ନବରଙ୍ଗପୁର (ସୁରେଶ ନାଇଡୁ): ମଣ୍ଡିରେ ଧାନ ଦେବାରୁ ମାସକ ପରେ ବି ଚାଷୀ ଟଙ୍କା ପାଇନଥିଲେ। ଚାଷୀମାନେ କ୍ରୟକାରୀ ସଂସ୍ଥା, ବ୍ଲକର ଏମଆଇ, ଏଆରସିଏସ୍, ସିଏସଓଆଦି କାର୍ଯ୍ୟାଳୟ ଦୌଡି ନୟାନ୍ତ ହେବା ପରେ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁଙ୍କ ଦ୍ବାରସ୍ଥ ହୋଇଥିଲେ। ଜିଲ୍ଲାର ସମସ୍ତ ୧୦ଟି ଯାକ ବ୍ଲକର ଚାଷୀଙ୍କ ଠାରୁ କ୍ରୟକାରୀ ସଂସ୍ଥା ଧାନ ଗତ ମାସକ ହେବ ନେଇଥିବା ବେଳେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇନି ବୋଲି ଅଭିଯୋଗ ହୋଇଥିଲା। ଜିଲ୍ଲାର ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ଚନ୍ଦାହାଣ୍ଡି ବ୍ଲକରେ ଏଭଳି ବେଶିମାତ୍ରାରେ ହୋଇଥିଲା।
ଜିଲ୍ଲାପାଳଙ୍କ ନିକଟକୁ ଚାଷୀ ମାନେ ଅଭିଯୋଗ କରିବା ପରେ ସେ ସିଏସଓ ଦେବାଶିଷ ମହାନ୍ତିଙ୍କୁ ତୁରନ୍ତ ଟଙ୍କା ପ୍ରଦାନ କରାନ୍ତୁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଗତ ତିନି ଦିନ ମଧ୍ୟରେ ୨୩୮୦ଜଣ ଚାଷୀଙ୍କ ଆକାଉଣ୍ଟରେ ୫୫.୦୭କୋଟି ଟଙ୍କା ଜମା ହୋଇଥିବା କହିଛନ୍ତି ସିଏସଓ ଓ ଏସିଏସଓ ବିଷ୍ଣୁ ପ୍ରସାଦ ପ୍ରଧାନ। ଏହା ବାଦେ ବି ଚାଷୀଙ୍କ ଦୁଃଖ ସରିନି । ମଣ୍ଡିରେ ଏବେ ବି ୯୭ହଜାର୨୩୯କ୍ବିଣ୍ଟାଲ ଧାନ ପଡି ରହିଛି।
ଜିଲ୍ଲାରେ ତିନି ପର୍ଯ୍ୟାୟରେ ୨୫,୮୮,୦୦୦ କ୍ବିଣ୍ଟାଲ ଧାନ କିଣାଯିବା ଲକ୍ଷ୍ୟ ମିଳିଛି। ୫୮ଟି ମଣ୍ଡିରେ ୫୨ଟି କ୍ରୟକାରୀ ସଂସ୍ଥା ଜରିଆରେ ୪୧,୫୩୮ଜଣ ଚାଷୀଙ୍କ ଠାରୁ ୨୩ଲକ୍ଷ ୩ହଜାର ୪୦୦ କ୍ବିଣ୍ଟାଲ ଧାନ କିଣାଯାଇଛି ବୋଲି କହିଛନ୍ତି ସିଏସଓ। ମଣ୍ଡିରେ ୯୭ହଜାର ୨୩୯କ୍ବିଣ୍ଟାଲ ଧାନ ରହିଛି ବୋଲି କହିଛନ୍ତି ସିଏସଓ। ୩୯,୬୩୯ଜଣ ଚାଷୀଙ୍କୁ ୫୦୦.୭୫୪କୋଟି ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି ବୋଲି ସିଏସଓ କହିଛନ୍ତି।
ଆହୁରି ପଢ଼ନ୍ତୁ: Crime: ଭିଡିଓ ଉତ୍ତୋଳନ କରୁଥିବା ସାମ୍ବାଦିକଙ୍କ ମୋବାଇଲ ଚୋପିଦେଲେ ଦୁର୍ବୃତ୍ତ
ଚନ୍ଦାହାଣ୍ଡି ବ୍ଲକର ଚାଷୀ ଦ୍ରୋଣ ସାହୁ, ଓଂକାର ପୋଟା, ହୃଷିକେଶ ସାହୁ, ମଜିଦା ଫାତିମା, ପ୍ରଦୀପ ସାହୁ, ଶିବାନନ୍ଦ ଯୋଶୀ, ଉଗ୍ରେସନ ସମରଥ, ମାନସିଂ ସାହୁ, ସହଦେଵ ପୂଜାରୀ, ଚୈତନ୍ୟ ମାଝୀ, ଚନ୍ଦ୍ର ମୋହନ ନାୟକ, ତୁଳାରାମ ନାୟକ, ଚନ୍ଦନ ଗୌଡ଼, ସନ୍ଦୀପ ମାଝୀ, ସତ୍ୟବାନ ମୁଣ୍ଡ, ରାଇବାରୁ ବିଶି, ଦେବାନନ୍ଦ ସିହ୍ନାଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିବା ଚାଷୀମାନେ କହିଥିବା ଆମ ଚନ୍ଦାହାଣ୍ଡି ପ୍ରତିନିଧି ସୂଚନା ଦେଇଛନ୍ତି।
Follow Us