ବାଲିଶଙ୍କରା (ପ୍ରଦୀପ କୁମାର ନନ୍ଦ):ସୁନ୍ଦରଗଡ଼ଜିଲ୍ଲା ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା ବ୍ଲକ ଘୋଘର କନାକୁଣ୍ଡରେ ନିଖୋଜ ହୋଇଥିବା ରାଉରକେଲା ଏନଆଇଟି ଛାତ୍ର ଦୀପେଶ ପ୍ରଧାନଙ୍କ ମୃତଦେହ ୮୬ ଘଣ୍ଟା ପରେ ଉଦ୍ଧାର ହୋଇଛି। ଆଜି ମଧ୍ୟାହ୍ନ ୧୨ଟା ୫୦ ମିନିଟରେ କନାକୁଣ୍ଡ ୭ ବଖରାରୁ ଦେଢ଼ କିଲୋମିଟର ଦୂର ସବଡେଗା ବ୍ଲକ ଯମୁନା ପଞ୍ଚାୟତ ବଇସନବାହାଲ ବାଲିଘାଟରୁ ଦୀପେଶଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଝାରସୁଗୁଡା ଓଡ୍ରାଫ ଟିମ୍, ରାଉରକେଲା ଓଡ୍ରାଫ ଟିମ୍, ବାଲିଶଙ୍କରା ଓ ସବଡେଗା ଅଗ୍ନିଶମ ବାହିନୀ, ତଲସରା ପୁଲିସ ଗତ ୪ ଦିନ ଧରି କଠିନ ପରିଶ୍ରମ କରି ଦୀପେଶଙ୍କୁ ପାଣି ଭିତରେ ଖୋଜାଖୋଜି କରିଥିଲେ।
ବାଲିଶଙ୍କରା ଅଗ୍ନିଶମ ବାହିନୀର ଏଲଏଫଏଫ ପ୍ରମୋଦ ଭୋଇ, ଉମେଶ ଖଡ଼ିଆ, ନିରଞ୍ଜନ କାଳ, ଲିଙ୍ଗ ବଞ୍ଜାର ଓ ସବଡେଗା ଅଗ୍ନିଶମ ବାହିନୀର ଏଲଏଫଏଫ ରଜତ ଭେଙ୍ଗ୍ରା, ଏଫଏଫଡ଼ି ସୁମନ୍ତ କୁମାର ବାଘ, ଏଫଏଫ ସଞ୍ଜୀତ ବାଘ, ଏଫଏଫ ଫକୀର ମୋହନ ନାୟକ, ଏଫଏଫ ବସନ୍ତ ବେହେରା ପ୍ରମୁଖ ଦିନରାତି ଦୀପେଶକୁ ଖୋଜାଖୋଜି କରିଥିଲେ। ଦୀପେଶ ରାଉରକେଲା ଏନଆଇଟିରେ ଗଣିତ ବିଭାଗରେ ପିଏଚଡି କରୁଥିଲେ। ଗତ ଶନିବାର ଦିନ ସେ ଓ ଅନ୍ୟ ୪ ଜଣ ସାଙ୍ଗ ମିଶି ଏକ ବଲେରୋ ଗାଡ଼ିରେ କନାକୁଣ୍ଡ ବୁଲିବାକୁ ଆସିଥିଲେ। ଅପରାହ୍ନ ୩ଟା ୫୦ ମିନିଟ ସମୟରେ ଦୀପେଶ ୭ବଖରାରେ ଗାଧେଇବା ବେଳେ ପ୍ରଖର ଜଳସ୍ରୋତରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ। ସାଙ୍ଗମାନେ ଚିତ୍କାର କରିବାରୁ ଆଖପାଖରେ ଗାଧୋଉଥିବା ଲୋକେ ପାଣି ଭିତରେ ଖୋଜାଖୋଜି କରି ଦୀପେଶକୁ ପାଇନଥିଲେ। ଏନେଇ ସେମାନେ ଥାନା ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ସୁଦ୍ଧା ଦୀପେଶଙ୍କୁ ପାଇନଥିଲେ। ଝାରସୁଗୁଡା ଓଡ୍ରାଫ ଟିମ, ରାଉରକେଲା ଓଡ୍ରାଫ ଟିମ, ବାଲିଶଙ୍କରା ଓ ସବଡେଗା ଅଗ୍ନିଶମ ବାହିନୀ, ତଲସରା ପୁଲିସ କଠିନ ପରିଶ୍ରମ ପରେ ବି ୪ ଦିନ ବିତିଯାଇଥିଲେ ମଧ୍ୟ ଦୀପେଶଙ୍କ ପାଇ ପାରିନଥିଲେ। ଆଜି ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ସବଡେ଼ଗା ବ୍ଲକ ଯମୁନା ପଂଚାୟତର ବଇସନବାହାଲ ବାଲିଘାଟରୁ ଦୀପେଶଙ୍କ ମୃତଦେହ ମିଳିଥିଲା। ତଲସରା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗରଙ୍କ ହସ୍ତାନ୍ତର କରିଥିବା ଜଣାପଡିଛି।
୨୦୨୨ରେ ଇଂଜିନିୟରଙ୍କ ମୃତ୍ୟୁ
ପୂର୍ବରୁ କନାକୁଣ୍ଡରେ ୫ ବର୍ଷ ମଧ୍ୟରେ ୮ ଜଣଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଛି। ୨୦୨୧ ଜାନୁଆରି ୩ ତାରିଖରେ ରାଜଗାଙ୍ଗପୁରର ଜଣେ ଯୁବତୀ ଅନୁପମା ପ୍ରଜାପତି ପରିବାରବର୍ଗଙ୍କ ସହ କନାକୁଣ୍ଡକୁ ଭୋଜି କରିବାକୁ ଆସି ସାତ ବଖରାରେ ସେଲଫି ନେଉଥିବାବେଳେ ଖସି ପଡ଼ି ଜଳସ୍ରୋତରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ଦୁଇ ଦିନ ପରେ ତାଙ୍କ ମୃତଦେହ ମିଳିଥିଲା। ୨୦୨୨ ମସିହା ମାର୍ଚ୍ଚ ୭ ତାରିଖରେ ଝାରସୁଗୁଡ଼ାର ଷ୍ଟିଲ ପ୍ଲାଣ୍ଟରେ ଇଲେକ୍ଟ୍ରିକାଲ ଇଂଜିନିୟର ବିହାରର ଭୁପେଶ କୁମାର ବାଇକରେ ୩ ଜଣ ସାଙ୍ଗ ସହ କନାକୁଣ୍ଡକୁ ବୁଲିବାକୁ ଆସିଥିଲେ। ପାଣିରେ ବୁଡି ସେ ମଧ୍ୟ ପ୍ରାଣ ହରାଇଥିଲେ। ପୁଣି ସେହି ବର୍ଷ ଡିସେମ୍ବର ୧୮ ତାରିଖରେ ରାଉରକେଲା ସେକ୍ଟର-୧୫ର ସୋମେଶ ମଲ୍ଲିକ କନାକୁଣ୍ଡରେ ସେଲଫି ନେଉଥିବାବେଳେ ଖସି ପଡି ପ୍ରାଣ ହରାଇଥିଲେ।
ଆହୁରି ପଢ଼ନ୍ତୁ: ପ୍ରକୃତିର ବିସ୍ମୟ କନାକୁଣ୍ଡ: ଢେଉ ଢେଉକା ପାହାଡ଼ କୋଳେ ଅଙ୍କାବଙ୍କା ନଈ
ବେରିକେଡ ଲଗାଇବାକୁ ଦାବି
୨୦୨୩ ଜାନୁଆରି ୪ ତାରିଖରେ ଝାରସୁଗୁଡା ଜିଲ୍ଲା ବରୋମାଲର ମୁକେଶ ମେହେର ଓ ଚୂଡ଼ାମଣି ମେହେର କନାକୁଣ୍ଡରେ ଭାସି ପ୍ରାଣ ହରାଇଥିଲେ। ୨୦୨୪ ମସିହା ଅକ୍ଟୋବର ୧୩ ତାରିଖ ବିଶାଖାପାଟଣାର ଯୁବକ ସାତ୍ତ୍ଵିକ କଞ୍ଜିପତି କନାକୁଣ୍ଡରେ ବୁଡ଼ି ପ୍ରାଣ ହରାଇଥିଲେ। ଜୁଲାଇ ୩୦ ତାରିଖରେ ସମ୍ବଲପୁର ଜିଲ୍ଲା ବାମରା ମୁଣ୍ଡାଢିପାର ଦୁଇ ଜଣ ସାଙ୍ଗ ରୋଶନ ପାଶୱାନ ଓ ଜୟନାରାୟଣ ପାତ୍ର କନାକୁଣ୍ଡର ଗଭୀର ପାଣିରେ ବୁଡି ପ୍ରାଣ ହରାଇଥିଲେ। ପ୍ରତିବର୍ଷ ଏଠାରେ ପର୍ଯ୍ୟଟକ ଆସି ସୌନ୍ଦର୍ଯ୍ୟ ଭରା କନାକୁଣ୍ଡର ଆକର୍ଷଣରେ ଆକର୍ଷିତ ହୋଇ ନଦୀରେ ଗାଧେଇବେଳେ ଅସାବଧାନତା ଯୋଗୁଁ ପାଣିରେ ଭାସି ନିଖୋଜ ହୋଇ ପ୍ରାଣ ହରାଉଛନ୍ତି। ପ୍ରଶାସନ ପର୍ଯ୍ୟଟକଙ୍କ ସୁରକ୍ଷା ସୁବିଧା କରିବା ପାଇଁ ପର୍ଯ୍ୟଟନସ୍ଥଳୀ କନାକୁଣ୍ଡକୁ ଭୋଜି କରିବାକୁ ଆସି ପର୍ଯ୍ୟଟକ ଗାଧୋଉଥିବାବେଳେ କନାକୁଣ୍ଡରେ ଗାଧୋଇବା ନିଷେଧ କରିବା ସହ ବିପଦପୂର୍ଣ୍ଣ ସ୍ଥାନମାନଙ୍କରେ ବ୍ୟାରିକେଡ ଲଗାଇ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ଆହୁରି ପଢ଼ନ୍ତୁ: Sundargarh: ସୁନ୍ଦରଗଡ଼ରୁ ବିସ୍ଫୋରକ ଲୁଟ୍ ଘଟଣା: ୧୧ ମାଓବାଦୀଙ୍କ ନାଁରେ ଏନ୍ଆଇଏର ଚାର୍ଜସିଟ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/17/kanakunda-2025-12-17-18-34-27.jpg)