ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଜୀବନ ମରଣ ସହ ସଂଗ୍ରାମ କରୁଛି ବଣ୍ଡା ଯୁବକ। ସାହାଯ୍ୟ ପାଇଁ ସରକାରଙ୍କୁ ଆକୁଳ ନିବେଦନ କଲେ ପରିବାର ଲୋକେ। ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ମହଲରୁ ସହଯୋଗ ଆସିଲା। କ୍ୟାନ୍ସର ଭଳି ଦୁରାରୋଗ୍ୟ ବ୍ୟାଧି ସହ ଲଢ଼ୁଛି ଜଣେ ନିଷ୍ପାପ ଜୀବନ। କିନ୍ତୁ ଏହି ଲଢ଼େଇରେ ଏବେ ବାଧକ ସାଜିଛି ଅର୍ଥ। ଡାକ୍ତରଖାନା ଯିବା ପାଇଁ ତାରିଖ ମିଳୁଛି, ହେଲେ ପକେଟରେ ଟଙ୍କା ନଥିବାରୁ ହସ୍ପିଟାଲ ପହଞ୍ଚି ପାରୁନାହିଁ ପରିବାର। ଆମେ କହୁଛୁ ମାଲକାନଗିରି ଜିଲ୍ଲାର ଜଣେ ବଣ୍ଡା ଯୁବକଙ୍କ କଥା, ଯିଏ ଏବେ ମୃତ୍ୟୁ ସହ ପଞ୍ଝା ଲଢ଼ୁଛନ୍ତି।
ମାଲକାନଗିରି ଜିଲ୍ଲା ଅଣ୍ଡ୍ରାହାଲ ପଞ୍ଚାୟତର ୧୭ ବର୍ଷୀୟ ବଣ୍ଡା ଯୁବକ ସୋନିଆ ଚାଲାଣ। କିଛି ଦିନ ପୂର୍ବରୁ ସବୁକିଛି ଠିକ୍ ଥିଲା, ଜୟପୁର ଜେଇଏଲସି ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ ସୋନିଆ। ମା’ ବାପାଙ୍କର ଗୋଟିଏ ବୋଲି ପୁଅ, ଭବିଷ୍ୟତର ଆଶା ବାଡ଼ି ଥିଲେ ସେ। ହେଲେ ଭାଗ୍ୟର ବିଡ଼ମ୍ବନା,ରକ୍ତ କର୍କଟ (ବ୍ଲଡ୍ କ୍ୟାନ୍ସର)ରେ ପୀଡ଼ିତ ହୋଇ ସୋନିଆ ଏବେ ଶଯ୍ୟାଶାୟୀ। ପରିବାର ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗି ପଡିଛି। ​
ପୂର୍ବରୁ ବିଶାଖାପାଟଣାର ମହାତ୍ମା ଗାନ୍ଧୀ ମେମୋରିଆଲ ହସ୍ପିଟାଲରେ ତାଙ୍କର ଦୁଇଟି କେମୋ ଚିକିତ୍ସା ସରିଛି। ତୃତୀୟ କେମୋ ପାଇଁ ଡାକ୍ତର ମାର୍ଚ୍ଚ ୩ ତାରିଖ ସମୟ ଦେଇଥିଲେ। କିନ୍ତୁ ଅଭାବ ଅନାଟନ ଯୋଗୁଁ ସୋନିଆ ହସ୍ପିଟାଲ ଯାଇପାରିନାହାନ୍ତି। ସ୍ୱାସ୍ଥ୍ୟ କାର୍ଡ ଥିଲେ ମଧ୍ୟ ସେଥିରୁ ଟଙ୍କା ସରିଯାଇଥିବା ପରିବାର ପକ୍ଷରୁ କୁହାଯାଇଛି। ବିଶାଖାପାଟଣା ଯିବା ଆସିବା ଏବଂ ରହିବା ଖାଇବା ଖର୍ଚ୍ଚ ଯୋଗାଡ଼ କରିବା ଏହି ଗରିବ ପରିବାର ପାଇଁ ଏବେ ଅସମ୍ଭବ। ପ୍ଲାଟଲେଟ୍ କମିଯାଉଥିବାରୁ ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସୋନିଆଙ୍କର ତିନି ଭଉଣୀ। ବଡ଼ ଭଉଣୀର ବାହାଘର ସରିଥିବା ବେଳେ ସୋନିଆ ଥିଲେ ମା’ ବାପାଙ୍କ ଏକମାତ୍ର ସାହାରା।
ଆହୁରି ପଢ଼ନ୍ତୁ: Water Crisis: ଇରାନର ଟାର୍ଗେଟରେ 'ୱାଟର ପ୍ଲାଣ୍ଟ': ଜଳ ସଙ୍କଟରେ ପଡ଼ିବେ ଉପସାଗରୀୟ ଦେଶ !
ପୁଅର ଏଭଳି ଅବସ୍ଥା ଦେଖି ବାପା ମା’ ଆଖିରୁ ଲୁହ ଶୁଖୁନି। ବଣ୍ଡା ଘାଟିର ଏହି ସରଳ ନିଷ୍ପାପ ଯୁବକଟି ଆଜି ସରକାରୀ ସାହାଯ୍ୟକୁ ଚାହିଁ ବସିଛି। ଜଣେ ଅସହାୟଙ୍କ ଜୀବନ ବଞ୍ଚାଇବା ପାଇଁ ଆଗେଇ ଆସିଛି ଜିଲ୍ଲା ପ୍ରଶାସନ ଓ କିଛି ବଦାନ୍ୟ ବ୍ୟକ୍ତି। ଚିକିତ୍ସା ପାଇଁ ଏବେ ବିଭିନ୍ନ ମହଲରୁ ସହାୟତାର ସୁଅ ଛୁଟିଛି। ସନିଆଙ୍କ ଉନ୍ନତ ଚିକିତ୍ସା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ପିଏ,ଆଇଟିଡିଏ ହଳଧର ଶବର ୫୦,୦୦୦ ଟଙ୍କା ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରେଡକ୍ରସ ପାଣ୍ଠିରୁ ୨୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। କେବଳ ସେତିକି ନୁହେଁ, ସୋନିୟାଙ୍କୁ ଜଣେ ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟଙ୍କ ସହ କଟକର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
Follow Us