ନବରଙ୍ଗପୁର (ସୁରେଶ ନାଇଡୁ): ରାଜ୍ୟରେ ଆଞ୍ଚଳିକ ବୈଷମ୍ୟତାକୁ ବିରୋଧ ଏବଂ ବିକାଶର ବିକେନ୍ଦ୍ରୀକରଣ ଦାବିନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ପକ୍ଷରୁ ମଞ୍ଚ ଆବାହକ ଗୌରଚନ୍ଦ୍ର ତ୍ରିପାଠୀଙ୍କ ନେତୃତ୍ବରେ ଏକ ଶାନ୍ତିପୂର୍ଣ୍ଣ ଧର୍ମଘଟ ଅନୁଷ୍ଠିତ ହୋଇଯାଇଛି। ନାହିଁ ନାହିଁର ଜିଲ୍ଲା ନବରଙ୍ଗପୁର। ରାଜ୍ୟର ସବୁଠାରୁ ଗରିବ ଜିଲ୍ଲା। ସ୍ଵାଧୀନତାର ୭୮ ବର୍ଷ ବିତିଗଲାଣି ତଥାବି ରେଳ ଯୋଗାଯୋଗ ନାହିଁ, ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ନାହିଁ, ଉଚ୍ଚ ଶିକ୍ଷାର ସୁବିଧା ନାହିଁ, ଶିଳ୍ପ କଣ ଏ ଅଞ୍ଚଳବାସୀ ଆଜି ଯାଏଁ ଜାଣିପାରିଲେନି।
ନବରଙ୍ଗପୁର ମହାବିଦ୍ୟାଳୟ ପ୍ରତିଷ୍ଠାର ୫୦ବର୍ଷ ବିତିଯାଇଥିବା ସତ୍ତ୍ୱେ ସରକାରୀ ମାନ୍ୟତା ପାଇନି। ଅଭିବକ୍ତ କୋରାପୁଟ ଜିଲ୍ଲାରେ ସାକ୍ଷରତା ହାର ଜାତୀୟ ହାରଠାରୁ ବହୁତ କମ୍; ଗୁଣାତ୍ମକ ଶିକ୍ଷା ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ, ସଡ଼କ ଓ ରେଳ ଯୋଗାଯୋଗ ଅତ୍ୟନ୍ତ ଦୁର୍ବଳ; ଉଡାଜାହଜ ସ୍ବପ୍ନ। ସ୍ୱାସ୍ଥ୍ୟ ସୁବିଧା ବିପର୍ଯ୍ୟସ୍ତ ଏବଂ ବିଦ୍ୟୁତ୍ ଯୋଗାଣ ଅସ୍ଥିର। ଅନ୍ୟଦିଗରେ ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ଓ ସଂଯୋଗ କ୍ଷେତ୍ରରେ ଦ୍ରୁତ ଉନ୍ନତି ଦେଖାଯାଇଛି। ବିଶ୍ୱବିଦ୍ୟାଳୟ, ମେଡିକାଲ କଲେଜ ଏବଂ ବଡ଼ ଶିଳ୍ପ ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ପୂର୍ବରୁ ବିକଶିତ ଏହି ଅଞ୍ଚଳଗୁଡ଼ିକରେ ହିଁ କେନ୍ଦ୍ରିଭୁତ।ଅଥଚ ତେଲିଆ ମୁଣ୍ଡରେ ତେଲ ପରି ରାଜ୍ୟ ବଜେଟର ବୃହତ ଅଂଶ ପୂର୍ବରୁ ସମୃଦ୍ଧଶାଳୀ ଏହି ଜିଲ୍ଲା ମାନଙ୍କରେହିଁ ବିଶ୍ୱସ୍ତରୀୟ ସୁବିଧା ସୁଯୋଗ ପ୍ରଦାନରେ ବ୍ୟୟ କରାଯାଉଛି। ଏହି ପାତରଅନ୍ତର ନୀତି ଅବିଭକ୍ତ କୋରାପୁଟ ଅନ୍ଧାରିମୂଲକର ସରଳ ଆଦିବାସୀ ଭାଇ ଓ ଭଉଣୀଙ୍କ ମୁହଁରେ ଭରି ଦେଇଛି ବିଦ୍ରୋହର ସ୍ବର ବୋଲି କହିଛନ୍ତି ଶ୍ରୀ ତ୍ରିପାଠୀ।
ସବୁଠାରୁ ପଛୁଆ ଜିଲ୍ଲା
ମାର୍ଚ୍ଚ ୨୦୨୫ରେ ନୀତି ଆୟୋଗ ଦ୍ବାରା ପ୍ରକାଶିତ ରିପୋର୍ଟ ଅଭିବକ୍ତ କୋରାପୁଟ ଜିଲ୍ଲାକୁ ଦେଶର ‘ସବୁଠାରୁ ପଛୁଆ’ ଜିଲ୍ଲାଗୁଡ଼ିକ ମଧ୍ୟରେ ପରିଗଣିତ କରିବା ପୁନର୍ବାର ଏହି ଗଭୀର ଅସମତାକୁ ପ୍ରକାଶ କରିଛି। ଶ୍ରୀ ତ୍ରିପାଠୀ କହିଛନ୍ତି, ବର୍ଷ ବର୍ଷ ଧରି ଅବହେଳିତ ଏବଂ ଉପେକ୍ଷିତ ଏହିସବୁ ଜିଲ୍ଲାବାସୀ ନିଜ ରାଜ୍ୟରେ ନିଜକୁ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବରେ ମନେ କରୁଛନ୍ତି। ସରକାରଙ୍କ ବୈମାତୃକ ମନୋଭାବ ସେମାନଙ୍କୁ ଗଭୀର ଭାବରେ ବ୍ୟଥିତ କରିଛି ।
ଆହୁରି ପଢ଼ନ୍ତ: UttarPradesh: ୧୦ ବର୍ଷ ପରେ ଫେରିଲା ହଜିଲା ପୁଅ… ‘ଅପରେସନ ମୁସ୍କାନ’ ଫୁଟାଇଲା ମାଆ ମୁହଁରେ ହସ
ଇଥାନୁ ଆରି ନିଆଈ
ସ୍ବାଧୀନତା ସଂଗ୍ରାମରେ ଲହୁଲୁହ ବୁହାଇ ଥିବା ସଂଗ୍ରାମୀର ମାଟି ଅବିଭକ୍ତ କୋରାପୁଟ ନିଷ୍ପତ୍ତି ନେଇଛି ‘ଇଥାନୁ ଆରି ନିଆଈ’, ବହୁତ ହେଲା ଆଉ ନାହିଁ, ନିଜ ହକ୍ର ଲଢେଇ ସେ ନିଜେ ଲଢ଼ିବ। ରାଜ୍ୟରେ ଆଞ୍ଚଳିକ ବୈଷମ୍ୟତା ଦୂରୀକରଣ ଏବଂ ବିକାଶର ବିକେନ୍ଦ୍ରୀକରଣ ଦାବିନେଇ ଅଣ ରାଜନୈତିକ ସଂଗଠନ ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ପକ୍ଷରୁ ଏହି ଶାନ୍ତିପୂର୍ଣ୍ଣ ଧର୍ମଘଟ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦିଆଯାଇଥିଲା, ଆମେବି ଓଡ଼ିଶାବାସୀ, ଆମ ପ୍ରତିବି ନଜର ପଡୁ ବୋଲି କହିଛନ୍ତି ଶ୍ରୀ ତ୍ରିପାଠୀ। ମଂଚକୁ ଜିଲ୍ଲା ନାଗରିକ କମିଟି ସହ ଅନ୍ୟ ସଙ୍ଗଠନ ସମର୍ଥନ କରିଛନ୍ତି। ଧାରଣାରେ କୁମୁଦ ନାୟକ, ରାଜେନ୍ଦ୍ର ବିଷୋଇ, ସୁରେଶ ତ୍ରିପାଠୀ, ଶଶାଙ୍କ ତ୍ରିପାଠୀ, ଦୂର୍ଗା ପ୍ରସାଦ ସାହୁ, ମନୋରଂଜନ କାର୍ତିକ, ରାମ ପାତ୍ର, ଲଲିତ ମୋହନ ନାୟକ, ଏଚଡି ସୁଧୀର ପାତ୍ର ଏବଂ ପ୍ରଭାତୀ ତ୍ରିପାଠୀ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ଏହିପରି ଧର୍ମଘଟ ଗତ ୧୫ ତାରିଖରେ କୋରାପୁଟ ଏବଂ ୧୭ ତାରିଖରେ ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ପ୍ରତ୍ୟେକ ପଂଚାୟତସ୍ତରରେ ଏହି ଧର୍ମଘଟ କରାଯିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।
ଆହୁରି ପଢ଼ନ୍ତୁ: Naxal: ନକ୍ସଲଙ୍କ ବନ୍ଧୁକ, ବୋମା ତିଆରି କାରଖାନା ଧ୍ବଂସ କଲେ ଯବାନ
Follow Us