Gender disparity raises concern in Sundargarh district Photograph: (Sambad.in)
ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ରେ ଏବେ ବି ଅଲୋଡ଼ା ଶିଶୁକନ୍ୟା। ଚିନ୍ତା ବଢ଼ାଇଛି ଲିଙ୍ଗଗତ ପାର୍ଥକ୍ୟ। ଲିଙ୍ଗ ନିରୂପଣ ଉପରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିବା ସତ୍ତ୍ବେ ନବଜାତ ଶିଶୁପୁତ୍ର ଓ କନ୍ୟା ହାର ସ୍ଥିତି ସୁଧୁରୁନଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିିବା ତଥ୍ୟରୁ ସ୍ପଷ୍ଟ ହୋଇଛି। ୨୦୨୧ରେ ଜିଲ୍ଲାରେ ହଜାରେ ପୁଅରେ ଝିଅ ସଂଖ୍ୟା ଥିଲା ୯୪୩। ୨୦୨୨ରେ ଏହି ସଂଖ୍ୟା ହ୍ରାସ ପାଇ ୯୧୧ରେ ପହଞ୍ଚିଥିଲା। ୨୦୨୩ରେ ୧୦୦୦ ପୁଅରେ ଝିଅଙ୍କ ଜନ୍ମହାର ରହିଥିଲା ୯୩୧। ୨୦୨୪ରେ ପୁଣି ହ୍ରାସ ପାଇ ପହଞ୍ଚିଥିଲା ୯୦୨ରେ। ୨୦୨୫ରେ ଏହି ସଂଖ୍ୟା ବଢ଼ି ପହଞ୍ଚିଛି ୯୫୮ରେ। ଯାହା କି ଜିଲ୍ଲାବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ତେବେ, ଜିଲ୍ଲାର ଖଣିଅଞ୍ଚଳ କୋଇଡ଼ା, ହେମଗିର, ଲେଫ୍ରିପଡ଼ା, ବଣାଇଗଡ଼ର ସ୍ଥିତି ଉଦ୍ବେଗଜନକ ରହିଛି।
କୋଇଡ଼ାରେ ହଜାରେ ପୁଅରେ ଝିଅ ସଂଖ୍ୟା ରହିଛି ୮୮୫
କୋଇଡ଼ା ବ୍ଲକରେ ହଜାରେ ପୁଅରେ ୮୮୫, ହେମଗିରିରେ ୮୩୭, ଲେଫ୍ରିପଡ଼ାରେ ୭୯୨ ଓ ବଣାଇରେ ୮୬୭ ଝିଅ ଜନ୍ମ ଗ୍ରହଣ କରିଛନ୍ତି। ଗତ ୨୦୨୪ରେ ଜିଲ୍ଲାରେ ୧୩, ୧୪୭ ଝିଅ ଓ ୧୪,୫୭୨ ପୁଅ ଏହିପରି ମୋଟ ୨୭,୭୧୯ ଶିଶୁ ଜନ୍ମଗ୍ରହଣ କରିଥିବା ପଞ୍ଜୀକରଣ ହୋଇଥିଲା। ସେହି ବର୍ଷ ଜିଲ୍ଲାରେ ୧୦୦୦ ପୁଅରେ ୯୦୨ ଝିଅ ଜନ୍ମଗ୍ରହଣ କରିଥିଲେ। ଗୁରୁଣ୍ଡିଆ ବ୍ଲକର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଥିଲା। ଏଠାରେ ହଜାରରେ ପୁଅରେ ୭୦୧ ଝିଅ ଜନ୍ମଗ୍ରହଣ କରିଥିଲେ। ବଡ଼ଗାଁରେ ୧୦୦୦ ପୁଅରେ ୮୬୪, କୁତ୍ରାରେ ୮୪୭, ଲାଠିକଟାରେ ୮୭୮, ସ୍ମାର୍ଟସିଟି ରାଉରକେଲାରେ ୮୨୭ ରହିଥିଲା। ୨୦୨୫ରେ ସ୍ଥିତିର ସାମାନ୍ୟ ସୁଧାର ଆସିଥିଲେ ହେଁ ସନ୍ତୋଷଜନକ ନୁହେଁ। ଜିଲ୍ଲାରେ ମୋଟ ୧୨,୩୭୨ ଝିଅ ଓ ୧୨,୯୧୦ ପୁଅ ଏମିତି ମୋଟ ୨୫, ୨୮୨ ଶିଶୁ ଜନ୍ମଗ୍ରହଣ କରିଥିବା ପଞ୍ଜୀକରଣ ହୋଇଛି। ଅର୍ଥାତ୍ ହଜାରେ ପୁଅରେ ଝିଅ ସଂଖ୍ୟା ରହିଛି ୯୫୮। ବିଶେଷ କରି ଜିଲ୍ଲାର ସଂପୃକ୍ତ ଖଣି ଅଞ୍ଚଳରେ ସ୍ଥିତି ଗମ୍ଭୀର ରହିଛି। ପୂର୍ବ ବର୍ଷ ଅର୍ଥାତ୍ ୨୦୨୪ରେ କୋଇଡ଼ାରେ ହଜାରେ ପୁଅରେ ଝିଅ ସଂଖ୍ୟା ୧୦୧୨ ଥିବାବେଳେ ୨୦୨୫ରେ ଏହି ସଂଖ୍ୟା ରହିଛି ୮୮୫।
Crude Oil Price: ଅଶୋଧିତ ତୈଳ ମୂଲ୍ୟ ୧୦୦ ଡଲାର ଟପିଲା: ଏହି ମୂଲ୍ୟ ବହୁତ କମ୍ କହିଲେ ଟ୍ରମ୍ପ
ବଣାଇଁରେ ୨୦୨୪ରେ ହଜାରେ ପୁଅରେ ୧୧୨୫ ଝିଅ ଥିବାବେଳେ ୨୦୨୫ରେ ୮୬୭ ଝିଅ, ହେମଗିରିରେ ୨୦୨୪ରେ ଝିଅ ସଂଖ୍ୟା ୧୦୧୩ ଥିଲାବେଳେ ୨୦୨୫ରେ ୮୩୭ ରହିଛି। ସୁନ୍ଦରଗଡ଼ ସଦର ବ୍ଲକରେ ୨୦୨୪ରେ ୧୩୩୩ ଝିଅ ଥିଲାବେଳେ ଅତ୍ୟନ୍ତ ଉଦ୍ବେଗଜନକ ଭାବେ ଏହି ସଂଖ୍ୟା ୨୦୨୫ରେ ୮୫୭ ରହିଛି। ବାଲିଶଙ୍କରା ବ୍ଲକରେ ୨୦୨୪ରେ ୧୦୬୮ ଝିଅ ଜନ୍ମ ହୋଇଥିଲାବେଳେ ୨୦୨୫ରେ ହ୍ରାସ ପାଇ ୮୯୮ ପହଞ୍ଚିଛି। ଲିଙ୍ଗ ନିରୂପଣରେ ଗର୍ଭପାତ, ପୁତ୍ର ସନ୍ତାନକୁ ପ୍ରାଧାନ୍ୟ ଦିଆଯାଉଥିବାରୁ ଏଭିଳି ସ୍ଥିତି ଉପୁଜିଥିବା କୁହାଯାଉଛି। ଯାହା ସାମାଜିକ ସ୍ଥିତି ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେବେ, କନ୍ୟା ଜନ୍ମହାର କମ୍ ଥିବା ଅଞ୍ଚଳଗୁଡ଼ିକରେ ସ୍ଥିତି ସୁଧାରିବା ପାଇଁ ସଂପୃକ୍ତ ଅଞ୍ଚଳର କ୍ଲିନିକ୍ ଓ ଡାକ୍ତରଖାନାଗୁଡ଼ିକରେ ଅଲ୍ଟ୍ରାସାଉଣ୍ଡ ଯାଞ୍ଚକୁ କଡ଼ାକଡ଼ି କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଜିଲ୍ଲା ସ୍ବାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି।
Follow Us