Action against ACF by government. Photograph: (sambad.in)
ଭୁବନେଶ୍ବର: ପୁରୀ ରଥଯାତ୍ରା-୨୦୨୫ ସମୟରେ ଶରଧାବାଲିରେ ଘଟିଥିବା ଦଳାଚକଟା ଘଟଣା ନେଇ ରାଜ୍ୟ ସରକାର ପୁଣି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଜଣେ ଏସିଏଫ୍ଙ୍କ ବିରୋଧରେ ସରକାର ଏହି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ପୁରୀ ଏସିଏଫ୍ ଅଶୋକ ବେହେରାଙ୍କ ବିରୋଧରେ ଏହି ଆକ୍ସନ ନିଆଯାଇଛି।
ସୂଚନା ଅନୁସାରେ ରଥଯାତ୍ରା ପରଦିନ ଯେତେବେଳେ ଶରଧାବାଲିରେ ଦଳାଚକଟା ହୋଇଥିଲା ସେହି ସମୟରେ ଲକ୍ଷାଧିକ ଲୋକ ରୁଣ୍ଡ ହୋଇଥିଲେ। ପୁରୀ ଏସିଏଫ୍ ଅଶୋକ ବେହେରା ଏହି ସମୟରେ କଣ୍ଟ୍ରୋଲ ରୁମ୍ର ଦାୟିତ୍ବରେ ଥିଲେ। ତାଙ୍କର ଅବହେଳା ପାଇଁ ଅଭାବନୀୟ ପରିସ୍ଥିତି ଦେଖାଯାଇଥିଲା। ରାଜ୍ୟ ସରକାରଙ୍କ ଉନ୍ନୟନ କମିସନର ଅନୁ ଗର୍ଗଙ୍କ ରିପୋର୍ଟ ପରେ ଅଶୋକ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩୦ ଦିନ ଭିତରେ ନିଜର ପକ୍ଷ ରଖିବାକୁ ଦର୍ଶାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପୂର୍ବରୁ ସରକାର ଅନ୍ୟ ୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଛନ୍ତି, ଯେଉଁଥିରେ ଜଣେ ସହକାରୀ ଜିଲ୍ଲାପାଳ ଓ ୨ ଜଣ ଅତିରିକ୍ତ ତହସିଲଦାର ମଧ୍ୟ ସାମିଲ ଅଛନ୍ତି।
୨୦୨୫ ଜୁନ୍ ୨୯ରେ ଦଳାଚକଟା
ସୂଚନାଯୋଗ୍ୟ, ଗତ ଜୁନ୍ ୨୯ ତାରିଖରେ ଶରଧାବାଲି ରଥ ସମ୍ମୁଖରେ ଦଳାଚକଟାରେ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ତଦନ୍ତ ରିପୋର୍ଟକୁ ଗତ ଜୁଲାଇ ୩୧ ତାରିଖରେ ଉନ୍ନୟନ କମିସନର ଅନୁ ଗର୍ଗ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରିଥିଲେ। ଏହି ଘଟଣାରେ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ତଦନ୍ତ ଚାଲିଥିଲା। ମାସକ ମଧ୍ୟରେ ରିପୋର୍ଟ ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ତଦନ୍ତରେ ଉନ୍ନୟନ କମିସନରଙ୍କୁ ୪ ଜଣ ବରିଷ୍ଠ ଓଏଏସ୍ ଅଧିକାରୀ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ମାନସ କୁମାର ସାମଲ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ବିନୟ କୁମାର ଦାଶ, ଜଳସମ୍ପଦ ବିଭାଗର ଅତିରିକ୍ତ ସଚିବ ରଶ୍ମିରଂଜନ ନାୟକ ଓ ପୂର୍ତ୍ତ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ କୁମାର ସାହୁ ସହଯୋଗ କରିଥିଲେ। ଏହି ଘଟଣା ପାଇଁ କିଏ ଦାୟୀ, ବ୍ୟବସ୍ଥାଗତ ବିଫଳତା, ଏହାକୁ କିପରି ଏଡ଼ାଯାଇପାରିଥାନ୍ତା, ଆଗାମୀ ଦିନରେ କିପରି ଏଭଳି ଅଘଟଣ ନ ଘଟିବ, ସେ ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ରିପୋର୍ଟରେ ଦର୍ଶାଯାଇଛି। ଶ୍ରୀମତୀ ଗର୍ଗ ପ୍ରାୟ ୨ ହଜାର ପୃଷ୍ଠାର ତଦନ୍ତ ରିପୋର୍ଟ ସହ ଏକ ସଂକ୍ଷିପ୍ତ ବିବରଣୀ ପୁସ୍ତିକା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି।
ଆହୁରି ପଢ଼ନ୍ତୁ: Nitish Kumar Net Worth: ଦଶମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ନୀତିଶ କୁମାର କେତେ ସମ୍ପତ୍ତିର ମାଲିକ ଜାଣନ୍ତୁ
୧୭ଜଣଙ୍କର ବୟାନ ରେକର୍ଡ
ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ତିନି ଶ୍ରଦ୍ଧାଳୁଙ୍କ ପରିବାର ଲୋକ ଓ ସମ୍ପର୍କୀୟଙ୍କ ବୟାନ, ଆହତ ଶ୍ରଦ୍ଧାଳୁଙ୍କ ବୟାନ, ଭୁବନେଶ୍ବର ରାଜ୍ୟ ଅତିଥି ଭବନଠାରେ ଯେଉଁ ୧୭ଜଣ ସାଧାରଣ ଲୋକଙ୍କଠାରୁ ବୟାନ ରେକର୍ଡ ହୋଇଥିଲା, ସେମାନେ ଦେଇଥିବା ତଥ୍ୟପ୍ରମାଣ, ପୁରୀ ସର୍କିଟ ହାଉସ୍ଠାରେ ଗ୍ରହଣ କରାଯାଇଥିବା ୮୨ ଜଣ ପୁଲିସ କର୍ମଚାରୀ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଅଧିକାରୀ ଓ କର୍ମଚାରୀ, ରଥଯାତ୍ରା ଭିଡ଼ ନିୟନ୍ତ୍ରଣ ପାଇଁ ହୋଇଥିବା ସମନ୍ବିତ କମାଣ୍ଡ କଣ୍ଟ୍ରୋଲ କେନ୍ଦ୍ର କର୍ମଚାରୀଙ୍କ ବୟାନ, ସେହି ରାତିରେ ଉପସ୍ଥିତ ଲୋକ ପଠାଇଥିବା ଫଟୋ ଓ ଭିଡିଓର ଦୃଶ୍ୟକୁ ଏଥିରେ ସାମିଲ୍ କରାଯାଇଛି। ଏହାସହ ସେଦିନ ରଥ ଦାୟିତ୍ବରେ ଥିବା ୫ ଜଣ ବରିଷ୍ଠ ପୁଲିସ ଅଧିକାରୀ, ତିନି ରଥର ପାଳିଆ ସେବାୟତଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ସାଧାରଣ ଲୋକ ଇମେଲ୍ ଯୋଗେ ପଠାଇଥିବା ତଥ୍ୟ, ଫଟୋ ଆଦିକୁ ଏଥିରେ ସ୍ଥାନିତ କରାଯାଇଛି। ଏସବୁ ବାଦ୍ ଏହି ପରିସ୍ଥିତି କାହିଁକି ଉପୁଜିଲା, ଏହାକୁ ଏଡ଼ାଯାଇପାରିଥାନ୍ତା କି ନାହିଁ, କାହିଁକି ତୁରନ୍ତ ଉଦ୍ଧାର କରାଗଲାନି, ସେ ସଂପର୍କରେ ତଦନ୍ତ କମିଟି ଅଧିକାରୀମାନଙ୍କୁ ପଚାରିଥିବା ପ୍ରଶ୍ନ ଓ ଉତ୍ତରଗୁଡ଼ିକୁ ରିପୋର୍ଟରେ ସାମିଲ୍ କରାଯାଇଛି।
ଆହୁରି ପଢ଼ନ୍ତୁ: Delhi Stunt Case: ଚଳନ୍ତା କାର୍ ଉପରେ ବସି ପ୍ରେମିକାକୁ ଚୁମ୍ବନ କଲା ପ୍ରେମିକ, ହିରୋଗିରି ଛଡ଼ାଇ ଦେଲା ପୁଲିସ
Follow Us