ଭୁବନେଶ୍ୱର: ନୂଆପଡା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମରେ ନୂଆପଡା ଥାନାରେ ରୁଜୁ ହୋଇଥିବା ଦୁଇଟି ଅଭିଯୋଗର ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ହୋଇନାହିଁ ବୋଲି ଭାରତୀୟ ଜନତା ପାର୍ଟି (ବିଜେପି) ଅଭିଯୋଗ ଆଣିଛି।  ସାଧାରଣ ନିର୍ବାଚନ-୨୦୨୪ରେ ଦୁଇଟି ଅଭିଯୋଗ ୧୪୬/୨୦୨୨ ଏବଂ ୧୦/୨୦୧୮ ସଂପର୍କରେ ଶ୍ରୀ ମାଝୀ ନିର୍ବାଚନ ଆୟୋଗଙ୍କ ନିକଟରେ ଉଲ୍ଲେଖ କରିଥିଲେ, ଯାହାକି ବର୍ତମାନ ସୁଦ୍ଧା ମାନ୍ୟବର ଏସ୍‌ଡିଜେଏମ୍ କୋର୍ଟରେ ବିଚାରଧ୍ଵନ ଅଛି। ମାତ୍ର ଚଳିତ ଉପନିର୍ବାଚନ ପାଇଁ ଦାଖଲ କରିଥିବା ସତ୍ୟପାଠରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ମାଝୀ ଭକ୍ତ ଦୁଇଟି ମାମଲା ସଂପର୍କରେ ଜାଣିଶୁଣି ଉଲ୍ଲେଖ କରିନାହାନ୍ତି। ଏହା  ଜନପ୍ରତିନିଧ୍ଵ ଆଇନ-୧୯୫୧ ର ଧାରା ୧୨୫–‘କ’ ଅନୁଯାୟୀ ଧର୍ତବ୍ୟ ଅପରାଧ। ତେଣୁ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ ସହ ତାଙ୍କ ନାମାଙ୍କନ ପତ୍ର ନାକଚ ହେବା ଉଚିତ୍ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ବିଜେପି ତରଫରୁ ଦାବି କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: Statement Jual Oram: ନୂଆପଡ଼ା ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜୟୀ ହେବେ: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ

ଏ ସଂପର୍କରେ ସୁଚନା ଦେଇ ରାଜ୍ୟ ଉପସଭାପତି ଡ.ଯତୀନ ମହାନ୍ତି କହିଛନ୍ତି ଯେ ଯେଉଁ କଂଗ୍ରେସ ଦଳରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ, ସେ ଦଳର ନେତାମାନେ ସମ୍ବିଧାନର ମୂଲ୍ୟ ବୁଝିବେ କେମିତି? ନିଜ ମୂଳ ବିଚାରଧାରାରୁ ସଂପୂର୍ଣ୍ଣ ଓହରି ଯାଇଛି ଆଜିର କଂଗ୍ରେସ ଦଳ। କଂଗ୍ରେସ ଦଳର ବିଚାର ଓ କାର୍ଯ୍ୟଶୈଳୀକୁ ସାଧାରଣ ଜନତା ଆଉ ଗ୍ରହଣ କରୁନାହାନ୍ତି। ଅପରାଧୀ ଏବଂ ଅସାମାଜିକ ତତ୍ଵର ଆଡ୍ଡାସ୍ଥଳ ପାଲଟିଛି କଂଗ୍ରେସ ଦଳ। ନିଜ ସାଧାରଣ ଜୀବନରେ କରିଥିବା ଅସାମାଜିକ କାର୍ଯ୍ୟଗୁଡିକୁ କଂଗ୍ରେସ ଦଳର ନେତାମାନେ ଲୁଚାଇବାକୁ ପଛାଉନାହାନ୍ତି। ଯାହାର ଜ୍ଵଳନ୍ତ ଉଦାହରଣ ପୁଣି ଥରେ ନୂଆପଡା ଉପନିର୍ବାଚନରେ ଦେଖିବାକୁ ମିଳିଛି।

ଚଳିତ ନୂଆପଡା ଉପନିର୍ବାଚନରେ କଂଗ୍ରେସର ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠରେ ନିଜ ଅପରାଧିକ କାର୍ଯ୍ୟକଳାପକୁ ଲୁଚାଇଛନ୍ତି। ଏହା ଏକ ଜଘନ୍ୟ ଅପରାଧ ଓ ଅକ୍ଷମଣୀୟ ବୋଲି ଡ.ମହାନ୍ତି କହିଛନ୍ତି। ଏହି ପ୍ରତିନିଧୂ ଦଳରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ ଦାସ, ରାଜ୍ୟ ଲିଗାଲ ସେଲ ସଂଯୋଜକ ଜୟନ୍ତ ଜେନା ଏବଂ ତୃପ୍ତିମୟୀ ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: Intimidation manipulation allegations on BJP: ବିଜେପି ଜନ ସୁରାଜ ପ୍ରାର୍ଥୀଙ୍କୁ ଧମକ ଦେଉଥିବା ଅଭିଯୋଗ ଆଣିଲେ ପ୍ରଶାନ୍ତ କିଶୋର

ସୂଚନାଯୋଗ୍ୟ, ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଥିଲା। ଏହି ନିର୍ବାଚନରେ ପାଇଁ ସମୁଦାୟ ୧୯ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେମାନେ ହେଲେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜୟ ଢୋଲକିଆ, ବିଜୁ ଜନତା ଦଳର ସ୍ନେହାଙ୍ଗିନୀ ଛୁରିଆ, ଭାରତୀୟ ଜାତୀୟ କଂଗ୍ରେସର ଘାସିରାମ ମାଝୀ, ସମାଜବାଦୀ ପାର୍ଟିର ରମାକାନ୍ତ ହାତୀ , ବହୁଜନ ମୁକ୍ତି ପାର୍ଟିର ହେମନ୍ତ ତାଣ୍ଡି, ବହୁଜନ ସମାଜ ପାର୍ଟିର ରାଜା ରାମ ସାହୁ, ଓଡ଼ିଶା ଜନତା ଦଳର ଶୁକଧର ଦଣ୍ଡସେନା, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୀତାରାମ ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏମାନଙ୍କ ସହିତ ୧୧ ଜଣ ସ୍ବାଧୀନ ପ୍ରାର୍ଥୀ  ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଅକ୍ଟୋବର ୨୪ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। 

Assembly election