ନବରଙ୍ଗପୁର (ସୁରେଶ ନାଇଡୁ): ସ୍ବଚ୍ଛତା ରକ୍ଷା କରି ଏଫଏକ୍ୟୁର ଧାନ କିଣ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ କଟନିଛଟନି ବିବାଦ ପାଇଁ ଜିଲ୍ଲାର ୫୮ଟି ମଣ୍ଡିରେ ଧାନ କିଣିବାର ଦିନକ ପରେ ଉଠୁନି। ଚାଷୀଙ୍କ ସହ କୌଣସି ସିଧାସଳଖ ସମ୍ପର୍କ ନଥିବା ମିଲର୍ସମାନେ ମଧ୍ୟସ୍ଥି ଓ ଦଲାଲଙ୍କ ଜରିଆରେ କଟନିଛଟନି ବିବାଦ କରି ଧାନ ଉଠାଇବାରେ ବିଳମ୍ବ କରୁଛନ୍ତି। ଧାନ କିଣାରେ ମିଲର୍ସଙ୍କ ଭୂମିକା ନଥିବା ବେଳେ କଟନିଛଟନି ସେମାନେ କାହିଁକି କରୁଛନ୍ତି ବୋଲି ଚାଷୀ ପ୍ରଶ୍ନ କରିଛନ୍ତି। ଧାନ କ୍ରୟକାରୀ ସଂସ୍ଥା ଲ୍ୟାମ୍ପସ, ଏସଏଚଜି ଓ ପାଣିପଂଚାୟତ ନିଜ ଭୂମିକା ନିଭାଉ ନଥିବା ଅଭିଯୋଗ ଚାଷୀ କରିଛନ୍ତି।

Advertisment

ଗତ ୧୭ ତାରିଖରୁ ନବରଂଗପୁର ଜିଲ୍ଲାରେ ମଣ୍ଡି ଆରମ୍ଭ ହୋଇଥିବା ବେଳେ ଆଜି ସଂଧ୍ୟା ଯାଏଁ ୧୪୧୦ ଚାଷୀଙ୍କ ଠାରୁ ୬୦୧୬୭ କୁଇଣ୍ଟାଲ ଧାନ କିଣା ସରିଥିବା କହିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ ଦେବାଶିଷ ମହାନ୍ତି। ଜିଲ୍ଲାରେ ୯୫ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ ହୋଇଛି। ୫୮ଟି ମଣ୍ଡିରେ ଧାନ ବିକ୍ରି କରିବାକୁ ଜିଲ୍ଲାର ୧୩ଟି କ୍ରୟକାରୀ ସଂସ୍ଥା ଲ୍ୟାମ୍ପରେ ୨୨ହଜାର ୨୨୧ଜଣ, ୪୪ଟି ଏସ୍ଏଚ୍‌ଜିରେ ୨୬ହଜାର ୫୧୬ଜଣ ଓ ୨ଟି ପାଣି ପଂଚାୟତ ଜରିଆରେ ୨୧୮୨ଜଣ ଏଭଳି ୫୦ହଜାର ୯୧୯ଜଣ ଚାଷୀ ପଂଜୀକରଣ କରିଥିଲେ ବୋଲି କହିଛନ୍ତି ସିଏସଓ।

ଧାନ ବିକ୍ରି କରିବାକୁ  ୪୧୫୫୬ ଚାଷୀ ଯୋଗ୍ୟ

ତେବେ ଧାନ ଜମିର ପ୍ଲଟ ଯାଂଚ ଚାଲିଥିବାରୁ ଏଯାଏଁ ଧାନ ବିକ୍ରି କରିବାକୁ  ୪୧୫୫୬ ଚାଷୀ ଯୋଗ୍ୟ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୧୪ଲକ୍ଷ ୮୮ହଜାର କୁଇଣ୍ଟାଲ ଧାନ କିଣାଯିବ। ଧାନ ନେଇ ଚାଉଳ ଦେବାକୁ ଥିବା ଜିଲ୍ଲାର ୮୨ଟି ମିଲର୍ସଙ୍କ ମଧ୍ୟରୁ ୭୭ଟି ମିଲର୍ସଙ୍କ ସହ ଜିଲ୍ଲା ଯୋଗାଣ ବିଭାଗର ଚୁକ୍ତିନାମା ହୋଇଛି। ଦୀର୍ଘ ଦିନ ହେବ ଧାନ କାଟି ବହୁ ଚାଷୀ ଧାନ ମଳି ଘରେ ଜମା କରି ରଖିଥିଲେ। ମଣ୍ଡି ହେଉନଥିବା ଦେଖି ମିଲର୍ସ, ମଧ୍ୟସ୍ଥ ଓ ଦଲାଲଙ୍କ ଜରିଆରେ ଛତିଶଗଡ଼ ଓ ଆନ୍ଧ୍ର ପଠାଉଥିଲେ। ଛତିଶଗଡ଼ରେ ବାହାର ରାଜ୍ୟର ଧାନ ଆସିଲେ ତୁରନ୍ତ ଜବତ କରୁଥିବାରୁ ସେଠାକୁ ଆଉ ଯିବା ବନ୍ଦ ହୋଇଛି।

ଆହୁରି ପଢ଼ନ୍ତୁ: 300 Crore Fine: ବର୍ଷକ ମଧ୍ୟରେ କଟାଗଲା ୩୦୦ କୋଟିରୁ ଅଧିକ ଟଙ୍କାର ଫାଇନ

ଆନ୍ଧ୍ରପ୍ରଦେଶ ଧାନ ପଠାଇବାକୁ ଯୋଜନା

ଅପରପକ୍ଷରେ ଏବେ ଆରମ୍ଭ ହୋଇଥିବା କଟନିଛଟନି ବିବାଦ ପରେ ଜିଲ୍ଲାର ୩ଜଣ ବଡ଼ ଧାନ ବ୍ୟବସାୟୀ ଏଠାରୁ ଧାନ କିଣି ଆନ୍ଧ୍ର ପଠାଇବାକୁ ଯୋଜନା କରିଥିବା ସୂଚନା ମିଳିଛି। ଜିଲ୍ଲାରେ ଏବେ ମିଲର୍ସ ମାନେ ୫କିଲୋ କଟନିଛଟନି ପାଇଁ ଦାବି କରୁଛନ୍ତି। ଏସବୁ ବିବାଦ ମଧ୍ୟରେ ବଡ଼ବଡ଼ ଚାଷୀ ନେତା ଓ ବଡ଼ ଚାଷୀଙ୍କ ଧାନ ମିଲର୍ସଙ୍କ ନିକଟରେ ବିନା କାଗଜପତ୍ର ଓବିବାଦରେ ପହଚିଂସାରିଛି। ଏସବୁ ବିବାଦ ଶୁଣିବା ପରେ ଆଜି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ନିଜେ ସାନମସିଗାଁ ଓ ବଡମସିଗାଁ ମଣ୍ଡିକୁ ଯାଇ ନିଜେ ତଦାରଖ କରିଥିଲେ। ମଣ୍ଡିରେ ଦୁଇରୁ ତିନି ଦିନ ଧରି ଧାନ ଜମା ହୋଇଥିବା ଚାଷୀମାନେ କହିବା ଏବଂ ପ୍ରବଳ ଥଣ୍ଡାରେ ସେମାନେ ରହୁଥିବା ଜାଣି ତୁରନ୍ତ କ୍ରୟକାରୀ ସଂସ୍ଥାମାନେ ମିଲର୍ସଙ୍କୁ ଉଠାଇବାକୁ ନିର୍ଦ୍ଦେଶ  ଦେଇଥିଲେ। ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରେ ଥିବା କଣ୍ଟ୍ରୋଲ ରୁମକୁ ଯାଇ ତଦାରଖ କରିଥିଲେ। ଚାଷୀମାନେ ହଇରାଣ ହେବା ଅଭିଯୋଗ ଆସିଲେ ସେ ପଦକ୍ଷେପ ନେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଥିଲେ।

ଆହୁରି ପଢ଼ନ୍ତୁ: Dead: ତାମିଲନାଡୁରେ ଦୁଇ ମହଲା କୋଠାରୁ ପଡ଼ି ଓଡ଼ିଆ ଶ୍ରମିକ ମୃତ