ଜୟପୁର (ତରୁଣ କୁମାର ମହାପାତ୍ର): ଦୀର୍ଘ ବର୍ଷ ଧରି ବନ୍ଦ ହୋଇଯାଇଥିବା ପଥୋତ୍ସବ ଆଜି ପୁଣିଥରେ ଉଜ୍ଜିବିତ ହୋଇଛି। ଏହି ପ୍ରୟାସକୁ ପ୍ରତିବର୍ଷ ବଜାୟ ରଖିବାକୁ ଚେଷ୍ଟା ଜାରି ରଖିବେ ବୋଲି ଆଜି ସଭା ମଞ୍ଚରେ କହିଛନ୍ତି ଆଜିର ପଥୋତ୍ସବର ସାରଥୀ ତଥା ଉପଜିଲ୍ଲାପାଳ ଏ. ସସ୍ୟାରେଡ୍ଡୀ। ଓଡିଆ ସେନେମାର ଅଭିନେତ୍ରୀ ତଥା ଗାୟିକା ଅନୁରାଧା ପାଣିଗ୍ରାହୀ ଓ  ଇଣ୍ତିଆନ ଆଇଡଲର ଗାୟକ ବିଶ୍ବଜୀତ ମହାପାତ୍ରଙ୍କ ମନଛୁଆଁ ଗୀତରେ ସାରା ଜୟପୁର ବାସୀ ମଜା ନେଇଛନ୍ତି। ପୁଣିଥରେ ସୃଷ୍ଟି ହୋଇଥିବାଏହି ଉତ୍ସବ ଜୟପୁରବାସୀଙ୍କ ମନରେ ଭରି ଦେଇଥିଲା ନିଆରା ଅନୁଭୂତି।
Advertisment
ମାର୍ଗଶୀରର ଶୀତୁଆ ସକାଳରେ ଲାଗିଥିଲା ରଥଯାତ୍ରା, ସ୍ବାଧୀନତା ଦିବସ ଭଳି ଗହଳି। ସହରର କୋଣ ଅନୁକୋଣରୁ ଛୁଟି ଆସିଥିଲେ ହଜାର ହଜାର ଲୋକ। ପ୍ରାୟ ୧୦ ହଜାର ଲୋକଙ୍କ ସମାବେଶ ହୋଇଥିଲା। ସକାଳ ୭ଟାରୁ ପୂର୍ବାହ୍ନ ସାଢେ ୧୧ଟା ପର୍ଯ୍ୟନ୍ତ ଜୟପୁର ମୁଖ୍ୟ ରାସ୍ତାରେ ମସ୍ତି କରିବାକୁ ନଥିଲା କୌଣସି ଅଟକ। ପିଲାଙ୍କ ଠାରୁ ବୁଢ଼ାଙ୍କ ପର୍ଯ୍ୟନ୍ତ ସମସ୍ତେ ନାଚିଲେ ଗାଇଲେ ଶିଖିଲେ ଶିଖାଇଲେ। ଶୀତୁଆ ରବିବାର ସକାଳକୁ ରାଜରାସ୍ତାରେ ମନଭରି ଉପଭୋଗ କଲେ। ସାଢ଼େ ୩ଘଣ୍ଟାର ଉତ୍ସବରେ ଏମିତି ମଜିଗଲେ ଯେ ସମୟ କେତେବେଳେ ସରିଗଲା ଜାଣିପାରିଲେ ନାହିଁ। ଅନେକ ସ୍ମୃତି ଓ ଅନୁଭୂତି ସାଙ୍ଗକୁ କିଛି କଳା ଓ କୌଶଳ ନେଇ ଘରକୁ ଫେରିଲେ ସହରବାସୀ। ଏହାକୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ ଯେପରି ବ୍ୟବସ୍ଥା ଗ୍ରହଣ କରିଥିଲା ତାହାଠୁ ଅଧିକ ବ୍ୟବସ୍ଥିତ ଭାବେ ସହଯୋଗ କରିଥିଲେ ସହରବାସୀ। ରାଜରାସ୍ତାରେ ଏକାଠି ହୋଇ ଦମ ଦେଖାଇଥିଲେ ଜୟପୁରିଆ। 

ଗୌଡ଼ସାହିରୁ ବେଲ୍‌କମ୍‌ ଛକ ଯାଏ ଷ୍ଟଲ୍‌

ଜୟପୁର ମୁଖ୍ୟରାସ୍ତାର ଗୌଡ଼ସାହିରୁ ବେଲ୍‌କମ୍‌ ଛକ ଯାଏ ଲାଗିଥିବା ଷ୍ଟଲ ଗୁଡ଼ିକରେ ମନୋରଂଜନ ଶିକ୍ଷାଧର୍ମୀ ବିଷୟବସ୍ତୁ ଜୟପୁରବାସୀଙ୍କୁ ଯୋଗାଇଥିଲା ମନୋରଞ୍ଜନର ଖୋରାକ। ମଞ୍ଚରେ ପ୍ରଥମେ ଜୟପୁର କଳାକାରଙ୍କ ନୃତ୍ୟଙ୍ଗନା ପରିବେଷଣ ହୋଇଥିଲା। ଏହିପରି ଜୟପୁର ସହରର ବିଭିନ୍ନ ଡ୍ୟାନ୍ସ ଗୃପର କଳାକାରମାନେ ନିଜ ନିଜ ପ୍ରତିଭା ଦେଖାଇଥିଲେ। ଏତିକିରେ ସୀମିତ ନଥିଲା ପଥୋତ୍ସବ। ଶୀତୁଆ ସକାଳକୁ ଆହୁରି ମନୋରଞ୍ଜନ କରିବା ନିମନ୍ତେ ଆସିଥିଲେ ଚଳଚ୍ଚିତ୍ର ଅଭେନେତ୍ରୀ ଅନୁରାଧା ପାଣିଗ୍ରାହୀ ଓ ଇଣ୍ତିଆନ ଆଇଡଲର ଗାୟକ ବିଶ୍ବଜୀତ ମହାପାତ୍ର। ବେଷ୍ଟ ଆଉଟ ଅଫ ବେଷ୍ଟ, ଝୋଟି, ଭେଜିଟେବୁଲ ଆର୍ଟ, ମେହେନ୍ଦି, ପେପର କ୍ରାପ୍ଟ ପ୍ରତିଯୋଗିତା, କ୍ରିଏଟ ୟୋର ଓନ କାନଭାସ, ଖେଳକୁଦ, ପରିବେଶ ଓ ପରିସ୍ଥିତିକୁ ନେଇ ଚିତ୍ରାଙ୍କନ ପ୍ରତିଯୋଗୀତା, ମ୍ୟୁଜିକାଲ ଚେୟାର,  ସଂକୀର୍ତ୍ତନ, ସ୍କେଟି˚, ଟଗ ଅଫ ବାର କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ନାହିଁ ନଥିବା ଉତ୍ସାହ। 

ପଥୋତ୍ସବରେ ଅଧିକାରୀ

ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, କୋରାପୁଟ ବିଧାୟକ ରଘୁରାମ ମାଛ,କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ,ଜୟପୁର ଉପଜିଲ୍ଲାପାଳ ଏ.ସସ୍ୟାରେଡ୍ଡୀ,ଏସ.ପି ରୋହିତ ବର୍ମା, ଏ.ଡି.ଏମ ତପନ କୁମାର ନାୟକ, ସିଡିଓ ବେଣୁଧର ଶବର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର, ତହସିଲଦାର ସବ୍ୟସାଚ୍ଚୀ ଜେନା, ଟାଉନଥାନା ଅଧିକାରି ଉଲ୍ଲାସ ରାଉତ, ସଦରଥାନା ଅଧିକାରି ସଚ୍ଚିନ୍ଦ୍ର ପ୍ରଧାନ, ଉପଖଣ୍ତ ସୂଚନା ଓ ଲୋକ ସ˚ପର୍କ ଅଧିକାରୀଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ। ରାହାଗିରିରେ ସ୍ବେଚ୍ଛାକୃତ ଭାବେ ଜୟପୁର ସହରର ବ୍ୟବସାୟୀ ସଞ୍ଜୟ କୁମାର ଜୈନ ସହଯୋଗ କରିଥିଲେ।