ନବରଙ୍ଗପୁର(ସୁରେଶ ନାଇଡୁ): ଅଙ୍ଗନୱାଡି କେନ୍ଦ୍ର ଠାରୁ ସମ୍ପୂର୍ଣ୍ଣ ରୁପେ ଭିନ୍ନ ସକ୍ଷମ ଅଙ୍ଗନୱାଡି। ସାରା ଦେଶରେ ଅଙ୍ଗନୱାଡି ସେବାର କାର୍ଯ୍ୟାନ୍ୱୟନ ଏବଂ ତଦାରଖ ଏବଂ ତଥ୍ୟ ସଂଗ୍ରହ କରିବା ପାଇଁ ପୋଷଣ ଟ୍ରାକର ୨.୦ ନାମକ ଆଇସିଟି ସକ୍ଷମ ପ୍ଲାଟଫର୍ମ ଡିଜାଇନ୍ କରାଯାଇଛି। ଶିଶୁ ଓ ମାତୃ ମୃତ୍ୟୁହାରକୁ ରୋକିବା, ରୋଗ, କୁପୋଷଣ ଏବଂ ଅଧାରୁ ସ୍କୁଲ ଛାଡ଼ୁଥିବା ଘଟଣା ହ୍ରାସ କରିବା। ସ୍ୱାସ୍ଥ୍ୟ ଶିକ୍ଷା ମାଧ୍ୟମରେ ଶିଶୁର ସାଧାରଣ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଆବଶ୍ୟକତାକୁ ଯତ୍ନ ନେବା ପାଇଁ ମା'ଙ୍କ କ୍ଷମତା ବୃଦ୍ଧି କରିବା ରହିଛି ଲକ୍ଷ୍ୟ।
ଜିଲ୍ଲାର ୧୦ଟି ବ୍ଲକରେ ଅତ୍ୟାଧୁନିକ, ପ୍ରଯୁକ୍ତିବିଦ୍ୟା ସମ୍ପର୍ଣ୍ଣ ସୁବିଧା ଥିବା ୬୩୬ଟି ସକ୍ଷମ ଅଙ୍ଗନୱାଡୀ କେନ୍ଦ୍ର କରିବାକୁ କେନ୍ଦ୍ର ସରକାର ମଂଜୁର କରିଥିଲେ। ୪୬୦ଟିର ପୁନଃରୁଦ୍ଧାର ହୋଇ ନ ପାରି ଦୀର୍ଘ ୩ବର୍ଷ ହେବ ଲଟକିଛି। ସକ୍ଷମ ଅଙ୍ଗନୱାଡୀ କେନ୍ଦ୍ର ପରିସରରେ ଏଲଇଡି, ଆରଓ ମେସିନ୍, ପୋଷଣ ବାଟିକା (ପୁଷ୍ଟିକର ଉଦ୍ୟାନ) ଏବଂ ଇଣ୍ଟରନେଟ୍ ସଂଯୋଗ ଲାଗିବ। ସକ୍ଷମ ଅଙ୍ଗନୱାଡିରେ ଛଅଟି ସେବାର ଏକ ପ୍ୟାକେଜ୍ ଯଥା, ପରିପୂରକ ପୁଷ୍ଟିସାର; ପ୍ରାକ୍-ସ୍କୁଲ ଅଣ-ଆନୁଷ୍ଠାନିକ ଶିକ୍ଷା; ପୁଷ୍ଟିସାର ଏବଂ ସ୍ୱାସ୍ଥ୍ୟ ଶିକ୍ଷା; ଟୀକାକରଣ, ସ୍ୱାସ୍ଥ୍ୟ ପରୀକ୍ଷା, ସ୍ମାର୍ଟ ଶିକ୍ଷଣ ଉପକରଣରେ ସ୍ମାର୍ଟ କରିବା ରହିଛି।
୦-୬ ବର୍ଷର ପିଲା, ଗର୍ଭବତୀ ମହିଳା, କିଶୋରୀ ବାଳିକା ଏବଂ ସ୍ତନ୍ୟପାନକାରୀ ମାଆଙ୍କ ପାଇଁ ପୁଷ୍ଟିକରତା, ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦେବାକୁ ଏହା ସ୍ବତନ୍ତ୍ର ଯୋଜନା ପ୍ରଣୟନ କରାଯାଇଥିଲା। ନବରଙ୍ଗପୁର ଦଶହରାପଦା କେନ୍ଦ୍ରଟି ଗୋଟିଏ ରୁମରେ କେନ୍ଦ୍ର ଚାଳିଥିବା ବେଳେ ନାମକୁ ମାତ୍ର ରୋଷଇଘର ରହିଛି। ପାଚେରୀ ନାହିଁ। ଶୌଚାଳାୟ ଅବସ୍ଥା ନ କହିବା ଭଲ। ସାହି ବାସିନ୍ଦାଙ୍କ ବାହ୍ୟ ମଳମୁକ୍ତ ସ୍ଥାନ ପାଲଟିଛି କେନ୍ଦ୍ର। ରାସ୍ତା ପାର୍ଶ୍ବରେ ଥିବାରୁ ସବୁ ବେଳେ ମଇଳା। ୨୪ଟି ପିଲା ରହିଥିବା କେନ୍ଦ୍ର ପକ୍ଷରୁ କୁହାଯାଉଛି। ୨ତାରିଖ ଦିନ କେହି ନଥିବା ବେଳେ ଆଜି ୫ଟି ପିଲା ଉପସ୍ଥିତ ଥିଲେ। ଗୋଦାମ ଘର ନଥିବାରୁ ପିଲା ମାନେ ବସିବା ରୁମରେ ହିଁ ପୃଷ୍ଟିକର ଖାଦ୍ୟ ସବୁ ଜମା କରି ରଖାଯାଇଛି।
ଆହୁରି ପଢ଼ନ୍ତୁ: Health: ନବରଂଗପୁର ଜିଲ୍ଲାର ୭ଟି ବ୍ଲକରେ କେବେ କାର୍ଯ୍ୟକାରୀ ହେବ ଅଲଟ୍ରାସ୍କାନ୍ ସୁବିଧା?
ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକରେ ମଞୁର ୫୦ଟି ହୋଇଥିବା ବେଳେ ୧୦ଟି କାର୍ଯ୍ୟକ୍ଷମ ହେଉଛି। ଡାବୁଗାଁରେ ୫୯ଟିରୁ ୧୦ଟି, ଝରିଗାଁରେ ୬୮ଟିରୁ ୨୪ଟି, କୋଷାଗୁମୁଡାରେ ୭୮ରୁ ୧୭ଟି, ନବରଙ୍ଗପୁର ୬୦ରୁ ୨୫ଟି, ନନ୍ଦାହାଣ୍ଡି ୪୮ରୁ ୧୦ଟି, ପାପଡାହାଣ୍ଡି ୮୮ଟିରୁ ୨୬ଟି, ରାଇଘର ୫୫ଟିରୁ ୧୫ଟି, ତେନ୍ତୁଳିଖୁଣ୍ଟି ୬୭ଟିରୁ ୧୮ଟି, ଓଉମରକୋଟରେ ୬୩ଟିରୁ ୨୧ଟି କାର୍ଯ୍ୟକ୍ଷମ ହୋଇଛି।
ଗତ ୨ତାରିଖ ଦିନ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଦଶହରାପଦା କେନ୍ଦ୍ର ପରିଦର୍ଶନରେ ଯାଇ କେନ୍ଦ୍ରର ଅବସ୍ଥାକୁ ଦେଖି ଖୁବ ବିଗଡ଼ିଥିଲେ। ଡିଏସଡବ୍ଲୁଓ ଦ୍ରୌପଦୀ କହଁରଙ୍କ ଉପରେ ବିଗଡ଼ି, ଜିଲ୍ଲାର ସବୁ ସକ୍ଷମ ଅଙ୍ଗନୱାଡୀ କେନ୍ଦ୍ରର ଭିତ୍ତିଭୂମି ସହ କେନ୍ଦ୍ରର ସବୁ ସୁବିଧା ଓ ଅସୁବିଧାକୁ ନେଇ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲାସଦରମହକୁମାର କେନ୍ଦ୍ର ନାହିଁ। ଜିଲ୍ଲାର ବଳକା ୧୦ଟି ବ୍ଲକର ବିଭିନ୍ନ ସ୍ଥାନରେ ଥିବା ୧୭୫ କେନ୍ଦ୍ର ମାର୍ଗଦର୍ଶିକା ଅନୁଯାୟୀ ଅଛିକି, ବୋଲି ଆଇନଜୀବୀ ସନ୍ତୋଷ ମିଶ୍ରୀ କରିଛନ୍ତି ପ୍ରଶ୍ନ।
Follow Us