କୋଣାର୍କ (ସୁକାନ୍ତ ବିଶ୍ବାଳ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତ ହେଲା ପରେ ବାତ୍ୟାର ରୂପ ନେଇଛି। ସମୁଦ୍ରରୁ ଆସୁଥିବା ବାତ୍ୟା ଆନ୍ଧ୍ରପ୍ରଦେଶରେ ସ୍ଥଳ ଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିବା ବେଳେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି। ଅକ୍ଟୋବର ୨୭ ତାରିଖ ଠାରୁ ଓଡ଼ିଶାରେ ତିନିଦିନ ଯାଏଁ ବର୍ଷା ହୋଇପାରେ। ତେବେ କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ଆଜି ସୁଉଚ୍ଚ ଜୁଆର ଆସି କୂଳ ଲଂଘୁଛି। ସମୁଦ୍ର ଅଶାନ୍ତ ଥିବା ଦେଖିବାକୁ ମିଳିଛି। ରବିବାର ସକାଳୁ ବର୍ଷା ଘୋଟି ଆସିବା ସହ କଳାବାଦଲ ଆକାଶରେ ଦେଖାଯାଇଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ବାତ୍ୟା ଆଶଙ୍କା ଘନୀଭୂତ ହୋଇଛି। ବାତ୍ୟାକୁ ନେଇ ଲୋକମାନେ ନିଜ ନିଜର ପ୍ରସ୍ତୁତିରେ ଲାଗିପଡିଛନ୍ତି।

Advertisment

ପ୍ରଶାସନ ପକ୍ଷରୁ ପ୍ରସ୍ତୁତି

ଏ ନେଇ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧକ୍ଷା ସଂଯୁକ୍ତା ତ୍ରିପାଠୀ, ଉପାଧକ୍ଷ ସୁରେଶଚନ୍ଦ୍ର ରାଉତରାୟ, କାଉନସିଲର, ବରିଷ୍ଠ କର୍ମଚାରୀ ଭାଗୀରଥି ବରାଳ ୮ ନଂ ୱାର୍ଡ ତେଲୁଗୁବସ୍ତିରେ ଥିବା ବାତ୍ୟାଶ୍ରୟ ସ୍ଥଳୀ ଓ କୋଣାର୍କ ବସଷ୍ଟାଣ୍ଡ ନିକଟରେ ଥିବା ଆଦିବାସୀ ହରିଜନ ବିଦ୍ୟାଳୟରେ ପହଞ୍ଚି ସମସ୍ତ ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି। ଲାଇଟି, ପାଣି ସହିତ ଅନ୍ୟାନ୍ୟ ଜରୁରୀକାଳୀନ ସାମଗ୍ରୀର ସମସ୍ତ ବ୍ୟବସ୍ଥା ତଦାରଖ କରିଛନ୍ତି। ଅପରାହ୍ଣରେ କୋଣାର୍କ ଏନଏସି ପକ୍ଷରୁ ଲୋକମାନଙ୍କୁ ବାତ୍ୟା ନେଇ ସୁରକ୍ଷିତ ଭାବେ ରହିବା ଓ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ପ୍ରଚାର ଗାଡ଼ି ବୁଲାଇ ଡ଼ାକବାଜି ଯନ୍ତ୍ର ଦ୍ୱାରା ଲୋକମାନଙ୍କ ସଚେତନ କରୁଥିବା ଦେଖିବାକୁ ମିଳିଛି। 

ଆହୁରି ପଢ଼ନ୍ତୁ: Farmer Cutting Crops: ସାମ୍ଭାବ୍ୟ ବାତ୍ୟା ନେଇ ମାଲକାନଗିରିରେ ଚାଷୀଙ୍କ ମନରେ ଛନକା

ହେଲ୍‌ପଲାଇନ୍‌ ନମ୍ବର ଜାରି

ନୋଳିଆ ବସ୍ତିର ମସ୍ୟଜୀବୀମାନେ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରିବା ସହ ସମସ୍ତ ଡଙ୍ଗା ଗୁଡ଼ିକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେଇ ଯିବାକୁ ପରାମର୍ଶ ଦେଇଥିଲେ। ମସ୍ୟଜୀବୀମାନେ ନିଜନିଜ ଡଙ୍ଗା ଗୁଡ଼ିକୁ ସୁରକ୍ଷିତ ସ୍ଥାନକୁ ବୋହିନେଇ ରଖୁଥିବା ଦେଖାଯାଇଛି। ବିଶେଷ ଭାବେ ପୁରୀଜିଲ୍ଲା ପ୍ରସାଶନର ନିର୍ଦେଶ ଅନୁଯାୟୀ ବାତ୍ୟା ସମୟରେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା, ସେମାନଙ୍କର ରହିବା ସହିତ ଖାଦ୍ୟ ପାନୀୟର ସମସ୍ତ ବ୍ୟବସ୍ଥା ପାଇଁ ପ୍ରସ୍ତୁତି କରାଯାଇଛି। କୋଣାର୍କ ଏନଏସି ପକ୍ଷରୁ ବାତ୍ୟା ସମୟରେ ତୁରନ୍ତ ସାହାଯ୍ୟ ଯୋଗାଇ ଦେବାପାଇଁ ହେଲ୍‌ପଲାଇନ୍‌ ନମ୍ବର (୦୬୭୫୮ ୨୩୬୮୨୬) ଜାରି କରାଯାଇଛି। ଏହି ନମ୍ବରରେ ସାହାଯ୍ୟ ପାଇଁ ସମସ୍ତେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। 

ଆହୁରି ପଢ଼ନ୍ତୁ: Rain In Odisha: ବାତ୍ୟା ପ୍ରଭାବରେ ଓଡ଼ିଶାରେ ବର୍ଷା ନେଇ ଏସ୍‌ଆରସିଙ୍କ ପରାମର୍ଶ