Victory procession of Jay Dholkia on Friday. Photograph: (sambad.in)
ନୂଆପଡ଼ା (ଅଶ୍ବିନୀ ପାଣିଗ୍ରାହୀ): ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ବଡ଼ଧରଣର ବିଜୟ ହାସଲ କରିଛି। ବିଜେପିର ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ୧,୨୩,୮୬୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ସେ ନିକଟତମ ପ୍ରାର୍ଥୀ କଂଗ୍ରେସର ଘାସିରାମ ମାଝୀଙ୍କୁ ୮୩,୭୪୮ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି। ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ଏହି ଐତିହାସିକ ବିଜୟ ପରେ ଜୟ ଢୋଲକିଆ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଛନ୍ତି। ଜୟଙ୍କର ବିଜୟ ଶୋଭାଯାତ୍ରା ଖରିଆରୋଡ୍ ଠାରୁ ବାହାରିଛି। ୧୦କିଲୋମିଟର ଏହି ଶୋଭାଯାତ୍ରାରେ ପତ୍ନୀ ସୁମନ ଢୋଲକିଆ ଏବଂ ମା’ କଳ୍ପନା ଢୋଲିକଆ ମଧ୍ୟ ଅଛନ୍ତି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୮ ହଜାର ୪୦୮ ଖଣ୍ଡ ଭୋଟ ପାଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ଉପ ନିର୍ବାଚନରେ ବିଜେଡି ପ୍ରଥମଥର ପାଇଁ ତୃତୀୟ ସ୍ଥାନରେ ରହିଛି । ବିଜେଡିକୁ ଟପି କଂଗ୍ରେସ ଦ୍ବିତୀୟ ସ୍ଥାନ ହାସଲ କରିଛି ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଜୟ
୧୧ ବର୍ଷ ପରେ ନୂଆପଡ଼ାକୁ ଦଖଲ କରିଛି ବିଜେପି। ଯୁବ ରାଜନୀତିଜ୍ଞ ଜୟ ଢୋଲକିଆଙ୍କୁ ନୂଆପଡ଼ାବାସୀ ଗ୍ରହଣ କରିଛନ୍ତି। ବିପୁଳ ସଂଖ୍ୟାରେ ଭୋଟ୍ ଦେଇଛନ୍ତି। ଏହି ବିଜୟ ନେଇ ଜୟ ଢୋଲକିଆ ଉତ୍ସାହିତ ଦେଖାଯାଇଛି। ସେ ଖୁବ ଶୀଘ୍ର ପୁରୀ ଯାଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଏଥି ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବେ।
ଆହୁରି ପଢ଼ନ୍ତୁ: Nuapada Election: ନୂଆପଡ଼ା ନିର୍ବାଚନ: ବଡ଼ ବ୍ୟବଧାନରେ ବିଜେପି ବିଜୟୀ
ବିଜେପି ଶିବିରରେ ଉତ୍ସାହ
ନୂଆପଡ଼ା ନିର୍ବାଚନରେ ବିଜୟ ହାସଲ କରିବା ପରେ ଓଡ଼ିଶା ବିଧାନସଭାରେ ବିଜେପିର ସଦସ୍ୟ ସଂଖ୍ୟା ୭୯ରେ ପହଞ୍ଚିଛି। ଅନ୍ୟପଟରେ ବିଜେଡିର ସଂଖ୍ୟା ୫୧ରୁ ୫୦କୁ ହ୍ରାସ ପାଇଛି। ବିଜେପି ଶିବିରରେ ଉତ୍ସାହ ଦେଖାଯାଇଛି। ନୂଆପଡ଼ାରୁ ଭୁବନେଶ୍ବର ପର୍ଯ୍ୟନ୍ତ ନେତା, କର୍ମୀ ଉତ୍ସାହିତ ଅଛନ୍ତି। ବାଣ ଫୁଟୁଛି। ମିଠା ବଣ୍ଟା ଯାଉଛି। ବିଜେପିର ବରିଷ୍ଠ ନେତାଙ୍କ ଘରେ ବିଜୟର ମାହୋଲ ଦେଖାଯାଇଛି। ନୂଆପଡ଼ାକୁ ନେଇ ଚର୍ଚ୍ଚା ହେଉଛି।
ଆହୁରି ପଢ଼ନ୍ତୁ: Rivaba Jadeja: ଏନଡିଏ ଆଗକୁ ବଢ଼ୁଥିବା ଦେଖି ପ୍ରତିକ୍ରିୟା ରଖିଲେ କ୍ରିକେଟଙ୍କର ଧର୍ମପତ୍ନୀ
Follow Us