Slow progress in PM SHRI school infrastructure projects in Nabarangpur district. Photograph: (sambad.in)
ନବରଙ୍ଗପୁର (ସୁରେଶ ନାଇଡୁ): ହାଇସ୍କୁଲ ଗୁଡ଼ିକର ଅନୁସଙ୍ଗିକ ଭିତ୍ତିଭୂମିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ନୂଆ ଯୋଜନା ପିଏମଶ୍ରୀ ଆରମ୍ଭ କରିବା ସହ ଅନୁଦାନ ମଂଞୁର କରିଛନ୍ତି। ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୨୦୨୪-୨୫ ଆର୍ଥିକ ବର୍ଷରେ ୧୯ଟି ଓ ଦ୍ବିତୀୟ ପର୍ଯ୍ୟାୟରେ ୨୦୨୫-୨୬ରେ ୪ଟି ହାଇସ୍କୁଲକୁ ଏହି ମାନ୍ୟତା ଦେଇଛନ୍ତି। ୧୮କୋଟି ୬୨ଲକ୍ଷ ୩୮ହଜାର ଟଙ୍କାର ଅନୁଦାନ ମିଳିଛି। ୧୯ଟି ଯାକ ପିଏମଶ୍ରୀ ବିଦ୍ୟାଳୟର ସମ୍ପୂର୍ଣ୍ଣ କାମ ଏଯାଏଁ ସରିପାରିନି। ଅତ୍ୟନ୍ତ ମନ୍ଥର ଗତିରେ ଚାଳିଥିବାରୁ ଏହାକୁ ନେଇ ସାଂସଦ ଇଂ.ବଳଭଦ୍ର ମାଝୀ ମଧ୍ୟ ବିଗଡ଼ିଛନ୍ତି।
ନବରଂଗପୁର ଜିଲ୍ଲାରେ ଉମରକୋଟ ବ୍ଲକରେ ୩ଟି, ନବରଙ୍ଗପୁର, ନନ୍ଦାହାଣ୍ଡି, ପାପଡାହାଣ୍ଡି, ରାଇଘର ଓ ତେନ୍ତୁଳିଖୁଣ୍ଟି ବ୍ଲକରେ ୨ଟି ଲେଖାଏଁ, ନବରଙ୍ଗପୁର ପୌରପାଳିକା, ଚନ୍ଦାହାଣ୍ଡି, ଡାବୁଗାଁ, ଝରିଗାଁ, କୋଷାଗୁମୁଡ଼ା ଓ ଉମରକୋଟ ପୌରପାଳିକାରେ ଗୋଟିଏ ଲେଖାଏଁ ହାଇସ୍କୁଲକୁ ପିଏମଶ୍ରୀ ମାନ୍ୟତା ଦେଇ ପରିବର୍ଦ୍ଧିତ କରାଯାଇଛି। ଏହି ୧୯ଟି ପିଏମଶ୍ରୀ ହାଇସ୍କୁଲର ମରାମତି ପାଇଁ ୪ଲକ୍ଷ, ଖେଳ ପଡ଼ିଆ ଉନ୍ନୟନ ପାଇଁ ୫ଲକ୍ଷ, ସୌନ୍ଦର୍ଯ୍ୟକରଣ ପାଇଁ ୩ଲକ୍ଷ, ସେଲଫି ପଏଣ୍ଟ ଉନ୍ନୟନ ପାଇଁ ୩ଲକ୍ଷ, ବିଦ୍ୟାଳୟ ସାଇନେଜ ପାଇଁ ୨୦ହଜାର ଓ ଏଲଇଡି ଲାଇଟିଂ ପାଇଁ ୨ହଜାର ଏଭଳି ସ୍କୁଲ ପିଛା ୧୨ଲକ୍ଷ ୫୨ହଜାର ସର୍ବମୋଟ ୨କୋଟି ୩୭ଲକ୍ଷ ୮୮ହଜାର ଅନୁଦାନ ମଂଜୁର ହୋଇଛି।
ଆହୁରି ପଢ଼ନ୍ତୁ: Avatar Fire And Ash VS Dhurandhar: ‘ଧୁରନ୍ଧର’ ଏବଂ ‘ଅବତାର ଫାୟାର ଆଣ୍ଡ୍ ଆଶ୍’ ମଧ୍ୟରେ କେଉଁଟି ଆଗରେ ଅଛି?
ସରୁନି ନିର୍ମାଣ କାମ
ଏହା ବାଦ୍ ଅଲଗାରେ ଚେୟାରଟେବୁଲ, ଆସବାବପତ୍ର, ଲାଇବ୍ରେରି ଓ ଶୌଚାଳୟ ଆଦି ନୂଆ କରିବା ପାଇଁ ହାଇସ୍କୁଲ ପିଛା ୮୫ଲକ୍ଷ ୫୦ହଜାର ଲେଖାଏଁ ଏଭଳି ୧୬କୋଟି ୨୪ଲକ୍ଷ ୫ହଜାର ଅନୁଦାନ ମଂଜୁର କରିଛି କେନ୍ଦ୍ର ସରକାର। ଏହାକୁ ବିଡିଓ ମାନଙ୍କୁ କାର୍ଯ୍ୟକାରୀ କରିବାକୁ ଦିଆଯାଇଛି। ୧୯ଟି ଯାକ ପିଏମଶ୍ରୀ ସ୍କୁଲରେ ସମ୍ପୂର୍ଣ୍ଣ ରୂପେ କୌଣସି ପ୍ରକଳ୍ପର କାମ ସରିନି। ସ୍କୁଲ ମରାମତି ୧୧ଟିରେ ସରିଛି। ଖେଳ ପଡିଆ ଉନ୍ନୟନରେ ୬ଟିରେ ସରିଛି, ୨ଟିରେ କାମ ଆରମ୍ଭ ହୋଇନି। ସ୍କୁଲ ସୌନ୍ଦର୍ଯ୍ୟକରଣ ୧୦ଟି ଓ ସ୍କୁଲ ସାଇନେଜ ୩ଟି ରେ ସରିଛି। ସ୍କୁଲ ସେଲଫି ଓ ଏଲଇଡି ଲାଇଟିଂ କାମ ଜାରି ରହିଥିବା ସୂଚନା ମିଳିଛି। ସାଂସଦ ଇଂ. ମାଝୀ ଓ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଡିଇଓ ଛତ୍ରପତି ସାହୁଙ୍କ ଉପରେ ବିଗଡ଼ିଥିଲେ। ସବୁ ବ୍ଲକର ବିଡିଓମାନେ ଯୁଦ୍ଧକାଳୀନ ଭିତ୍ତିରେ ସବୁ କାମ ସାରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସବୁ ୧୯ଟି ଯାକ ପିଏମଶ୍ରୀ ହାଇସ୍କୁଲ ସହ ୨୦୨୫-୨୬ ଆର୍ଥିକ ବର୍ଷରେ ନୂଆରେ ମନୋନୀତ ୪ଟି ହାଇସ୍କୁଲକୁ ଡିଇଓ ତଦାରଖ କରି ଜିଲ୍ଲାପାଳଙ୍କୁ ଜଣାଇବାକୁ କହିଥିବା ସୂଚନା ମିଳିଛି।
ଆହୁରି ପଢ଼ନ୍ତୁ: Demand: ‘୧୫ ଦିନ ମଧ୍ୟରେ ଚାଷୀଙ୍କ ଦାବି ପୂରା ନହେଲେ ଅଧା ନବରଂଗପୁର ବନ୍ଦ’
Follow Us