ତେନ୍ତୁଳିଖୁଣ୍ଟି: ଆଜିର ସଭ୍ୟ ସମାଜରେ ମଧ୍ୟ ଜାତିପ୍ରଥା ଭଳି ପରମ୍ପରା ବଞ୍ଚି ରହିଛି । ଜାତିପ୍ରଥା ଯୋଗୁ ଶବକୁ ମିଳିଲାନି ଚାରି କାନ୍ଧ। ପାଖ ପଡ଼ୋଶୀ କେହି ମଧ୍ୟ ମୃତକଙ୍କ ଶବକୁ ଛୁଇଁଲେନି। ଶେଷରେ କୌଣସି ଉପାୟ ନପାଇ ମୃତକଙ୍କ ଭଉଣୀ, ଭାଣିଜୀ, ଅନ୍ୟ ଜାତିରେ ବିବାହ କରିଥିବା ସାନ ଝିଅ ଓ  ସାନ ପୁଅ ଦେଲେ କାନ୍ଧ। ଶେଷରେ ଶ୍ମଶାନରେ ଶବକୁ ନେଇ ସତ୍କାର କରିଥିଲେ। ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁରଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ କଂଗ୍ରା ଗ୍ରାମରେ। ଜାତିପ୍ରଥାକୁ ନେଇ ଶବଦାହ ନିମନ୍ତେ ଚାରି କନ୍ଧ ଦେବାକୁ ଜାତିଭାଇ ମିଳିଲେନି।  ସରକାର ଜାତିପ୍ରଥାକୁ ନେଇ ଯେତେ କଠୋର ଆଇନ କାନୁନ କରିଥିଲେ ମଧ୍ୟ ସଭ୍ୟ ସମାଜରେ ଜାତିପ୍ରଥା ରହିଥିବା ଦେଖିବାକୁ ମିଳୁଛି ।

Advertisment

ପଡ଼ୋଶୀ ମଧ୍ୟ ଶବକୁ ଛୁଇଁ ନଥିଲେ

ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କଂଗ୍ରା ଗ୍ରାମର ଦୁର୍ଜନ ମାଝୀଙ୍କର ଦେହାନ୍ତ ହୋଇଥିଲା । ତାଙ୍କର  ଦୁଇ ଝିଅ ଓ ଜଣେ ପୁଅ। କିନ୍ତୁ ଜଣେ ଝିଅ ଅନ୍ୟ ଜାତିର ପୁଅକୁ ବିବାହ କରିଥିବାରୁ ତାଙ୍କର ଦେହାନ୍ତ ହେବା ପରେ ସମାଜ ଲୋକ କାନ୍ଧଦେବାକୁ ଆସିଲେ ନାହିଁ । ଯାହା ଫଳରେ ଅନ୍ୟ କିଛି ଉପାୟ ନପାଇ ସାନ ପୁଅ ଶିବ ମାଝୀ, ଅନ୍ୟ ଜାତିରେ ବିବାହ କରିଥିବା ସାନ ଝିଅ ସ୍ୱପ୍ନା ମାଝୀ, ମୃତକଙ୍କ ଭଉଣୀ ଓ ଭାଣିଜୀ ମିଶି ଶବକୁ କାନ୍ଧ ଦେଇ ଶ୍ମଶାନକୁ ନେଇ ସତ୍କାର କରିଥିଲେ । କିଛି ପାଖ ପଡ଼ୋଶୀ ଯାଇଥିଲେ ମଧ୍ୟ କେହି ଛୁଇଁ ନଥିଲେ । ଯାହାକୁ ନେଇ ସାନ ପୁଅ ଜାତିପ୍ରଥା ନୀତି ନିୟମ ଉପରେ ଆଙ୍ଗୁଳି ଦେଖାଇବା ସହ ନ୍ୟାୟ ଭିକ୍ଷା କରିଛନ୍ତି।

Vigilance Raid ଓଡ଼ିଶା ଇତିହାସରେ ସବୁଠାରୁ ବଡ଼ ଭିଜିଲାନ୍ସ ଚଢ଼ାଉ, କଟକ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରୁ ୪ କୋଟିରୁ ଅଧିକ ନଗଦ ଜବତ

ଦୁନିଆ କେତେ ଆଗକୁ ଯାଇଥିଲେ ମଧ୍ୟ ଆଜି ବି ଲୋକେ ଜାତିପ୍ରଥା ଜାଲରେ ପଡିରହିଛନ୍ତି। ଆଜିର ସଭ୍ୟ ସମାଜରେ ଜାତିପ୍ରଥା ନିୟମକୁ ଚାଲୁ ରଖିଥିବା ଦୁଃଖର ବିଷୟ ବୋଲି ମୃତକଙ୍କ ସାନପୁଅ ଅଭିଯୋଗ ଆଣିଛନ୍ତି।  ଏବେ ଜାତିରେ ମିଶିଲେ ହିଁ ମୃତକଙ୍କ ଆଗକୁ ଥିବା କାର୍ଯ୍ୟ କରିପାରିବେ ବୋଲି ସମାଜ ଲୋକେ କହୁଥିବା ଅଭିଯୋଗ ଆଣିଛନ୍ତି।

ଅନ୍ୟପଟେ ଏଭଳି ଘଟଣାକୁ ନେଇ ସମ୍ପୃକ୍ତ ସମାଜର ଲୋକେ,ପଡ଼ୋଶୀ କିମ୍ବା କୌଣସି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।