କୋରାପୁଟ: ଓଡ଼ିଆ ସାହିତ୍ୟ ଉପରେ କବି ବିଦ୍ୟୁତପ୍ରଭା ଦେବୀଙ୍କ ଅବିସ୍ମରଣୀୟ ଅବଦାନ ଓ ପ୍ରଭାବକୁ ନେଇ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଦ୍ୱାରା ଅକ୍ଟୋବର ୧୬ ଓ ୧୭ରେ ଆୟୋଜିତ ହୋଇଯାଇଛି। ଏହି ଦୁଇ ଦିନିଆ ଜାତୀୟ ସମ୍ମିଳନୀ ‘କବି ବିଦ୍ୟୁତପ୍ରଭା ଦେବୀଙ୍କ କବିତା: ନବମୂଲ୍ୟାୟନ’ରେ ଗଭୀର ଆଲୋଚନା ହୋଇଥିଲା।
ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଦ୍ୱାନମାନେ ବିଦ୍ୟୁତପ୍ରଭା ଦେବୀଙ୍କୁ ଓଡ଼ିଆ ସାହିତ୍ୟର ଏକ ଅଗ୍ରଗାମୀ ନାରୀ ସ୍ୱର ଭାବେ ସମ୍ମାନିତ କରିଥିଲେ। ସେମାନେ କହିଥିଲେ ଯେ, ପୁରୁଷ-ପ୍ରଧାନ ସାହିତ୍ୟ ଯୁଗରେ ତାଙ୍କ କବିତା ନାରୀ ସ୍ୱରକୁ ଏକ ନୂଆ ଦିଗ ଦେଇଥିଲା। ନାରୀବାଦୀ ଓ ସମାଜବାଦୀ ଚିନ୍ତାଧାରାରେ ଆଧାରିତ ତାଙ୍କ କବିତା ଆଜି ମଧ୍ୟ ଅନେକ ପିଢ଼ୀକୁ ପ୍ରେରଣା ଦେଇଆସୁଛି। ୨୦୨୫ ମସିହାରେ ପାଳିତ ହେଉଥିବା ତାଙ୍କ ଜନ୍ମଶତାବ୍ଦୀ ଓଡ଼ିଶାରେ ନାରୀ ସଶକ୍ତିକରଣର ଏକ ପ୍ରତୀକ ରୂପେ ବର୍ଣ୍ଣନା କରାଯାଉଛି।
ଆହୁରି ପଢ଼ନ୍ତୁ: Heart Breaking: ହାଏରେ ମଣିଷ ତୁ ଏ କି କଲୁ…? ଷଣ୍ଢ ମୁହଁରେ ବିସ୍ଫୋରଣ, ଖାଦ୍ୟରେ କିଏ ଦେଇଦେଲା ବାଣ !
ଉଦ୍ଘାଟନୀ ସଭାରେ ଅଧ୍ୟକ୍ଷତା ବିଶ୍ବବିଦ୍ୟାଳୟ ଭରପ୍ରାପ୍ତ କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡା କରିଥିଲେ। ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍, ୟୁଜିସି ସଦସ୍ୟ ଓ ସିଏଉଓର ପୂର୍ବତନ ଉପକୁଲପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଉପସ୍ଥିତ ଥିଲେ। ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦେବୀପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଥିଲେ। ଖ୍ୟାତିସାମ୍ପନ୍ନ କବି ଡା. ମନୋରମା ବିଶ୍ଵାଳ ମହାପାତ୍ର ଓ ଫକିର ମୋହନ ବିଶ୍ୱବିଦ୍ୟାଳୟର ପ୍ରଫେସର ଦେବାଶିଷ ପାତ୍ର ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ।
ଆହୁରି ପଢ଼ନ୍ତୁ: Equal job opportunities for transgender: ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସମାନ ଚାକିରି ସୁଯୋଗ ଲାଗି ସୁପ୍ରିମକୋର୍ଟ କମିଟି ଗଠନ କଲେ
ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟକ୍ଷ ଡା. ପ୍ରଦୋଷ କୁମାର ସ୍ୱାଇନ ଉଦ୍ଘାଟନ ସଭାରେ ସ୍ୱାଗତ ଭାଷଣ ଦେଇଥିଲେ ଓ ସମାପନ ସଭାରେ ସହାୟକ ଅଧ୍ୟାପକ ଡା. ଆଲୋକ ବରାଳ ଭାଷଣ ରଖିଥିଲେ। ସମ୍ମିଳନୀରେ ପ୍ରଫେସର ସନ୍ତୋଷ ତ୍ରିପାଠୀ, ଡା. ବାବାଜୀ ଚରଣ ପଟ୍ଟନାୟକ, ଡା. ଶତ୍ରୁଘ୍ନ ପଣ୍ଡବ, ଡା. ଆଲୋକ ବରାଳ, ଡା. ଗଣେଶ ପ୍ରସାଦ ସାହୁ, ଡା. ରୁଦ୍ରାଣୀ ମହାନ୍ତି, ଡା. ରଘୁନାଥ ଓଝା, ଡା. ସତ୍ୟ ସାରଙ୍ଗୀ, ଡା. ଫଗୁନାଥ ଭୋଇ, ଡା. ଦେବାଶିଷ ପାତ୍ରା, ଡା. ରବି ସତପଥୀ, ଡା. ପ୍ରୀତିଧାରା ସାମଲ, ଡା. ରୁଦ୍ରନାରାୟଣ ମହାପାତ୍ର, ଜ୍ଞାନୀ ଦେବାଶିଷ ମିଶ୍ର ଓ ଡା. ପ୍ରହ୍ଲାଦ ଖିଲ୍ଲା ଆଦି ବିଦ୍ୱାନମାନେ ବିଦ୍ୟୁତପ୍ରଭା ଦେବୀଙ୍କ ସାହିତ୍ୟିକ ଅବଦାନ ଉପରେ ନିଜ ଗବେଷଣାପତ୍ର ପ୍ରସ୍ତୁତ କରିଥିଲେ।
ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ନିଜ ଭାଷଣରେ ତାଙ୍କ ମାତୃଶ୍ରୀ, ଦିବଙ୍ଗତ କବି ବିଦ୍ୟୁତପ୍ରଭା ଦେବୀଙ୍କ ଜୀବନ ଓ ସାହିତ୍ୟିକ ଉତ୍ସର୍ଗ ବିଷୟରେ ଭାବପୂର୍ଣ୍ଣ ସ୍ମୃତିଚାରଣ କରିଥିଲେ। ସେ କହିଥିଲେ ଯେ, ତାଙ୍କ କବିତା ‘ସୌନ୍ଦର୍ଯ୍ୟ ଓ ସମାଜଚେତନାର ସଂଗମ,’ ଯାହା ଓଡ଼ିଆ ସାହିତ୍ୟକୁ ସମାବେଶୀ ଓ ସାଂସ୍କୃତିକ ଗଭୀରତାରେ ସମୃଦ୍ଧ କରିଛି। ‘ଶବ୍ଦ ଓ କର୍ମର ଏକତା—ଯାହା ଆଜି ଦୁର୍ଲଭ— ସେହିଥିଲା ତାଙ୍କ ଜୀବନ ଓ କବିତାର ମୂଳ ସାର।’ ସେ କୁନ୍ତଳା କୁମାରୀ ଓ ସରଳା ଦେବୀ ପରି ଅନ୍ୟ ଅଗ୍ରଗାମୀ ନାରୀ ସାହିତ୍ୟିକଙ୍କୁ ମଧ୍ୟ ସ୍ମରଣ କରିଥିଲେ।
ପ୍ରଫେସର ପଣ୍ଡା ନିଜ ଅଧ୍ୟକ୍ଷୀୟ ଭାଷଣରେ କହିଥିଲେ, ‘କବି କେବେ ତିଆରି କରାଯାଇ ପରେ ନାହିଁ, ସେମାନେ ଦିବ୍ୟ କୃପାରେ ଜନ୍ମ ହୋଇଥାନ୍ତି’। ସେ ଆଶା ବ୍ୟକ୍ତ କରିଥିଲେ ଯେ, ଏହି ସମ୍ମିଳନୀ ବିଦ୍ୟୁତପ୍ରଭା ଦେବୀଙ୍କ ସାହିତ୍ୟିକ ମାନ୍ୟତାକୁ ବିଶାଳ ମଞ୍ଚରେ ପହଞ୍ଚାଇବ। ସେ ବିଶ୍ବବିଦ୍ୟାଳୟର ପୁସ୍ତକାଳୟରେ ଏକ ପାଣ୍ଡୁଲିପି ବିଭାଗ ସ୍ଥାପନ କରିବାର ଘୋଷଣା ମଧ୍ୟ କରିଥିଲେ, ଯାହା ମାଧ୍ୟମରେ ମୂଲ୍ୟବାନ ସାହିତ୍ୟିକ ସମ୍ପଦ ସଂରକ୍ଷିତ ହେବ। ସମ୍ମିଳନୀର ସମାପନ ସଭାରେ ଓଡ଼ିଆ ବିଭାଗର ସହାୟକ ଅଧ୍ୟାପକ ଡା. ଗଣେଶ ପ୍ରସାଦ ସାହୁ ଧନ୍ୟବାଦ ଜଣାଇଥିଲେ।
Education | CUO Koraput