Railway crossing near Rairangpur Railway station. Photograph: (sambad.in)
ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ରେଳ ଷ୍ଟେସନଠାରୁ ମାତ୍ର ୪୦୦ ମିଟର ଦୂର ଇଚିଣ୍ଡାଠାରେ ଥିବା ରେଳ ଫାଟକ ଏବେ ମରଣଯନ୍ତାରେ ପରିଣତ ହୋଇଛି। ଏହି ରେଳପଥ ଦେଇ ୬ଟି ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରୁଥିବା ବେଳେ ମାଲବାହୀ ଟ୍ରେନ୍ଗୁଡ଼ିକ ମଧ୍ୟ ପରିଚାଳନା କରାଯାଇଥାଏ। କ୍ଷୋଭର ବିଷୟ ଯେ, ଷ୍ଟେସନ ନିକଟରେ ବିପଦ ଜନକ ଜଗୁଆଳୀ ବିହୀନ ରେଳ ଫାଟକ କୌଣସି ମୁହୂର୍ତ୍ତରେ ଅଘଟଣକୁ ଆମନ୍ତ୍ରଣ କରିପାରେ।
ରାଇରଙ୍ଗପୁର ବଜାରଠାରୁ ଠାରୁ ପୌରପରିଷଦର ଇଚିଣ୍ଡା ଯିବା ରାସ୍ତାରେ ପଡ଼େ ଏହି ରେଳ ଫାଟକ। ତେବେ ଏହି ଫାଟକ ଦେଇ ଦୈନିକ ୪ଟି ମେମୁ ଟ୍ରେନ ଯିବା ଆସିବା କରିଥାଏ, ତା ସହିତ ପ୍ରତ୍ୟେକ ଦିନ ଏହି ଫାଟକ ଦେଇ ଲୁହାପଥର ପରିବହନ ପାଇଁ ୱାଗନ ମଧ୍ୟ ଯିବା ଆସିବା କରିଥାଏ। ଅନ୍ୟପଟରେ ଦୈନିକ ଏହି ରାସ୍ତା ଦେଇ ହଜାର ହଜାର ଲୋକ ବଡ଼ି ଭୋରରୁ ବିଳମ୍ବିତ ରାତ୍ରୀ ଯାଏଁ ସାଇକେଲ, ବାଇକ୍, ଚାରି ଚୋକିଆ ଯାନ, ବିଶେଷ କରି ସ୍କୁଲ, କଲେଜର ଛାତ୍ରଛାତ୍ରୀ ଓ ବୃଦ୍ଧ ବୃଦ୍ଧା ନିଜ ଜୀବନକୁ ବିପନ୍ନ କରି ଯିବା ଆସିବା କରିଥାନ୍ତି। କାରଣ ଏହି ଫାଟକ ଜଗୁଆଳୀ ବିହୀନ ଓ ଲେଭଲ କ୍ରସିଂଟି ମଧ୍ୟ ମୁକୁଳା ହୋଇରହିଛି। ପଥଚାରୀଙ୍କ ନିରାପତା ପ୍ରତି ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ରେଳ ଡିଭିଜନ କର୍ତ୍ତୃପକ୍ଷ ଆଦୌ ଦୃଷ୍ଟି ଦେଉ ନ ଥିବାରୁ ଅତୀତରେ ଏହି ସ୍ଥାନରେ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟି ଲୋକ ଓ ଜୀବଜନ୍ତୁଙ୍କ ଜୀବନ ବିପନ୍ନ ହୋଇଛି। ଭବିଷ୍ୟତରେ ବଡ଼ଧରଣର ଦୁର୍ଘଟଣାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ।
ଆହୁରି ପଢ଼ନ୍ତୁ: Cold Wave: କନ୍ଧମାଳରେ ଖସିଲା ପାରଦ, ଘୁ ଉଦୟଗିରିରେ ତାପମାତ୍ରା ୭.୪ ଡିଗ୍ରି ରେକର୍ଡ
୬ଟି ଟ୍ରେନ୍ ଚଳାଚଳ
ତେବେ ବର୍ତ୍ତମାନ ବାଦାମପାହାଡ-ସାଲିମାର ଓ ବାଦାମପାହାଡ-ରାଉରକେଲା ନିମନ୍ତେ ୨ଟି ଏକ୍ସପ୍ରେସ ଟ୍ରେନ ସହିତ ଅନ୍ୟ ୪ଟି ମେମୁ ଟ୍ରେନ୍ ଚଳାଚଳ କରୁଛି। ଫଳରେ ଉକ୍ତ ରେଳ ରୁଟ୍ ଅଧିକ ବିପଦଜନକ ଅବସ୍ଥାରେ ରହିଛି। ଏଣୁ ଯଥାଶିଘ୍ର ଉକ୍ତ ରେଳ ଫାଟକରେ ଜଗୁଆଳୀ ରଖାଯାଉ ନଚେତ ଓଭର୍ ବ୍ରିଜ୍ ନିର୍ମାଣ ହେଲେ ପଥଚାରୀମାନେ ଯିବା ଆସିବାରେ ବାଧା ସ୍ରୁଷ୍ଟି ହେବ ନାହିଁ। ତେବେ ଉକ୍ତ ରେଳ ଫାଟକର ସୁବ୍ୟବସ୍ଥା କରିବା ପାଇଁ ଦକ୍ଷିଣପୂର୍ବ ଚକ୍ରଧରପୁର ରେଳ ଡିଭିଜନର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ବିଚାର ବିମର୍ଷ କରି ଏହାର ଆଶୁ ସମାଧାନ କରାଯାଉ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି।
ଆହୁରି ପଢ଼ନ୍ତୁ: Odisha Assembly: ଓଡ଼ିଶା ବିଧାନସଭାରେ ଉଦ୍ବୋଧନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଅମୃତ ଭାରତ ଯୋଜନାରେ ରାଇରଙ୍ଗପୁର
ସୂଚନଯୋଗ୍ୟ ଯେ ଅମୃତ ଭାରତ ଯୋଜନାରେ ରାଇରଙ୍ଗପୁର ରେଳ ଷ୍ଟେସନ ନିର୍ମାଣ କାର୍ଯ ସମ୍ପୂର୍ଣ୍ଣ ହେବାକୁ ବସିଥିବା ବେଳେ ଅନ୍ୟପଟେ ପଥଚାରୀ ଓ ଯାତ୍ରୀଙ୍କ ପାଇଁ ବିପଦ ସାଜିଛି ଜଗୁଆଳୀ ବିହୀନ ରେଳ ଫାଟକ। ତେବେ ଦେଖିବାକୁ ବାକି ରହିଲା କେବେ ଉକ୍ତ ରେଳ ଫାଟକରେ ଜଗୁଆଳୀ ନିଯୁକ୍ତ କରାଯିବ କିମ୍ବା ଗୋଳା ପୋଲ ନିର୍ମାଣ କରାଯିବ?
Follow Us