ଖୋର୍ଦ୍ଧା (ବିକାଶ ଚନ୍ଦ୍ର ସାହୁ): ବହୁ ଘଣ୍ଟାଚକଟା ପରେ ଖୋର୍ଦ୍ଧା ପିଏମ୍ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ବିସ୍ଫୋରକ ରୂପ ନେଇଥିବା ଜଣ୍ଡିସ୍ର କାରଣ ପଦାକୁ ଆସିଛି। ପୂରା ବିଦ୍ୟାଳୟକୁ ଯେଉଁଠାରୁ ଜଳଯୋଗାଣ ହେଉଥିଲା, ସେହି ଓଭରହେଡ୍ ଟାଙ୍କିରୁ ଜଣ୍ଡିସ୍ ଭୂତାଣୁ ଚିହ୍ନଟ କରାଯାଇଛି। କେବଳ ସେତିକି ନୁହେଁ। ଖୋଦ୍ ରୋଷେଇଶାଳାରୁ ବି ଏହି ଭୂତାଣୁ ଚିହ୍ନଟ ହୋଇଛି ବୋଲି ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରଞ୍ଜନ କୁମାର ମିତ୍ର ‘ସମ୍ବାଦ’କୁ ସୂଚନା ଦେଇଛନ୍ତି। ଓଭରହେଡ୍ ଟାଙ୍କିରୁ ଆରମ୍ଭ କରି ଭୂତାଣୁ ରୋଷେଇଶାଳା ଯାଏ ପହଞ୍ଚି ୮୦ରୁ ଅଧିକ ପିଲାଙ୍କୁ ଜଣ୍ଡିସ୍ ଆକ୍ରାନ୍ତ କରି ଚାଲିଥିଲା, ଅଥଚ ବିଦ୍ୟାଳୟ କର୍ତୃପକ୍ଷ ଏହାକୁ ଜାଣି ପାରୁନଥିଲେ କେମିତି? ପୂର୍ବରୁ ବିଦ୍ୟାଳୟ କର୍ତୃପକ୍ଷ କି’ ପ୍ରକାର ଜଳ ନମୁନା ପରୀକ୍ଷଣ କରୁଥିଲେ? ବୋଲି ଅଭିଭାବକ ମହଲ ପ୍ରଶ୍ନ କରିଛନ୍ତି।
ସୂଚନା ମୁତାବକ, ପ୍ରାୟ ଅଢ଼େଇ ମାସ ତଳୁ ନବୋଦୟ କ୍ୟାମ୍ପସ୍ରେ ଜଣ୍ଡିସ୍ ଆକ୍ରାମକ ରୂପ ନେଇ ସାରିଥିଲା। ଗୋଟିଏ ଯୋଡିଏରୁ ଆରମ୍ଭ କରି ୧୦/୨୦ ପିଲାଙ୍କୁ ଧୀରେଧୀରେ ଜଣ୍ଡିସ୍ ଆକ୍ରମଣ କରି ଚାଲିଥିଲା। କିନ୍ତୁ, ବିଦ୍ୟାଳୟ କର୍ତୃପକ୍ଷ ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କଲେ ନାହିଁ। କ୍ୟାମ୍ପସ୍ ଭିତରେ ପ୍ରାୟ ୧୨ରୁ ଅଧିକ ପାଣି ଟାଙ୍କି, ଓଭରହେଡ଼୍ ଟାଙ୍କି ଓ ସମ୍ପ୍ ରହିଛି। ନିୟମ ଥିଲା, କିଛି ମାସର ବ୍ୟବଧାନରେ ବିଦ୍ୟାଳୟର ସବୁ ଟାଙ୍କି ସଫେଇ ହେବ। ସେଥିରେ ବ୍ଲିଚିଂ ପାଉଡ଼ର ପଡ଼ିବ। ଜଳ ନମୁନା ବି ପରୀକ୍ଷଣ ହେବ। ବିଦ୍ୟାଳୟ କର୍ତ୍ତୃପକ୍ଷ ବି ନିୟମ ଅନୁସାରେ ଟାଙ୍କି ସଫେଇ କରୁଥିଲେ ବୋଲି ଜଣ୍ଡିସ୍ ଚିହ୍ନଟ ହେଲା ପରେ ସଫେଇ ଦେଇ ଚାଲିଥିଲେ। କିନ୍ତୁ, ସତ ପଦାକୁ ଆସୁନଥିଲା। ନିୟମିତ ବ୍ୟବଧାନରେ ବିଦ୍ୟାଳୟ କର୍ତୃପକ୍ଷ ସଫେଇ କରୁଥିଲେ କି’ ନାହିଁ, ସେନେଇ ମଧ୍ୟ ଅଭିଭାବକ ମହଲରେ ସନ୍ଦେହ ଉପୁଜିଛି।
ଆହୁରି ପଢ଼ନ୍ତୁ: Identify Medicines By Rapper: ପ୍ୟାକେଜିଂରେ ହେବ ପରିବର୍ତ୍ତନ, ନିଜେ ଚିହ୍ନିପାରିବେ କେଉଁ ଆଣ୍ଟିବାୟୋଟିକ୍ ଖାଇବେ...
ପ୍ରଶାସନିକ ଅବହେଳା!
କିନ୍ତୁ, ଘଟଣା ନେଡ଼ି ଗୁଡ଼ କହୁଣୀକୁ ବହିଗଲା ପରେ ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ କାନକୁ ଗଲା ସପ୍ତାହରେ କଥା ଯାଇଥିଲା। ଜିଲ୍ଲା ପ୍ରଶାସନ ଘଣ୍ଟାଚକଟା କରି ପୂରା କ୍ୟାମ୍ପସ୍ର ପାଞ୍ଚ ପାଞ୍ଚଟା ଜାଗାରୁ ଜଳ ନମୁନା ସଂଗ୍ରହ କରି ଲାବୋଟାରିକୁ ପଠାଇଥିଲା। ସେହି ପାଞ୍ଚ ନମୁନା ମଧ୍ୟରୁ ଦୁଇ ଗୋଟି ନମୁନା ପଜିଟିଭ୍ ଆସିଛି ବୋଲି ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମିତ୍ର ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ: Trump will be removed from power: ଟ୍ରମ୍ପ୍ ହେବେ କ୍ଷମତାଚ୍ୟୁତ!, ନିଜ ଦେଶରେ ବିରୋଧର ସମ୍ମୁଖୀନ
୫୬୦ ପିଲା ଘରମୁହାଁ
ଅନ୍ୟପକ୍ଷରେ ସ୍କୁଲ କର୍ତୃପକ୍ଷଙ୍କର ନିର୍ଦ୍ଦେଶନାମା ପରେ ୫୬୦ଜଣ ପିଲା ଏବେ ଘର ମୁହାଁ ହୋଇଛନ୍ତି। ସବୁ ଅଭିଭାବକ ନିଜ ନିଜ ପିଲାଙ୍କୁ ନେଇ ଘରକୁ କେବଳ ପଳାୟନ କରି ନାହାନ୍ତି, ବରଂ ପିଲାଙ୍କ ଦେହରେ ଏ ଭୂତାଣୁ ଅଛି କି’ ନାହିଁ, ତାହା ମଧ୍ୟ ପରୀକ୍ଷଣ କରିବା ଆରମ୍ଭ କରିଛନ୍ତି। ସେହି ଅନୁସାରେ, କିଛି କିଛି ପିଲାଙ୍କ ଦେହରେ ଏ ଭୂତାଣୁ ଚିହ୍ନଟ ହେବା ବି ଆରମ୍ଭ କରିଛି। ତେଣୁ, ମୋଟ୍ ଉପରେ କହିବାକୁ ଗଲେ, ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।
Follow Us