ମାଲକାନଗିରି: ମାଲାକାନଗିରି ବ୍ଲକ୍‌ରେ ମାଣ୍ଡିଆ ଚାଷ ଏବଂ ଏହାର ପ୍ରଚାର ପ୍ରସାର ସଂପୂର୍ଣ୍ଣ ବିଫଳ ହୋଇଛି। କେବଳ ମାଲକାନଗିରି ନୁହେଁ ସାରା ଜିଲ୍ଲାରେ ମାଣ୍ଡିଆ ପ୍ରତି ଚାଷୀ ଆକୃଷ୍ଟ ହେଉ ନଥିବା ଲକ୍ଷ୍ୟ କରାଯାଇଛି। କେବଳ କାଗଜ କଲମରେ ମାଣ୍ଡିଆ ଚାଷ ହେଉଥିବା ନେଇ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଉଛି। ଏହା ମାଲକାନଗିରି ବ୍ଲକର ଅବସ୍ଥା ଦେଖିଲେ ସ୍ପଷ୍ଟ ବାରିହେବ। ଏହି ବ୍ଲକରେ ୭୦୦ ହେକ୍ଟରରୁ ଉର୍ଦ୍ଧ୍ବ ଚାଷ ଜମିରେ ମାଣ୍ଡିଆ ଚାଷ ହେଉଥିବା କୁହାଯାଉଛି।
Advertisment
ଗତ ୨୦୨୩-୨୪ ବର୍ଷରେ ୮୫୦ରୁ ଉର୍ଦ୍ଧ୍ବ ଚାଷୀ ମାଣ୍ଡିଆ ଚାଷ ପ୍ରତି ଆକୃଷ୍ଟ ହୋଇ ଚାଷ କରୁଥିବା କୁହାଯାଇଛି। ଗତବର୍ଷ ମଣ୍ଡିରେ ମାଲକାନଗିରି ବ୍ଲକ୍‌କୁ ୬ ହଜାର କ୍ବିଣ୍ଟାଲ ମାଣ୍ଡିଆ ଖରିଦ ଟାର୍ଗେଟ ରହିଥିବା ବେଳେ ମୋଟ ୨୩୩୧ କ୍ବିଣ୍ଟାଲ ମାଣ୍ଡିଆ କ୍ରୟ କରିଥିବା ଜଣାପଡିଛି।
ବହୁ ମଣ୍ଡିରେ ଗତବର୍ଷ ମାଣ୍ଡିଆକୁ ନେଇ ହଟ୍ଟଗୋଳ ହୋଇଥିଲା। ଦଲାଲମାନେ ଲ୍ୟାମ୍ପସ ଅଧିକାରୀଙ୍କ ସହ ସଲାସୁତରା ହୋଇ ମଣ୍ଡିରେ ସକ୍ରିୟ ହେବା ସହ ନିଜର ମାଣ୍ଡିଆକୁ ସହଜରେ ବିକ୍ରି କରିପାରିଥିଲେ। ଯାହାକୁ ରାଜନେତା ଓ ଚାଷୀ ବିରୋଧ କରିଥିଲେ।
ଚଳିତ ମାସ ୮ ତାରିଖରେ ମଧ୍ୟ ପ୍ରଶାସନ ତରଫରୁ ଦୁର୍ଗମ କୋରକୋଣ୍ଡା ବ୍ଲକର ନାକାମାମୁଡିଠାରେ ମାଣ୍ଡିଆ ମଣ୍ଡି ଆରମ୍ଭ କରିଥିଲେ। କିନ୍ତୁ ମାଲାକନଗିରି ଲ୍ୟାମ୍ପସ ତରଫରୁ ଆଜି ପର୍ଯ୍ୟନ୍ତ ମାଣ୍ଡିଆ ମଣ୍ଡିର ଶୁଭାରମ୍ଭ ହୋଇପାରିଲା ନାହିଁ। ଯାହାଫଳରେ ଦଲାଲ ସକ୍ରିୟ ହୋଇ ଉଠିଛନ୍ତି। ଗତବର୍ଷ ଭଳି ଏଥର ମଧ୍ୟ ଦଲାଲ ଲ୍ୟାମ୍ପସ ଅଧିକାରୀଙ୍କ ସହ ମଦୁଚନ୍ଦ୍ରିକା କରି ନିଜର ମାଣ୍ଡିଆକୁ ବିକ୍ରି କରିବାକୁ ମଣ୍ଡିକୁ ଅପେକ୍ଷା କରି ରହିଛନ୍ତି। ମାଲାକାନଗିରି ଲ୍ୟାମ୍ପସକୁ ଚଳିତ ବର୍ଷ ୬ ହଜାର କ୍ବିଣ୍ଟାଲ ମାଣ୍ଡିଆ ଖରିଦ ପାଇଁ ଟାର୍ଗେଟ ରହିଥିବା ବେଳେ ଏତେ ମାଣ୍ଡିଆ ବ୍ଲକ୍‌ରେ ଚାଷ ହୋଇ ନଥିବା ଜଣାପଡିଛି।
ମାଲକାନଗିରି ଲ୍ୟାମ୍ପସ ତରଫରୁ ୫ଟି ମଣ୍ଡିରେ ମାଣ୍ଡିଆ ଖରିଦ କରାଯିବ। ସେଗୁଡିକ ମଧ୍ୟରୁ ପେଦାଵାଡା ମଣ୍ଡିକୁ ୧୦୦୦ କ୍ବିଣ୍ଟାଲ ଟାର୍ଗେଟ ରହିଥିବା ବେଳେ ପୋଡାଘାଟ ମଣ୍ଡିକୁ ୧୮୦୦ କ୍ବିଣ୍ଟାଲ,ସେରପାଲୀ ମଣ୍ଡିକୁ ୧୯୦୦ କ୍ବିଣ୍ଟାଲ,ପଦ୍ମଗିରି ମଣ୍ଡିକୁ ୫୦୦ କ୍ବିଣ୍ଟାଲ ଏବଂ ସିନ୍ଧ୍ରିମାଳ ମଣ୍ଡିକୁ ୮୦୦ କ୍ବିଣ୍ଟାଲ ଟାର୍ଗେଟ ମିଳିଛି।
ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ଯଦି ଦେଖିବା ପୋଡାଘାଟ ମଣ୍ଡିରେ ୭୬୪ କ୍ବିଣ୍ଟାଲ ମାଣ୍ଡିଆ ଖରିଦ ହୋଇଥିବା ବେଳେ ସିନ୍ଧ୍ରିମାଳ ମଣ୍ଡିରୁ ୩୩୯ କ୍ବିଣ୍ଟାଲ,ପଦ୍ମଗିରି ମଣ୍ଡିରୁ ୭୭ କ୍ବିଣ୍ଟାଲ,ସେରପାଲୀ ମଣ୍ଡିରୁ ୭୧୦ କ୍ବିଣ୍ଟାଲ ଏବଂ ପେଦାଵାଡା ମଣ୍ଡିରୁ ୪୪୦ କ୍ବିଣ୍ଟାଲ ମାଣ୍ଡିଆ କ୍ରୟ କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ମାଲକାନଗିରି ଲ୍ୟାମ୍ପସ ଅଧିନରେ ୮୦୮ ଜଣ ଚାଷୀ ମାଣ୍ଡିଆ ବିକ୍ରି କରିବା ପାଇଁ ନାମ ପଞ୍ଜିକରଣ କରିଛନ୍ତି। 
ଏବେ ଦଲାଲ ଗାଁ ଗାଁରେ ବୁଲି ଯାହା ମାଣ୍ଡିଆ ଥିଲା ତାହାର ମଣ୍ଡି ହେବ ନାହିଁ ବୋଲି ପ୍ରଚାର କରି କମ୍ ଦରରେ ମାଣ୍ଡିଆ କିଣି ଏବେ ମଣ୍ଡିରେ ବିକ୍ରି ପାଇଁ ସଜବାଜ ହେଉଛନ୍ତି।

ବୁଧବାର ସିନ୍ଧ୍ରିମାଳରେ ମାଣ୍ଡିଆ ମଣ୍ଡି ହେବା ନେଇ ଦିନ ଧାର୍ଯ୍ୟ ହୋଇଥିବା ବେଳେ ମାଲାକ‌ାନଗିରି ଲ୍ୟାମ୍ପସ ତରଫରୁ କୌଣସି ବ୍ୟବସ୍ଥା ସେଠାରେ କରାଯାଇ ନଥିଲା। ଯାହାଫଳରେ ଚାଷୀ ଖାଲି ହାତରେ ଫେରିଥିଲେ।

ଏନେଇ ଲ୍ୟାମ୍ପସର ଏମଡି ଅଭିମନ୍ୟୁ ନାୟକଙ୍କୁ ପଚାରିବାରୁ ଖୁବଶୀଘ୍ର ମାଣ୍ଡିଆ ମଣ୍ଡି ଆରମ୍ଭ ହେବ ବୋଲି କହିଥିଲେ। ଦଲାଲ ସକ୍ରିୟ ନେଇ ପ୍ରଶ୍ନ କରାଯିବାରୁ ତାକୁ ଟାଳି ଦେଇଥିଲେ। 
ମାଲକାନଗିରି ବ୍ଲକ୍‌ରେ ଏତେ ମାଣ୍ଡିଆ ଚାଷ ହେଉ ନଥିବା ବେଳେ ମାଣ୍ଡିଆ କେଉଁଠାରୁ ଆସିବ ବୋଲି ପ୍ରଶ୍ନ କରିବାରୁ ସେ ଏହାକୁ ସ୍ବୀକାର କରିବା ସହ ଯାହା ଆସିବ କିଣାଯିବ ବୋଲି କହିଥିଲେ। ଗତଥର କମ୍ ଆସିଥିଲା ଏଥର ବି କମ୍ ଆସିପାରେ ବୋଲି କହିଥିଲେ।
ମାଣ୍ଡିଆ ମଣ୍ଡିରେ ବ୍ୟାପକ ହେରଫେର୍ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ଲ୍ୟାମ୍ପସ ଏବଂ ଦଲାଲ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ବିଚରା ଚାଷୀ କ୍ଷତି ସହୁଛି। ଜିଲ୍ଲା ପ୍ରଶାସନ ଏବଂ ସରକାର ଏନେଇ କଡା ପଦକ୍ଷେପ ଗ୍ରହଣ କଲେ ମଣ୍ଡିରେ ହେଉଥିବା ଦଲାଲଗିରି ବନ୍ଦ ହୋଇପାରିବ ବୋଲି ଚାଷୀ ସଂଘ ପକ୍ଷରୁ ଦାବି କରାଯାଇଛି।