ନବରଙ୍ଗପୁର (ସୁରେଶ ନାଇଡୁ): ନବରଙ୍ଗପୁର ଜିଲ୍ଲାର ଉମରକୋଟ, ରାଇଘର, ଝରିଗାଁ, ଡାବୁଗାଁ, ପାପଡାହାଣ୍ଡି, କୋଷାଗୁମୁଡା, ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳରେ ଜୀବନଜୀବିକା ପାଇଁ ନାବାଳିକାମାନେ ଅଧାରୁ ପାଠ ପଢା ଛାଡି ଦାଦନ ଖଟିବାକୁ ତାମିଲନାଡୁର ତିରୁପୁର ଯାଉଥିବା ଦେଖାଯାଇଛି। ମାତ୍ର ୧୫ ବର୍ଷ ବୟସର ନାବାଳିକାମାନେ ତିରୁପୁର ଯାଇ ଯାଇ ନିର୍ଯାତନାର ଶିକାର ହେଉଥିବା ଖବର ମଧ୍ୟ ରହୁଛି।
ସ୍ଥାନୀୟ ପୁଲିସ ତଥା ଶ୍ରମ ବିଭାଗ ତରଫରୁ କୌଣସି କଟକଣା ନ ଥିବାରୁ ଜୀବନକୁ ବାଜି ଲଗାଇ ନାବାଳିକାମାନେ ଦାଦନ ଖଟିବାକୁ ଯାଉଛନ୍ତି। ତିରୁପୁର ଲୁଗା କଳ ବ୍ୟବସାୟୀଙ୍କ ମାନଙ୍କ ଦଲାଲମାନେ ମଧ୍ୟସ୍ଥି ସାଜି ନାବାଳିକାମାନଙ୍କୁ ଚାଲାଣ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି। ଏହା ବାଦେ ଓରମାସ ଜରିଆରେ ଦିନଦୟାଲ ଉପାଧ୍ୟୟ ଗ୍ରାମୀଣ କୌଶଳ ଯୋଜନାରେ ବି ବିଭିନ୍ନ ସଂସ୍ଥା ଜରିଆରେବି ଯାଇଛନ୍ତି। ଗତ ସପ୍ତାହ ତଳେ ଝରିଗାଁ ଓଡାବୁଗାଁ ବ୍ଲକର ୯ ଯୁବତୀ ତିରୁପୁରରୁ ଫେରୁଥିବା ବେଳେ ଚିନ୍ତୁର ନିକଟରେ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଚାଳକଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ଏବେ ସରକାରଙ୍କ ଅଚାନକ ନିଦ୍ ଭାଙ୍ଗିଛି। ରାଜ୍ୟସରକାର ଜିଲ୍ଲାପ୍ରଶାସନର ଜଣେ ଅଧିକାରୀ ତିରୁପୁର ଯାଇ ନବରଙ୍ଗପୁର ଜିଲ୍ଲାରୁ କେତେ ଜଣ ଯୁବତୀ ସେଠାରେ ରହି କାମ କରୁଛନ୍ତି। କେଉଁ ପରିସ୍ଥିତିରେ ରହିଛନ୍ତି। ସେମାନଙ୍କୁ କେତେ ଦରମା ମିଳୁଛି। ଆଦିର ସମ୍ପୁର୍ଣ୍ଣ ତଥ୍ୟ ସଂଗ୍ରହ କରିବାକୁ ଚିଠି କରିଥିବା ସୂଚନା ମିଳିଛି।
ପାଠ ପଢୁଥିବା ନାବାଳିକାମାନେ ଘରର ଆର୍ଥିକ ସ୍ଥିତି ଖରାପ ଥିବା ସହ ଗାଁରେ କାମ ଧନ୍ଦା ନ ଥିବାରୁ ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି। ଦଲାଲମାନେ ଅତ୍ୟଧିକ ଟଙ୍କା ଲାଳସା ଦେଖାଇ ନାବାଳିାକଙ୍କ ପରିବାରବର୍ଗଙ୍କୁ ଅଗ୍ରୀମ ଟଙ୍କା ଦେଇ ଚାଲାଣ କରୁଛନ୍ତି। ସେହିପରି ଜିଲ୍ଲାରୁ ଓରମାସ ଜରିଆରେ ୨୮ଜଣ ଯୁବତୀ ତିରପୁର ଯାଇଥିବା ସୂଚନା ମିଳିଛି। ତେବେ ବିଭିନ୍ନ ସମୟରେ ମଜୁରୀ ପାଉ ନ ଥିବା ବେଳେ ବିଭିନ୍ନ ରକମର ନିର୍ଯ୍ୟାତିତ ହୋଇ ଫେରୁଛନ୍ତି। ଏଥିରେ ଯୌନ ନିର୍ଯ୍ୟାତନା ମଧ୍ୟ ରହିଛି। ଓରମାସ ଜରିଆରେ ଦିନଦୟାଲ ଉପାଧ୍ୟୟ ଗ୍ରାମୀଣ କୌଶଳ ଯୋଜନାରେ ପିଲାଙ୍କୁ ପ୍ରଶିକ୍ଷଣ ଦେବା ସହ ବିଭିନ୍ନ କମ୍ପାନିରେ ନିଯୁକ୍ତି ଦେବା ପାଇଁ ରାଜ୍ୟସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।
ଆହୁରି ପଢ଼ନ୍ତୁ: Marriage: ବିବାହର ଚତୁର୍ଥ ଇନିଂସ ଖେଳିବେ ସାନିଆ ମିର୍ଜାଙ୍କ ପୂର୍ବତନ ସ୍ବାମୀ?
ତେବେ କିଛି ପୁରୁଣା ଅନୁଷ୍ଠାନ ସରକାରଙ୍କ ଠାରୁ ହଜାର ହଜାର ପିଲାଙ୍କୁ ପ୍ରଶିକ୍ଷଣ ଦେଇ ଘରୋଇ କମ୍ପାନୀରେ ନିଯୁକ୍ତି କରାଇବାକୁ ଗତ ୨୦୧୪ମସିହାରୁ ୨୦୨୩ ଯାଏଁ ୫୦ କୋଟି ଟଙ୍କା ନେଇ ବି କାର୍ଯ୍ୟକାରୀ କରାଇ ନାହାନ୍ତି। ଏଥିରେ ଓଡିଶାର ୨ଟି, ଚେନ୍ନାଇର ୪ଟି, ଓ ନୂଆଦିଲ୍ଲୀର ୬ଟି ଏଭଳି ୧୨ଟି ସଂସ୍ଥା ରହିଥିବା ବେଳେ ଏସବୁକୁ ରାଜ୍ୟସରକାର ବ୍ଲାକ୍ ଲିଷ୍ଟ କରିଛି। ଏହା ବାଦେ ଏବେ ଯେଉଁ ସବୁ ନୂଆ ତାଲିମ ସଂସ୍ଥା ଗୁଡିକ ତାଲିମ ଦେବା ପରେ କେତେ ପରିମାଣର ନିଯୁକ୍ତି ଦେଇଛନ୍ତି ତାହାର ଯାଂଚ ପ୍ରକ୍ରିୟା ବୋଲି କହିଛନ୍ତି ଓରମାସର ଡେପୁଟି ସିଇଓ ରୋଶନ କୁମାର କାର୍ତ୍ତିକ। ଫେରିଥିବା ୯ଟି ଯୁବତୀ କହିଛନ୍ତି, ସୁତା କାଟିଲେ ଖାଦ୍ୟ, ରହିବା ଆଦିକୁ ମିଶାଇ ୧୦ହଜାର ଟଙ୍କା ଓ ସିଲେଇ କଲେ ୧୨ହଜାର ଟଙ୍କା ଦରମା ଦିଆଯାଉଥିବା କହିଛନ୍ତି। ଏମାନଙ୍କ ପରି ତିରୁପୁରରେ ଝରିଗାଁ, ଡାବୁଗାଁ, ଉମରକୋଟ, ରାଇଘର, ପାପଡାହାଣ୍ଡି, କୋଷାଗୁମୁଡା, ତେନ୍ତୁଳିଖୁଣ୍ଟି ବ୍ଲକର ବି ବିଭିନ୍ନ ବର୍ଗର ଝିଅ ରହିଥିବା କହିଛନ୍ତି।
Follow Us