ନବରଙ୍ଗପୁର (ସୁରେଶ ନାଇଡୁ): ଦକ୍ଷିଣ ଓଡ଼ିଶାର ପ୍ରମୁଖ ସାପ୍ତହିକ ହାଟ ମଧ୍ୟରେ ନବରଙ୍ଗପୁରର ସ୍ଥାନ ପ୍ରଥମ ରହିଥିଲା। ପ୍ରାୟ ୨୦ଏକର ପରିଧି ଅଂଚଳରେ ହାଟ ଚାଳିଥିଲା। ପ୍ରତି ସୋମବାର ହାଟ ବସୁଥିଲା। ଲୋକଙ୍କ ଦୈନନ୍ଦିନ ଜୀବନର ଆବଶ୍ୟକତା ପୂରଣ କରୁଥିଲା ହାଟ। ଗାଈ ଗୋରୁ , ଛେଳି, ଓ ଦେଶୀ କୁକୁଡା ବିକ୍ରିବଟାର ପ୍ରମୁଖତା ଲାଭ କରିଥିଲା। ଆନ୍ଧ୍ର ଓ ଓଡ଼ିଶାର ପ୍ରମୁଖ ଗୋରୁହାଟ୍ ପାର୍ବତୀପୁରମ, ମାନାପୂରମ ସହ ସମକ୍ଷକ ନବରଙ୍ଗପୁର ଥିଲା। ଏନେ ନବରଙ୍ଗପୁର ହାଟ ନିଶ୍ଚନ୍ନ।
ଆଖପାଖ ଗ୍ରାମର ଚାଷୀ ଉତ୍ପାଦିତ ସାମଗ୍ରୀ, ଆଦିବାସୀ ସଂପ୍ରଦାୟର ଲୋକ ନିଜ କୌଳିକ ବୃତ୍ତିରୁ ପ୍ରସ୍ତୁତ ଏବଂ କରାଯାଇଥିବା ସାମଗ୍ରୀକୁ ନେଇ ହାଟକୁ ବିକ୍ରି କରିବାକୁ ଆସୁଥିଲା। ନିଜ ଘରର ଆବଶ୍ୟକତା ଅନୁଯାୟୀ ହାଟରେ ବିଭିନ୍ନ ଜିନିଷ ଅଦଳବଦଳରେ ନେଉଥିଲେ। ଏବେକାର ନୂଆବସଷ୍ଟାଣ୍ଡରୁ ଆରମ୍ଭ ହୋଇ, ପାର୍କ, କୃଷକ ବଜାର, ଏଲଆଇସି କାର୍ଯ୍ୟାଳୟ ଯାଏଁ ହାଟ ବିସ୍ତୃତ ସ୍ଥାନରେ ରହିଥିଲା। ପରବର୍ତ୍ତୀ ସମୟରେ ଏହାକୁ ସ୍ଥାନାନ୍ତର କରି ଇଛାବତୀଗୁଡା ଭାଟିଶାଳଗୁଡା ମଧ୍ୟକୁ ସ୍ଥାନାନ୍ତର କରାଯାଇ ନିୟନ୍ତ୍ରିତ ବଜାର କମିଟି(ଆରଏମସି) କାର୍ଯ୍ୟାଳୟ ସ୍ଥାପନ କରାଯାଇଥିଲା। ବିରାଟ ଆମ୍ବତୋଟା ମଧ୍ୟରେ ବସୁଥିବା ହାଟରେ କୌଣସି ସାମଗ୍ରୀର ଅଭାବ ନଥିଲା। ଟାଙ୍ଗିଆ, କାତି, ଦାଆ, ଖୋସଣି(ଖୋସା), କୋଦାଳ, ପଥର ଶୀଳ, ଛାତୋଡ଼ି, ତଲାରି, ମାଛ ଧରିବା ଧାନ୍ଦର, ଚାଙ୍ଗୁଡ଼ି ଭଳି ବାଉଁଶ ତିଆରି ସାମଗ୍ରୀ, ପ୍ଲାଷ୍ଟିକ, ଚୁଡ଼ି, ମାଳି, କାଠ ପାନିଆ, ଲାଲ ରିବନ୍, ଆଲୁମିନିୟମରୁ ତିଆରି ବାସନକୁସନ, ମାଟିରେ ନିର୍ମିତ ବିଭିନ୍ନ ଜିନିଷ ସହ ଚାଷୀମାନେ ବିଭିନ୍ନ ପ୍ରକାର ବିହନ ବିକ୍ରି କରୁଥିଲେ ହାଟରେ। ହାଟର ଶେଷ ମୁଣ୍ଡରେ ସ୍ବତନ୍ତ୍ର ଭାବେ ଗୋରୁ ହାଟ ବସୁଥିଲା। ଏଥିରେ ଗାଈଗୋରୁ, ମଇଁଷି ସହ ଛେଳି,କୁକୁଡ଼ା, ମାଛବି ମିଳୁଥିଲା। ପନିପରିବା ସହ ଶୁଖୁଆ ବି ବିକ୍ରି ହେଉଥିଲା। ପନିପରିବା ଠାରୁ ଆରମ୍ଭ କରି ଘରକରଣା, ପୋଷାକପତ୍ର ଦୋକାନ ଶତାଧିକ ଥିଲା। ଜଙ୍ଗଲଜାତ ଦ୍ରବ୍ୟ ବି କିଣାବିକା ହେଉଥିଲା। ଆଦିବାସୀଅଧ୍ୟୁଷିତ ଅଂଚଳ ହୋଇଥିବାରୁ ବର କନିଆ ଖୋଜିବାର ମାଧ୍ୟମ ସହ ଦୂରଦୂର ଗାଁରେ ରହୁଥିବା ସମ୍ପର୍କୀୟଙ୍କ ଭାବର ଦିଆନିଆ ବି ଜାରି ରହୁଥିଲା।
ଆହୁରି ପଢ଼ନ୍ତୁ: ସାପ୍ତାହିକ ହାଟରୁ ମୋବାଇଲ ଚୋରି: ଲୁଟେରାଙ୍କୁ ନିସ୍ତୁକ ପିଟିଲେ ସ୍ଥାନୀୟ ଲୋକେ
ଖଜା, ପିଠା, ମିଠା, ଲାଲ ଝିଲାପି, ଚୁଡ଼ା, କେନ୍ଦୁ ଭଳି ଜଙ୍ଗଲଜାତ ଦ୍ରବ୍ୟ ଆଦି ବିକ୍ରି ହେଉଥିଲା। ହାଟ ଆରମ୍ଭରେ ବିକ୍ରି ହେଉଥିଲା ଦହି ଓ ରଙ୍ଗିନ ସରବତ। ଜିଲ୍ଲାରେ ଜୀବନସାଥୀ ଖୋଜିବାରେ ହାଟ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା। ଏବେ ନାଁକୁ ମାତ୍ର ହାଟ ହେଉଛି। ହାଟରୁ ଗୋରୁଗାଈ, କୁକୁଡା ଆଦି ବିକ୍ରି ସମ୍ପୁର୍ଣ୍ଣ ରୁପେ ବନ୍ଦ ହୋଇଛି। ୨୦ଏକରରେ ବସୁଥିବା ହାଟରେ ୧୦ରୁ ଊର୍ଦ୍ଧ୍ବ ଲାଇନରେ ଶତାଧିକ ମହିଳା ପନିପରିବା ବିକ୍ରି କରୁଥିବା ବେଳେ ଏବେ ଗୋଟିଏ ଲାଇନରେ ୫୦୦ମିଟରରେ ୧୦ଜଣ ମହିଳା ପନିପରିବା ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଶହ ଶହ ବ୍ୟବସାୟୀଙ୍କ ସ୍ଥାନରେ ହାତ ଗଣତି ୨୦ଜଣଙ୍କରେ ନବରଙ୍ଗପୁର ହାଟ ଚାଳିଛି। ହାଟ ଚାରିପଟେ ଏବେ ସହରର ବ୍ୟବସାୟୀଙ୍କ ଗୋଦାମ ଘର ଭରି ଯାଇଛି। ଆଉ କିଛି ଦିନ ମଧ୍ୟରେ ସମ୍ପୁର୍ଣ୍ଣ ରୁପେ ନବରଙ୍ଗପୁର ହାଟ ମରିଯିବ। ଏହାକୁ ବଂଚାଇବାକୁ ପ୍ରଦୀପ ସାହୁ, ସନ୍ତୋଷ ମିଶ୍ର ପ୍ରମୁଖ ଦାବି କରିଛନ୍ତି।
Follow Us