ରାୟଗଡା: ଜଣେ ନିର୍ଦ୍ଧିଷ୍ଟ ଠିକାଦାରଙ୍କୁ ଅନୁକମ୍ପା ଓ ଟେଣ୍ଡର ପ୍ରକ୍ରିୟାରେ ଅନିୟମିତତାକୁ ନେଇ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘେରିବା ସହ ରାୟଗଡା ଥାନାରେ ଲିଖିତ ଅଭିଯୋଗ କରିଛି ଠିକାଦାର ସଂଘ। ଅନିୟମିତତାକୁ ନେଇ ଠିକାଦାର ସଂଘ  ରାୟଗଡା କ୍ଷୁଦ୍ର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଜଗନ୍ନାଥ ମଲ୍ଲିକଙ୍କୁ ଆଜି ଠିକାଦାରମାନେ ଦୀର୍ଘ ୨ ଘଣ୍ଟାକାଳ ଅଫିସ ଗୃହରେ ଘେରିଥିଲେ।

Advertisment

ପରିସ୍ଥିତି ଏପରି ହୋଇଥିଲା ଯେ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଠିକାଦାରମାନଙ୍କୁ ବୁଝାସୁଝା କରିଥିଲେ। ଆଜି କ୍ଷୁଦ୍ର ଜଳସେଚନ ବିଭାଗର ୧୫ଟି ଠିକା କାମକୁ ନେଇ ଲଟେରୀ ବ୍ଯବସ୍ଥା ଥିଲା। ହେଲେ ଅଧୀକ୍ଷଣ ଯନ୍ତ୍ରୀ ତାଙ୍କ ସଂପର୍କୀୟ ଠିକାଦାର ଜ୍ୟୋତିର୍ମୟୀ ମଲ୍ଲିକଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ୫ ଟି କାମର ଟେଣ୍ଡର ଯୋଗାଇଦେବାକୁ ଉଦ୍ୟମ କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା। ପୂର୍ବରୁ ଉକ୍ତ ଠିକାଦାର ଏକ କାମର ଏଗ୍ରିମେଣ୍ଟ ବାବଦକୁ ୧୫ ଲକ୍ଷ ଟଙ୍କା ୭ ଦିନ ମଧ୍ୟରେ ପଇଠ କରିବାକୁ ନିୟମ ଥିଲେ ସୁଦ୍ଧା ଏକ ମାସରୁ ଊର୍ଦ୍ଧ୍ବ ସମୟ ହେଲା ସେ ପଇଠ  କରିନାହାଁନ୍ତି। ତେବେ ବିଭାଗୀୟ ଅଧିକାରୀ ଜଗନ୍ନାଥ ମଲ୍ଲିକ ନିଜ ଜିଲ୍ଲାର ସଂପର୍କୀୟ ଠିକାଦରଙ୍କୁ କାହିଁକି ଏତେ ଅନୁକମ୍ପା ଦେଖାଉଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: Accident Student Death: ସ୍ପିଡ ବାଇକ ଧକ୍କାରେ ସରକାରୀ ଆୟୁର୍ବେଦିକ କଲେଜ ଛାତ୍ରୀଙ୍କ ମୃତ୍ୟୁ

ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ଥାନାରେ ଅଭିଯୋଗ

ଏନେଇ ଅଧିକ୍ଷଣ ଯନ୍ତ୍ରୀ ଗଣମାଧ୍ୟମ ଆଗରେ ସ୍ପଷ୍ଟ ସୂଚନା ଦେଇନଥିବା ବେଳେ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯାଇଛି। ଏହାକୁ ନେଇ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।