ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ସୀମାନ୍ତ ଛତିଶଗଡ଼ରେ ନକ୍ସଲ ଦମନ ନେଇ ଗୋଟିଏ ପଟେ ଅପରେସନ ଜୋରଦାର ଚାଲିଥିବା ବେଳେ ଅନ୍ୟପଟେ ଆତ୍ମସମର୍ପଣ ପ୍ରକ୍ରିୟା ମଧ୍ୟ ଚାଲିଛି। ଏହି କ୍ରମରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ନକ୍ସଲ ପ୍ରଭାବିତ ତଥା ହିଡମାର ଗାଁ ପୂବର୍ତ୍ତୀକୁ ଯାଇଥିଲେ। ସେ ନକ୍ସଲ ନେତା ହିଡମାଙ୍କ ଘରକୁ ଯାଇ ତାଙ୍କ ମା’ଙ୍କୁ ଭେଟିଲେ। ତାଙ୍କ ମା’ଙ୍କୁ ଭେଟିବା ପରେ ପୁଅକୁ ଆତ୍ମସମର୍ପଣ ପାଇଁ ନିବେଦନ କରିବାକୁ କହିଥିଲେ।

Advertisment

ଆତ୍ମସମର୍ପଣ ପାଇଁ ଏକ ବଡ଼ ପଦକ୍ଷେପ  

ଉପମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା ଦଶନ୍ଧି ଧରି ନକ୍ସଲ ଆନ୍ଦୋଳନର ନେତୃତ୍ୱ ନେଇଥିବା ଶୀର୍ଷ କମାଣ୍ଡର ହିଡ଼ମା ସମ୍ପର୍କରେ ସୁକମାରେ ଶାନ୍ତି ଏବଂ ଆତ୍ମସମର୍ପଣ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହି ସାକ୍ଷାତ କେବଳ ଏକ ଔପଚାରିକତା ନଥିଲା। ଏହାକୁ ବସ୍ତରରେ ଶାନ୍ତି ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ସେ ଗାଁର ମଧ୍ୟଭାଗକୁ ଯାଇ ହିଡମାଙ୍କ ମା’ଙ୍କୁ ଭେଟିଥିଲେ। ତାଙ୍କ ଘରେ ସମୟ ବିତାଇଥିଲେ ଏବଂ ତାଙ୍କ ସହିତ ଭୋଜନ ମଧ୍ୟ କରିଥିଲେ। ସାକ୍ଷାତ ସମୟରେ ସେ ମାଆଙ୍କୁ କହିଥିଲେ, ହିଂସାର ଆଉ କୌଣସି ଅର୍ଥ ନାହିଁ। ପୁଅ ତୁମର ଫେରି ଆସିବା ଉଚିତ। 

ସରକାର ବସ୍ତରରେ ଶାନ୍ତି ଚାହୁଁଛନ୍ତି

ଆତ୍ମସମର୍ପଣ ହେଉଛି ଏବେ ସଠିକ୍ ପଥ। ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି ଯେ ସରକାର ବସ୍ତରରେ ଶାନ୍ତି ଚାହୁଁଛନ୍ତି ଏବଂ ଏହାକୁ ହାସଲ କରିବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନେଉଛନ୍ତି। ସେ କହିଛନ୍ତି, ହିଡ଼ମା ପାଇଁ ଏବେ ସମୟ ସରି ଆସୁଛି। ଯଦି ସେ ଫେରିବାକୁ ଚାହାଁନ୍ତି, ତେବେ ସରକାର ତାଙ୍କ ଆତ୍ମସମର୍ପଣ ପାଇଁ ପ୍ରତ୍ୟେକ ରାସ୍ତା ଖୋଲିଦେବ। ଆମେ ତାଙ୍କ ମାଡ଼ଙ୍କୁ ମଧ୍ୟ ଅନୁରୋଧ କରିଛୁ ଯେ ସେ ତାଙ୍କ ପୁଅକୁ ବନ୍ଧୁକ ନୁହେଁ, ବିକାଶର ପଥ ବାଛିବାକୁ ରାଜି କରାନ୍ତୁ। ହିଡମାଙ୍କ ମା‘ ମଧ୍ୟ ହିଡମାକୁ ବନ୍ଧୁକ ଛାଡି ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ନେହୁରା ହୋଇଥିଲେ। 

ଆହୁରି ପଢ଼ନ୍ତୁ: Under Construction Roof Collapse: ଜୟପୁରରେ ବଡ଼ ଦୁର୍ଘଟଣା: ଭୁଶୁଡ଼ିଲା ନିର୍ମାଣାଧୀନ ଛାତ, ପୋତି ହୋଇଗଲେ ବହୁ ଶ୍ରମିକ

ସଂକ୍ଷେପରେ ହିଡ଼ମା

ହିଡମା ଦକ୍ଷିଣ ଓ ପଶ୍ଚିମ ବସ୍ତରର ନକ୍ସଲ ସାମରିକ(ପିଏଲଜିଏ) ବାଟାଲିୟନର କମାଣ୍ଡର ଏବଂ ତାଙ୍କୁ ପିଏଲଜିଏର ଶୀର୍ଷ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ୨୦୧୦ରେ ତଡମେଟଲା ଆକ୍ରମଣ, ୨୦୧୭ରେ ବୁର୍କାପାଲ ଆକ୍ରମଣ ଏବଂ ୨୦୨୩ରେ ଆରନପୁର ଆଇଇଡି ବିସ୍ଫୋରଣ ଭଳି ଅନେକ ବଡ଼ ନକ୍ସଲ ଘଟଣାରେ ଜଡିତ। ବିଭିନ୍ନ ରାଜ୍ୟ ଦ୍ୱାରା ହିଡମା ଉପରେ ଅଢେଇ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ସେ ଦଶନ୍ଧି ଧରି ସୁରକ୍ଷା ବାହିନୀ ପାଇଁ ଏକ ମିଶନ ଟାର୍ଗେଟ୍ ହୋଇଆସିଛନ୍ତି।

ଆହୁରି ପଢ଼ନ୍ତୁ: Vijay Varma Sold Sim Card: ଘର ଚଳାଇବା ପାଇଁ ସିମ୍ କାର୍ଡ ବିକିବା ସହ କଲ୍ ସେଣ୍ଟରରେ କାମ କରିଥିଲେ ବିଜୟ