ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଆନ୍ଧ୍ରପ୍ରଦେଶର କାକିନାଡ଼ାରେ ସାମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିନ୍ତୁ ଏହାର ପ୍ରଭାବ ମାଲକାନଗିରି ଜିଲ୍ଲାରେ ବିଶେଷ ଭାବରେ ପଡ଼ିବ ବୋଲି ଅନୁମାନ କରାଯାଉଛି। ମାଲକାନଗିରି ଜିଲ୍ଲାର ସୀମା ଠାରୁ ଦୂରତା ୨ ଶହ କିଲୋମିଟର ଠାରୁ କମ୍ ଥିବା ବେଳେ ଯଦି କାକିନାଡା ଠାରେ ସ୍ଥଳ ଭାଗ ଛୁଇଁବ। ତେବେ ମାଲକାନଗିରିର ବହୁ କ୍ଷୟକ୍ଷତି କରିବ। ସବୁଠୁ ବେଶୀ କ୍ଷତି ସହିବେ ମାଲକାନଗିରି ଜିଲ୍ଲାର ଚାଷୀକୂଳ।

Advertisment

ଅଧିକ ଦାମ୍‌ ଦେଇ ଆଣୁଛନ୍ତି ମେସିନ୍‌

ଧାନ ଚାଷର ଅମଳ ସମୟ ହୋଇଥିବା ବେଳେ ସାମ୍ଭାବ୍ୟ ବାତ୍ୟା ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଣୁ କିଛି ଚାଷୀ ତରବରିଆ ଭାବେ ଅଧିକ ଦାମ ଦେଇ ମେସିନ ଆଣି ଯେଣତେଣ ପ୍ରକାରେ ଧାନ ଅମଳ କରିବାରେ ଲାଗି ପଡିଛନ୍ତି। ବର୍ଷାରେ ସଂପୂର୍ଣ୍ଣ କ୍ଷତି ହେବା ଅପେକ୍ଷା ତାହା ପୂର୍ବରୁ ଯାହା ଖର୍ଚ୍ଚ ହେଉ ପଛେ ଧାନ ଗଣ୍ଡେ ଘରକୁ ନେଇଯିବାକୁ ଚାଷୀ ତତ୍ପର। ଏମଭି-୪୩ ସ୍ଥିତ ଚାଷୀ କାଲାଚାନ୍ଦ ଦେ ଏବଂ ଚାଷୀ ଗୟାଧର ମହତାବଙ୍କ କହିବା ଅନୁଯାୟୀ ଆମେ ୨୦ ଏକର ଲେଖାଏଁ ଚାଷ କରିଥିବା ବେଳେ ସାମ୍ଭାବ୍ୟ ବାତ୍ୟା ସବୁ ଧାନ ଫସଲ ନଷ୍ଟ କରିଦେବ। ତେଣୁ ଆମେ ବାତ୍ୟା ପୂର୍ବରୁ ଯାହା ପାରିବୁ ତାହା ଗୋଟାଇବାକୁ ଚେଷ୍ଟା କରୁଛୁ। ସେଥିପାଇଁ ମେସିନ ଆଣି ଧାନ ଅମଳ କରୁଥିବା କହିଥିଲେ। 

ଆହୁରି ପଢ଼ନ୍ତୁ: Fake voter rally: ନଭେମ୍ବର ୧ରେ ଏକାଠି ହେବେ ଶରଦ-ଉଦ୍ଧବ-ରାଜ୍

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଅନ୍ୟପଟେ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ରହିଛି। ଜିଲ୍ଲାର ସମସ୍ତ କର୍ମଚାରୀଙ୍କର ଛୁଟି ବାତିଲ କରିବା ସହ କୌଣସି ଅଘଟଣ ଘଟିଲେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ସହଯୋଗ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଜିଲ୍ଲା ମୁଖ୍ୟାଳୟରେ ଏକ କଣ୍ଟ୍ରୋଲ ରୁମ ମଧ୍ୟ କରାଯାଇଛି। କୌଣସି ସ୍ଥାନରେ କିଛି ବି ସହଯୋଗ ଲୋକେ ଚାହାନ୍ତି ତେବେ ତୁରନ୍ତ ଯୋଗାଯୋଗ କରିବାକୁ କୁହାଯାଇଛି। 

ଆହୁରି ପଢ଼ନ୍ତୁ: Cyc‌lone Montha: ସ୍ଥଳଭାଗ ଆଡ଼କୁ ଅଗ୍ରସର; ଆନ୍ଧ୍ର ଛୁଇଁବା ଆଶଙ୍କା, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଓଡ୍ରାଫ୍‌, ଅଗ୍ନିଶମ ବିଭାଗ ପ୍ରସ୍ତୁତ

ଜିଲ୍ଲାର ୭ଟି ଅଗ୍ନିଶମ ବିଭାଗ ଏବଂ କୋରାପୁଟରୁ ୨ଟି ଓଡ୍ରାଫ ଟିମକୁ ୨୪ ଘଣ୍ଟିଆ ସତର୍କ ରହିବାକୁ କୁହାଯାଇଛି। ତଳିଆ ବ୍ରିଜଗୁଡିକରେ ପ୍ରବଳ ପାଣି ପ୍ରବାହ ହେବାକୁ ଥିବାରୁ ଲୋକେ ଯେପରି ବ୍ରିଜ ପାର ନକରିବେ ସେଥିପାଇଁ ବ୍ରିଜର ଦୁଇପଟେ ସରକାରୀ ଅଧିକାରୀମାନେ ଜଗି ରହିବେ। ଜିଲ୍ଲାରେ ଚଳିତ ବର୍ଷ ୭୪ ହଜାର ହେକ୍ଟର ଜମିରେ ଚାଷ କରାଯାଇଥିବା ବେଳେ ଏବେ ଅମଳ ସମୟ ଆସିଛି। କେବଳ ଧାନ ଚାଷୀ ନୁହନ୍ତି ବରଂ ମାଣ୍ଡିଆ,ମକା ସହ ପନିପରିବା ଚାଷୀଙ୍କ ମୁଣ୍ଡରେ ଛନକା ପଶିଛି। ବାତ୍ୟା ବର୍ଷକର ଫସଲ ଉଜାଡିଦେବ। ଚାଷୀ ଋଣ କରି ଚଳିତ ବର୍ଷ ଅଧିକା ଜମିରେ ଚାଷ କରିଥିବା ବେଳେ ବାତ୍ୟା ସବୁ ଧୋଇ ନେଇଯିବ ବୋଲି ଏବେ ଚାଷୀ ଚିନ୍ତାରେ ପଡିଛି। ପ୍ରଶାସନ ତରଫରୁ ଚାଷର କ୍ଷୟକ୍ଷତି ନେଇ କୌଣସି ବକ୍ତବ୍ୟ ପ୍ରଦାନ କରିନାହାନ୍ତି। ତେବେ ବାତ୍ୟା କି ପ୍ରକାର ଜିଲ୍ଲାରେ ପ୍ରଭାବ ପକାଉଛି ଦେଖିବାକୁ ବାକି ରହିଲା।