Vending machine not functioning in Nabarangpur hospital. Photograph: (sambad.in)
ନବରଙ୍ଗପୁର: ନବରଂଗପୁର ଜିଲ୍ଲା ହସପିଟାଲ୍ ରୋଗୀସେବା ଆଧୁନିକୀକରଣ କାର୍ଯ୍ୟକ୍ରମ ଫେଲ୍ ମାରିଛି। ଅନଲାଇନ୍ ପଞ୍ଜୀକରଣ, ଭେଣ୍ଡିଂ ମେସିନ୍ରୁ ଓପିଡି ପ୍ରେସକ୍ରିପସନ୍ ସଂଗ୍ରହ ଏକପ୍ରକାର ଅଚଳ ହୋଇଯାଇଛି। ଲକ୍ଷାଧିକ ଟଙ୍କାର ଦୁଇଟି ଓପିଡି ଟିକଟ୍ ମେସିନ ଖତଖାଉଛି। ଦୁଇଟି ଯାକ ସୋ’ ପିସ୍ (ପ୍ରଦର୍ଶନ) କରି ରଖାଯାଇଛି। ଅବହେଳା, ପରିଚାଳନାଗତ ତ୍ରୁଟି ଲାଗି ରୋଗୀ ଏବଂ ସମ୍ପର୍କୀୟ ହଇରାଣ ହେଉଛନ୍ତି।
ପଂଜୀକରଣ କାଉଣ୍ଟରରେ ଭିଡ଼
ଅନ୍ଲାଇନ୍ ସେବା ଉପଲବ୍ଧ ନଥିବାରୁ ପଞ୍ଜୀକରଣ କାଉଣ୍ଟରରେ ପ୍ରବଳ ଭିଡ଼ ଲାଗୁଛି। ସ୍ବାସ୍ଥ୍ୟସେବାକୁ ଡିଜିଟାଲାଇଜ୍ କରିବା ଯୋଜନାରେ ଡି ଏଚଏନ୍କୁ ଅଣାଯାଇଥିଲା ୨ ଓପିଡି ଟିକଟ ମେସିନ୍। ପୁରୁଣା ଡିଏଚ୍ଏଚ୍ର ଦୁଇ ପ୍ରବେଶ ପାର୍ଶ୍ବରେ ଏହାକୁ ସୋ ପିସ୍ ଭଳି ରଖାଯାଇଛି। ଉଦ୍ଦେଶ୍ୟ ଥିଲା ରୋଗୀ ମୋବାଇଲ୍ ଫୋନ୍ରେ ‘ଇ-ସ୍ବାସ୍ଥ୍ୟ’ ପୋର୍ଟାଲକୁ ଯାଇ ନିଜ ବାବଦରେ ସଠିକ ତଥ୍ୟ ଦେଇ ଅନ୍ଲାଇନ୍ରେ ପଞ୍ଜୀକରଣ କରିପାରିବେ। କ୍ୟୁଆର୍ କୋଡ୍ ସ୍କାନ୍ କରି ଓପିଡି ଟିକଟ୍ ନେଇ ନିର୍ଦ୍ଧାରିତ ସମୟରେ ଡାକ୍ତରଙ୍କୁ ଭେଟି ପାରିବେ। ଯଦ୍ୱାରା ଲମ୍ବା ଲାଇନ୍ରୁ ମୁକ୍ତି ମିଳିବ ଏବଂ ଓପିଡି ଟିକଟରେ ରହୁଥିବା ତଥ୍ୟଗତ ତ୍ରୁଟିରେ ସୁଧାର ଆସିବ। ତେବେ ଏହା କାମ ନ କରିବାରୁ ଏହି ସୁବିଧା ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ପାଉ ନାହାନ୍ତି।
ଆହୁରି ପଢ଼ନ୍ତୁ: Rescue Adarsha : ଆଦର୍ଶଙ୍କୁ ନିରାପଦ ଫେରାଇ ଆଣିବାକୁ ବୈଦେଶିକ ମନ୍ତ୍ରାଳୟକୁ ଅନୁରୋଧ କଲେ ଓଡ଼ିଶା ସରକାର
କେବେ ମଳିବ ଅତ୍ୟାଧୁନିକ ସେବା
ଡାକ୍ତରଖାନାକୁ ଆସିଥିବା ଜଣେ ରୋଗୀ ସମ୍ପର୍କୀୟ କହିଛନ୍ତି, ଅନଲାଇନ୍ ବ୍ୟବସ୍ଥା ଭଲ ଥିଲା। ବାଇକ୍ରେ କ୍ୟୁ'ଆର କୋଡ୍ ସ୍କାନ୍ କରି ଓପିଡି ଟିକଟ ନେଇ ଡାକ୍ତରଙ୍କୁ ଭେଟିବା ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ। ଯଦ୍ୱାରା ପଞ୍ଜୀକରଣ ଲମ୍ବା ଲାଇନ୍ରୁ ମୁକ୍ତି ମିଳିବା ସହ ଅଯଥା ସମୟ ନଷ୍ଟ ହେବ ନାହିଁ। ଅପରପକ୍ଷରେ ଓପିଡି ଟିକଟ ଲାଗି କାଉଣ୍ଟରରେ ଲମ୍ବା ଲାଇନ୍ରେ ଅପେକ୍ଷା କରିବାକୁ ପଡ଼ୁଛି। ଡାକ୍ତରଖାନା କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବା ଦରକାର ବୋଲି ଦାବି ହୋଇଛି। ଲୋକେ ଏହାକୁ କିଭଳି ପରିଚାଳନା କରିବେ ଜାଣି ପାରୁ ନଥିବାରୁ ଏହାକୁ ବନ୍ଦ କରି ରଖାଯାଇଛି। ଅତିଶୀଘ୍ର ଏହି ଦୁଇଟି ଓପିଡି ମେସିନ ସହ ଅନ୍ୟାନ୍ୟ ଅତ୍ୟାଧୁନିକ ସେବା ଓ ସୁବିଧା ଉପଲବ୍ଧ କରିବାକୁ ପ୍ରୟାସ କରାଯିବ ବୋଲି କହିଛନ୍ତି ଡିଏମଓ ଡ.ସୁକାନ୍ତ କୁମାର ଶତପଥୀ। ଦେଖିବାକୁ ବାକି ରହିଲା କେବେ ଏହି ଦୁଇ ମେସିନ୍ ସହ ଅନ୍ୟାନ୍ୟ ଅତ୍ୟାଧୁନିକ ସେବା ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ପାଇବେ।
ଆହୁରି ପଢ଼ନ୍ତୁ: 🔴LIVE | Bilaspur Train Accident: ଲାଲଖାଦାନ ନିକଟରେ ଲୌହଦାନବର ରକ୍ତଭୋଜି ! ଦୁର୍ଘଟଣାରେ ୧୦ ମୃତ, ମୃତକଙ୍କ ମଧ୍ୟରେ ୩ ରେଳ କର୍ମଚାରୀ…
Follow Us