଳ ୬ଟାରୁ ମଧ୍ୟାନ୍ହ ୨ଟା ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ହୋଇଥିଲା। ପକ୍ଷୀମାନଙ୍କ ଫଳାଫଳ ପାଇଁ ବମ୍ବେ ନାଚୁରାଲ ପିସିସିଏଫ ସତ୍ୟା ସାଲଭାମ, ଗବେଷକ ତଥା ଅବସରପ୍ରାପ୍ତ ଆଇଏଫଏସ ବିକାଶ ଦାଶ ,ଡିଏଫଓ ଅମ୍ଳାନ ନାୟକ, ଏସିଏଫ ସୌମ୍ୟ ରଞ୍ଜନ ସାହୁ, ରେଞ୍ଜର ରଶ୍ମିତା ଜେନା ପ୍ରମୁଖଙ୍କ ସମେତ ସିଡିଏର କର୍ତ୍ତୃପକ୍ଷ, ଓୟୁଏଟି, ୱାଇଲଡ଼ ଓଡ଼ିଶା ଓ ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ପାଣିପାଗକୁ ଜଳସ୍ଥର ବୃଦ୍ଧି ଥିବା ଆଗରେ ରଖି ଚଳିତବର୍ଷ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବେଶି ହୋଇଥିବା ବିଭାଗୀୟ ଅଧିକାରୀ ମାନେ ମତ ଦେଇଛନ୍ତି।
ଆହୁରି ପଢ଼ନ୍ତୁ: Care Ratings: ଭାରତର ଅଭିବୃଦ୍ଧି ୭% ହେବ: କେୟାର ରେଟିଂସ୍
Follow Us