ପଟ୍ଟାଙ୍ଗି (ପ୍ରଶାନ୍ତ ଦାଶ): କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି ବ୍ଲକର କୋଟିଆ ପିଛା ଛାଡ଼ୁନି ଆନ୍ଧ୍ର। ଜୋର ଜବରଦସ୍ତ ଅନୁପ୍ରବେଶ ଜାରି ରଖିବା ସହିତ ସୀମାନ୍ତରେ ଆନ୍ଧ୍ର ଅଧିକାରୀ ପହଁଚି ବିଭିନ୍ନ ବୈଠକ କରି କୋଟିଆବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି। କୋଟିଆ ପଞ୍ଚାୟତର ସୀମାନ୍ତ ଲୋକଙ୍କୁ ନେଇ ଓଡିଶା ଏବଂ ପଡୋଶୀ ଆନ୍ଧ୍ର ଯେପରି ଘନଘନ ବୈଠକ କରି ଲୋକଙ୍କୁ ଆପଣେଇବା ପାଇଁ ଜୋରସୋରରେ ଲାଗିପଡିଛନ୍ତି। ଫଳରେ ସୀମାନ୍ତବାସୀ ଏକ ପ୍ରକାର ପେଶି ହୋଇ ଗଲେଣି। ଆଜି ପୁଣି କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମ ମଝିରେ ରହିଥିବା ଆନ୍ଧ୍ରର ପିଆଇଟିଡିଏ ବିଭାଗ ପକ୍ଷରୁ ନିର୍ମାଣ ଗୃହର ବାରଣ୍ଡା ପରିସରରେ ଗ୍ରାମବାସୀଙ୍କୁ ନେଇ ଆରମ୍ଭ କରିଥିଲେ ବୈଠକ।
ସୂଚନା ଅନୁଯାଇ ଆନ୍ଧ୍ର ରାଜ୍ୟର ପାର୍ବତୀପୁରମ୍ ଓ ମାନ୍ୟାମ୍ ଜିଲ୍ଲା ଅଧିନରେ ରହିଥିବା ସାଲୁର ବ୍ଲକ୍ ରେ ଥିବା ଜିସିସି ବିଭାଗର ସିଏଚ୍ ରାମୁଲୁଙ୍କ ସହ ଅନ୍ୟ କର୍ମଚାରୀ ଉକ୍ତ ସୀମାନ୍ତ ଗ୍ରାମରେ ପହଞ୍ଚି ଲୋକଙ୍କୁ ଏକାଠି କରି ଗ୍ରାମରେ ହେଉଥିବା ଆମଦାନୀ ଯଥା ବିରି, ଅଳସୀ ପରି ଶଶ୍ୟକୁ କିପରି ସୁଲଭ ମୂଲ୍ୟରେ ବିକ୍ରି କରି ରୋଜଗାରକ୍ଷମ ହୋଇ ପାରିବ ସେନେଇ ନିଜ ରାଜ୍ୟରେ ରହିଥିବା ସରକାରୀ ଦରରେ ବିକ୍ରି କରିବା ପାଇଁ ବୁଝାଇଥିଲେ। ଏହିପରି କି କୋଟିଆ ପଞ୍ଚାୟତରେ ପ୍ରତ୍ୟେକ ଗ୍ରାମ ପାହାଡିଆ ଅଞ୍ଚଳରେ ଅବସ୍ତିତ ଏବଂ ପାହାଡ଼ରେ ପ୍ରଚୁର ପରିମାଣରେ ରହିଥିବା ତେନ୍ତୁଳି ଗଛରୁ କିପରି ତେନ୍ତୁଳି ଅମଳ କରି ଆନ୍ଧ୍ର ସରକାର କିଣିବେ ଓ ଚାଷୀ ବିକ୍ରି କରି ଲାଭବାନ ହୋଇ ପାରିବେ ଏହାକୁ ଦୃଷ୍ଟିରେ ରଖି ସୀମାନ୍ତ ବାସିଙ୍କୁ ତେନ୍ତୁଳି କିଲୋ ପିଛା ୩୬ ଟଙ୍କାରେ କିଣିବା ବ୍ୟବସ୍ଥା ରହିଛି ବୋଲି ବୁଝାଇଥିଲେ।
ଅଧିକ ପଢ଼ନ୍ତୁ: Kapil Dev on Pakistan Cricket: ତଳିତଳାନ୍ତ ହୋଇଯିବ ପାକିସ୍ତାନ କ୍ରିକେଟ୍ : କପିଳ ଦେବ
ସୀମାନ୍ତବାସୀ କୁଆଡ଼େ ଯିବା ଆବଶ୍ୟକ ନାହିଁ ପ୍ରତି ସପ୍ତାହରେ ନେରିଡିବାଲସା ଗ୍ରାମରେ ହେଉଥିବା ସାପ୍ତାହିକ ହାଟରୁ ଆମ ସରକାର କିଣିବେ ବୋଲି ଆନ୍ଧ୍ର ଅଧିକାରୀ ସୀମାନ୍ତବାସୀଙ୍କୁ ବୁଝାଇଥିଲେ ଓ ଅନ୍ୟାନ୍ୟ ଜଙ୍ଗଲ ଜାତୀୟ ଆମଦାନୀ ଫସଲକୁ ମଧ୍ୟ ସୁଲଭ ମୂଲ୍ୟରେ କିଣିବ ବୋଲି ପ୍ରତିଶ୍ରୁତି ଦେବା ସହିତ ଆନ୍ଧ୍ର ସରକାର ତୁମମାନଙ୍କ ସହ ସବୁବେଳେ ରହିଛି ରହିଥିବ ବୋଲି ବୁଝାଇଥିଲେ। ସୂଚନାଯୋଗ୍ୟ କି ଗତକାଲି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ସୀମାନ୍ତ ଗ୍ରାମଗୁଡିକୁ ଯାଇ ଓଡ଼ିଆ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବୁଝାଇବା ସହିତ ବିକାଶ ମେଳା ଅନୁଷ୍ଠିତ କରିଥିଲେ ଓ ୨୪ ଘଣ୍ଟା ନ ପୁରୁଣୁ ଆନ୍ଧ୍ର ଅଧିକାରୀ ଅନୁପ୍ରବେଶ କରିବା ନେଇ ଏହା ଏକ ପ୍ରକାର ରାଜ୍ୟ ରାଜ୍ୟ ମଧ୍ୟରେ ଚେଲେଞ୍ଚ କଲାଭଳି ଦୃଶ୍ୟ ଦେଖିବାକୁ ମିଳିଛି।
Follow Us