Maoists dump rescued
ମାଲକାନଗିରି/ଫୁଲବାଣୀ: ବିଏସ୍ଏଫ୍ ଓ ପୁଲିସକୁ ମିଳିଛି ବଡ଼ ସଫଳତା। ଜଂଗଲରେ ନକ୍ସଲ ଲୁଚାଇ ରଖିଥିବା ଏକ ଡମ୍ପରୁ ଯବାନମାନେ ବିପୁଳ ପରିମାଣର ମାଓ ବିସ୍ଫୋରକ ଜବତ କରିଛନ୍ତି। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଦୁଲାଗୁଣ୍ଡି ଜଂଗଲରେ ବିଏସଏଫ ଏବଂ ପୁଲିସର ମିଳିତ ଅପରେସନ ବେଳେ ପାହାଡର ଗୁମ୍ଫା ଭିତରେ ମାଓବାଦୀ ବିସ୍ଫୋରକ ଓ ପିସ୍ତର ଲୁଚାଇ ରଖିଥିବା ଦେଖିବାକୁ ପାଇଥିଲେ। ଅତି ସତର୍କତାର ସହ ଯବାନ ମାଓ ଡମ୍ପରୁ ବିସ୍ଫୋରକ ସହ ଅନ୍ୟ ସାମଗ୍ରୀ ଉଦ୍ଧାର କରିଥିଲେ। ଏହି ଡମ୍ପରେ ପିସ୍ତର, ୨୫୦ରୁ ଊର୍ଦ୍ଧ୍ବ ଜୀବନ୍ତ ଗୁଳି, ଲ୍ୟାଣ୍ଡମାଇନ, ଜିଲୋଟିନ ଷ୍ଟିକ, ମାଓ ପୁସ୍ତକ ସମେତ ଅନ୍ୟ ସାମଗ୍ରୀ ଜବତ କରାଯାଇଛି।
ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍
ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରିବା ପାଇଁ ଏଠାରେ ଡମ୍ପ କରି ବିସ୍ଫୋରକ ଓ ଅନ୍ୟ ସାମଗ୍ରୀ ଲୁଚାଇ ରଖିଥିବା କୁହାଯାଇଛି। ଯବାନଙ୍କର ଏହି ସଫଳତା ପରେ ଏକ ବଡ ଅଘଟଣକୁ ଏଡାଇ ଦିଆଯାଇଥିବା କୁହାଯାଇଛି। ମାଲକାନଗିରି ଜିଲ୍ଲାରେ ନକ୍ସଲ ଗତିବିଧି କମିଥିବା ବେଳେ ପଡୋଶୀ ଜିଲ୍ଲାରେ ମାଓ ଗତିବିଧି ରହିଛି। ତେଣୁ ନକ୍ସଲ ଛତିଶଗଡରେ ଘଟଣା ଘଟାଇ ମାଲକାନଗିରିକୁ ଆସିପାରନ୍ତି ବୋଲି ଅନୁମାନ କରାଯାଉଛି। ତେଣୁ ପୁଲିସ ତରଫରୁ ସୀମାରେ ଜୋରଦାର ଅପରେସନ କରାଯାଉଛି। ଏବେ ବି ଚିତ୍ରକୋଣ୍ଡା ଏବଂ କାଲିମେଳା ବ୍ଲକରେ ବହୁ ସ୍ଥାନରେ ମାଓବାଦୀ ଡମ୍ପ କରି ବହୁ ବିସ୍ଫୋରକ ଓ ବନ୍ଧୁକ ଲୁଚାଇ ରଖିଥିବା ଅନୁମାନ କରାଯାଏ।
ମାଓ ସାମଗ୍ରୀ ଜବତ
କନ୍ଧମାଳ ପୁଲିସ ଏବଂ ଡିଭିଏଫ୍ ପକ୍ଷରୁ ମିଳିତ କମ୍ବିଂ ଅପରେସନ ଚାଲିଥିବାବେଳେ ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଙ୍ଗୁରମିଲା ଜଙ୍ଗଲରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି। ଜବତ ହୋଇଥିବା ମାଓ ସାମଗ୍ରୀ ମଧ୍ୟରେ କିଛି ଡିଟୋନେଟର, ଫ୍ୟୁଜ୍ ତାର, ଚାଉଳ, ପ୍ଲାଷ୍ଟିକ ଦଉଡ଼ି, ଡ୍ରମ୍, କପଡ଼ା, ଲୁଣ, ଅମୁଲ, ବ୍ୟାଟେରି, ଔଷଧ, ମାଓ ପୁସ୍ତିକା, କମ୍ବଳ, ଜୋତା, ସୋଲାର ପ୍ଲେଟ୍, ପଲିଥିନ୍ ସିଟ୍, ମାଓ ପୋଷାକ, ଥର୍ମୋଫ୍ଲାକ୍ସ, ଛତା ଆଦି ରହିଛି।
ଆହୁରି ପଢ଼ନ୍ତୁ: Elephant Attacks: ହାତୀ ଆକ୍ରମଣରୁ ବର୍ତ୍ତିବା ପାଇଁ ଲୁଚିଥିଲେ ଯୁବକ, ଆକ୍ରମଣ କରି ଜୀବନ ନେଲା ଦନ୍ତା
ମାଓ ଦଂପତିଙ୍କ ଆତ୍ମସମର୍ପଣ
ଆଜି କନ୍ଧମାଳ ଏସ୍ପିଙ୍କ ନିକଟରେ ଛତିଶଗଡ଼ର ଦୁର୍ଦ୍ଦାନ୍ତ ମାଓ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ଏମାନେ ହେଲେ ଛତିଶଗଡ଼ ସୁକ୍ମା ଜିଲ୍ଲାର ଜାଗୁରୁଗୁଣ୍ଡା ଥାନା ଅନ୍ତର୍ଗତ ପାର୍ଲାଗଟା ଗ୍ରାମର ଉଙ୍ଗା କାଲ୍ମୁ ଓରଫ କିଶୋର (୨୫) ଏବଂ ତାଙ୍କ ପତ୍ନୀ ମାସେ ମାଧବୀ (୨୨)। ଏମାନେ ଗତ ୨୦୧୮ ମସିହାରୁ ମାଓ ସଂଗଠନରେ ଯୋଗ ଦେଇଥିଲେ। ଏ ଦୁହେଁ କନ୍ଧମାଳ ଜିଲ୍ଲାରେ ସକ୍ରିୟ ଥିବା ବଂଶଧାରା-ଘୁମୁସର-ନାଗାବଳୀ (ବିଜିଏନ୍) ଡିଭିଜନର ସକ୍ରିୟ ମାଓ କ୍ୟାଡର ଭାବେ କାର୍ଯ୍ୟ କରୁଥିଲେ। ଏମାନେ ଓଡ଼ିଶା ଏବଂ ଛତିଶଗଡ଼ରେ ବିଭିନ୍ନ ମାଓ କାର୍ଯ୍ୟକଳାପ ସହିତ ସମ୍ପୃକ୍ତ ଥିଲେ ଏବଂ ଏମାନଙ୍କ ନାମରେ ବିଭିନ୍ନ ଥାନାରେ ବହୁ ମାଓ ହିଂସା ମାମଲା ରୁଜୁ ହୋଇଛି। ଏ ଦୁହିଁକ ନାମରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା ବୋଲି ଆଜି କନ୍ଧମାଳ ଏସ୍ପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର ଏବଂ କନ୍ଧମାଳ ଏସ୍ପି ହରିଶ୍ ବିସି ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ: Maoists Surrender: କଣ୍ଟ ପୂରୁଛି, ମାଓବାଦୀଙ୍କର ଭୟ ବଢୁଛି
Follow Us