Traffic Jam Photograph: (Sambad.in)
ରାଉରକେଲା: ରାଉରକେଲା ମଧ୍ୟ ଦେଇ ଯାଇଥିବା ମୁମ୍ବାଇ-ହାଓଡା ମୁଖ୍ୟ ରେଳମାର୍ଗର ବନ୍ଧମୁଣ୍ଡା କୁକୁଡ଼ା ଗେଟ୍ ଓ କଲୁଙ୍ଗା ରେଳ ଓଭରବ୍ରିଜ୍ (ଆର୍ଓବି) କାମ ସରୁନି। ଜାଗା ବିବାଦ ଓ ରେଳବାଇର ଅବହେଳାରୁ ବର୍ଷବର୍ଷ ଧରି କାମ କଚ୍ଛପ ଗତିରେ ଚାଲିଛି।
ଏଥିପାଇଁ ଟ୍ରାଫିକ୍ଜାମ୍ ଓ ଦୈନନ୍ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଛି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଚେତାପଶୁନି। ବନ୍ଧମୁଣ୍ଡା କୁକୁଡ଼ାଗେଟ୍ ତୁଳନାରେ କଲୁଙ୍ଗା ଆର୍ଓବି ସ୍ଥାନୀୟ ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇଛି। ଗତ ଦୁଇବର୍ଷ ମଧ୍ୟରେ ମାତ୍ର ୩୫% କାମ ସରିଛି। ରେଳଫାଟକର ଉଭୟ ପାର୍ଶ୍ବରେ କେବଳ କେତୋଟି ପିଲର୍ ଛିଡ଼ା ହୋଇଛି। ଅନ୍ୟ କାମ ଆଦୌ ଆରମ୍ଭ ହୋଇନି।
ସେପଟେ ଦୈନନ୍ଦିନ ଫାଟକ ଦେଇ ଶିଳ୍ପାଞ୍ଚଳକୁ ଶହଶହ ଭାରୀଯାନ ଯାତାୟତ କରୁଛି। ବଣାଇ, ଗୁରୁଣ୍ଡିଆ ଆଦି ଅଞ୍ଚଳକୁ ବସ୍ଗୁଡ଼ିକ ଏହି ଫାଟକ ଦେଇ ଯିବାଆସିବା କରୁଛନ୍ତି। କେବଳ ଗାଡ଼ିମୋଟର ନୁହେଁ, ଶିଳ୍ପାଞ୍ଚଳରେ କାମ କରୁଥିବା ହଜାରହଜାର ଶ୍ରମିକଙ୍କୁ ଏହି ରେଳଫାଟକ ଅତିକ୍ରମ କରିବାକୁ ପଡୁଛି।
ଟ୍ରେନ୍ ଆସିବା ସମୟରେ ରେଳଫାଟକ ଘଣ୍ଟାଘଣ୍ଟା ବନ୍ଦ ରହୁଥିବାରୁ ଉଭୟ ଗାଡିଚାଳକ ଓ ସ୍ଥାନୀୟ ଲୋକେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଅଧିକାଂଶ ସମୟରେ ଜାମ୍ ଭିତରେ ଆମ୍ବୁଲାନ୍ସ ଫସି ରହୁଛି। ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ୍ଗୁଡ଼ିକୁ ମଧ୍ୟ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁଛି।
ଅଧିକ ପଢ଼ନ୍ତୁ: ଉଦୀୟମାନ ବ୍ୟାଡମିଣ୍ଟନ ଖେଳାଳି ବିଶାଖା ଟପ୍ପୋ
ଆର୍ଓବି ନ ସରିବା ପର୍ଯ୍ୟନ୍ତ ନିକଟରେ ଥିବା ଅଣ୍ଡରପାସ୍କୁ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ଓ ଶିଳ୍ପକାରଖାନା ମାଲିକମାନେ ଉଭୟ ରେଳବାଇ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ଏହାଉପରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳବାସୀ ରେଳରୋକ ଓ ଆନ୍ଦୋଳନ କରିଥିଲେ ହେଁ କର୍ତ୍ତୃପକ୍ଷଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନାହିଁ।
କଲୁଙ୍ଗା ରେଳଫାଟକରେ ମଙ୍ଗଳବାର ରାତିର ଅଘଟଣ ପରେ ସ୍ଥାନୀୟ ଅଞ୍ଚଳବାସୀ କିଛି ସମୟ ରେଳରୋକ କରିଥିଲେ। ଆର୍ପିଏଫ୍ ଓ ରେଳବାଇ ପୁଲିସ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ରେଳରୋକ ହଟିଥିଲା। ଆର୍ଓବି କାମ ନ ସରିବା ପର୍ଯ୍ୟନ୍ତ ଯଦି ଫାଟକ ନିକଟସ୍ଥ ଅଣ୍ଡରପାସ୍କୁ କାର୍ଯ୍ୟକ୍ଷମ କରା ନଯାଏ, ତାହେଲେ ବ୍ୟାପକ ଆନ୍ଦୋଳନ କରିବାକୁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ଅଧିକ ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ନୂଆ ଯୋଜନାକୁ ସହିପାରୁନି ବିଜେଡି: ମନ୍ତ୍ରୀ ରବିନାରାୟଣ ନାୟକ
Follow Us