ଶ୍ରୀକାନ୍ତ ସାହୁ
ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବସବାସ କରିଆସୁଥିବା ଆଦିମ ଜନଜାତି ‘ଲୋଧା’ ସଂପ୍ରଦାୟର ବିକାଶ ହୋଇପାରୁନି। ପିଭିଟିଜି ଶ୍ରେଣୀରେ ଆସୁଥିବା ଲୋଧାଙ୍କ ବିକାଶ ପାଇଁ ଉନ୍ନୟନ ପରିଷଦ ଗଠନ ହୋଇଛି, ବଜେଟ୍ରେ ଅର୍ଥ ବରାଦ ବି ହେଉଛି; କିନ୍ତୁ ସୁଫଳ ମିଳିପାରୁନି। ଜିଲ୍ଲାର ଶୁଳିଆପଦା ଓ ମୋରଡ଼ା ବ୍ଲକ୍ରେ ବାସ କରୁଥିବା ଲୋଧାଙ୍କ ଜନସଂଖ୍ୟା ପ୍ରାୟ ୯ ହଜାର। ସମୟ ଥିଲା, ଏହି ଜନଜାତିକୁ ଅପରାଧୀ ଜନଜାତି ଭାବେ ବିବେଚନା କରାଯାଉଥିଲା। ହେଲେ ପରେ ସମ୍ବେଦନଶୀଳ ଜନଜାତି ଭାବେ ଚିହ୍ନଟ ସହ ଲୋକଙ୍କ ବିକାଶ ନେଇ ଯୋଜନା କରାଯାଇଛି। ୧୯୮୬ ମସିହାରେ ଲୋଧା ଉନ୍ନୟନ ପରିଷଦ ଗଠନ ହୋଇଛି। ତେବେ ଶିକ୍ଷା ଓ ସଚେତନତାର ଅଭାବରୁ ଏମାନଙ୍କ ବିକାଶ ହୋଇ ପାରୁନି। ଏହି ଜନଜାତିର ଛାତ୍ରୀ ପିଏଚ୍ଡି କରି କୁଳର ନାମ ରଖିଛନ୍ତି ସତ, ତେବେ ଜନଜାତିର ଆର୍ଥିକ ସ୍ଥିତିରେ କିନ୍ତୁ ସେମିତି ବିଶେଷ ସୁଧାର ଆସିପାରିନି।
୮୦ ଦଶକରେ ଲୋଧା ଜନଜାତିଙ୍କ ସାକ୍ଷରତା ହାର ୧୦ ପ୍ରତିଶତରୁ କମ୍ ଥିଲା। ବର୍ତ୍ତମାନ ଏହି ସଂପ୍ରଦାୟର ସାକ୍ଷରତା ହାର ୫୦.୨ ପ୍ରତିଶତରେ ପହଞ୍ଚିଛି। ଛାତ୍ରୀ ଡ୍ରପ୍ଆଉଟ୍ ହାର ୧୬.୮୯ ପ୍ରତିଶତ ରହିଛି। ଫଳରେ ନାରୀଶିକ୍ଷା ବିଶେଷ ଭାବେ ପ୍ରଭାବିତ ହୋଇଛି। ଶିକ୍ଷାର ଅଭାବ ଯୋଗୁ ଯୁବକମାନେ ଦାଦନ ଖଟିବାକୁ ଯାଉଛନ୍ତି। ଏବେ ବି ୧୦ରୁ ଅଧିକ ଯୁବକ ଦାଦନ ଯାଇ ନିଖୋଜ ଥିବା ସ୍ଥାନୀୟ ପୁଲିସ ନିକଟରୁ ସୂଚନା ମିଳିଛି। ଲୋଧା ସଂପ୍ରଦାୟର ୮୦ ପ୍ରତିଶତ ମହିଳା କୁପୋଷଣର ଶିକାର। ୪୫ ପ୍ରତିଶତ ମହିଳା ରକ୍ତହୀନତାର ଶିକାର ହୋଇଛନ୍ତି। ଶିଶୁମାନଙ୍କର କ୍ଷେତ୍ରରେ ମଧ୍ୟ କୁପୋଷଣ ମୁଣ୍ଡବିନ୍ଧାର କାରଣ ସାଜିଛି। ଫଳରେ ଶିଶୁମାନଙ୍କର ବୌଦ୍ଧିକ ବିକାଶ ନ ହେବା ସହ ଜୀବନ ରକ୍ଷା ଚିନ୍ତାର କାରଣ ହୋଇଛି। ୫୫ ପ୍ରତିଶତ ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ ଅସ୍ଥିକ୍ଷୟ ରୋଗ ଏବଂ ୨୯ ପ୍ରତିଶତଙ୍କ କ୍ଷେତ୍ରରେ ଆଖି ରୋଗ ଚିନ୍ତାଜନକ। ଲୋଧା ଜନଜାତିର ମାତ୍ର ୪୪.୨୯ ପ୍ରତିଶତ ଘରକୁ ପାଇପ୍ ଜଳ ଯୋଗାଣ ବ୍ୟବସ୍ଥା ହୋଇପାରିଛି।
୪୧୫୫ ପରିବାର ଭୂମିହୀନ। ସ୍ୱଚ୍ଛ ଭାରତ ମିସନ୍ରେ ମାତ୍ର ୧,୦୨୫ ଗାଁ ସାମିଲ ହୋଇଛି। ବହୁ ଗାଁକୁ ରାସ୍ତା ନାହିଁ। ୩୦ ପ୍ରତିଶତ ଗାଁରେ ବିଜୁଳି ପହଞ୍ଚି ପାରିନି। ଲୋଧା ବିକାଶ ପରିଷଦରେ ଆବଶ୍ୟକ ମାନବ ସମ୍ବଳର ଅଭାବ ଏବଂ କାର୍ଯ୍ୟକ୍ଷେତ୍ରରେ ଦୁର୍ନୀତି ଯୋଗୁ ଯୋଜନା ଫଳବତୀ ହୋଇ ପାରୁ ନ ଥିବା କୁହାଯାଉଛି।
ଏନେଇ ଏଲ୍ଡିଏ ଭବାନୀ ପ୍ରସାଦ ପାଢ଼ୀ କହିଛନ୍ତି, ପିଏମ୍-ଜନମନ ଯୋଜନାରେ ଓଡ଼ିଶାର ୨୮,୩୮୩ ଲୋକଙ୍କୁ ପକ୍କା ଘର ପ୍ରଦାନ କରାଯାଉଛି। ଏଥି ପାଇଁ ୨୪ ହଜାର କୋଟି ଟଙ୍କା ବିନିଯୋଗ ହେଉଛି। ମୟୂରଭଞ୍ଜ ଜିଲ୍ଲାର ଲୋଧା ପରିବାର କେମିତି ଘର ପାଇବେ, ସେନେଇ ବ୍ୟବସ୍ଥା କରାଯାଉଛି। ଆସନ୍ତା ଦିନରେ ଲୋଧାଙ୍କ ବିକାଶ ତ୍ବରାନ୍ବିତ କରିବାକୁ ଉଦ୍ୟମ ଚାଲିଛି।
Follow Us