ରାଉରକେଲା: ପଶ୍ଚିମ ସିଂହଭୂମର ସରଣ୍ଡା ଜଙ୍ଗଲରେ ସକ୍ରିୟ ପୁରସ୍କାର ଘୋଷିତ ନକ୍ସଲମାନଙ୍କ ନିକଟକୁ ପହଞ୍ଚିବା ପାଇଁ ତିନି ମାସ ପୂର୍ବରୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। କେରଳରୁ ଗିରଫ ସାଓନ ଟୁଟି ଠାରୁ ପୁରସ୍କାର ଘୋଷିତ ନକ୍ସଲମାନଙ୍କ ବାବଦରେ ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ)କୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିଲା। ସାଓନ ଟୁଟି ଜିଲ୍ଲାର ଟୋକଲୋ ଥାନା ଅଧୀନ ଝରଝରା ଅଞ୍ଚଳର ଲାଞ୍ଜି ପାହାଡ ଉପରେ ୨୦୨୩ରେ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିଲା। ଘଟଣା ପରେ ସେ ଫେରାର ଥିଲା। ତାକୁ ଏନ୍ଆଇଏ କେରଳର ଇଡ୍ଡୁକୀ ଅଞ୍ଚଳରୁ ୨୦୨୫ ଅକ୍ଟୋବର ୧୪ ତାରିଖରେ ଗିରଫ କରିଥିଲା। ସାୱନ ଟୁଟିକୁ ରିମାଣ୍ଡରେ ନେଇ ପୁଲିସ ପଚରାଉଚୁରା କରିଥିଲା। ଏହି ମାମଲା ଏନ୍‌ଆଇଏକୁ ପୂର୍ବରୁ ଜଣାଥିଲା ଯେ, ଟୁଟି ପୁରସ୍କାର ଘୋଷିତ ନକ୍ସଲ ଅନଳ ଓରଫ ପ୍ରତିରାମ ମାଝୀ, ମିସିର ବେସ୍ରା ଏବଂ ଅସୀମ ମଣ୍ଡଳଙ୍କ ଅତି ଘନିଷ୍ଠ ଥିଲା ଏବଂ ତା ପାଖରେ ଅନେକ ଅଜଣା ତଥ୍ୟ ଥିଲା। ସୂତ୍ର ଅନୁସାରେ ସାୱନ ଟୁଟିର ଗିରଫତାରୀ ପରେ ପୁରସ୍କାର ଘୋଷିତ ନକ୍ସଲ ଏବଂ ସଂଗଠନ ସଂପର୍କରେ ସୁରକ୍ଷାବଳକୁ ବହୁତ ତଥ୍ୟ ପୂର୍ବରୁ ହିଁ ମିଳି ସାରିଥିଲା। 

Advertisment

ସରଣ୍ଡା ଜଙ୍ଗଲରେ ଏବେ ବି ୬୦-୬୫ ନକ୍ସଲ?
ସରଣ୍ଡା ଜଙ୍ଗଲରେ ୨କୋଟି ୨୦ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ୩ଜଣ ନକ୍ସଲ ସକ୍ରିୟ ଥିଲେ। ଏଥିରୁ ସୁରକ୍ଷାବଳ ଅନଳର ଠିକଣା ପାଇସାରିଥିବା ବେଳେ ଅନ୍ୟ ୬୦ରୁ ୬୫ ନକ୍ସଲଙ୍କ ଠିକଣା ଖୋଜୁଛନ୍ତି। ନକ୍ସଲ ଅପରେସନ ସମୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏନ୍‌କାଉଣ୍ଟରରେ ନିପାତ ୧୭ ଜଣ ନକ୍ସଲଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏଥି ସହିତ ନକ୍ସଲଙ୍କ ଆବଶ୍ୟକ ସାମଗ୍ରୀ, ବିସ୍ଫୋରକ ଜବତ ହୋଇଛି। 

୧୦କିମି ପରିସରକୁ ଘେରାବନ୍ଦୀ

ସୁରକ୍ଷାବଳ ସରଣ୍ଡା ଜଙ୍ଗଲର କିରୀବୁରୁର କୁମଣ୍ଡି ଅଞ୍ଚଳରେ ଗତ ୨ଦିନ ହେଲା ରହିରହି ଗୁଳିମାରୁଛନ୍ତି। ପୂରା ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ସୁରକ୍ଷାବଳ ପାଖାପାଖି ୧୦ କିଲୋମିଟର ଅଞ୍ଚଳକୁ ନିଜ ଅକ୍ତିଆରରେ ରଖିଛନ୍ତି। ବିଭିନ୍ନ ସ୍ଥାନରେ ସୁରକ୍ଷାବାହିନୀର ଯବାନମାନେ ମୁତୟନ ହୋଇଛନ୍ତି। ଗ୍ରାମବାସୀଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। 

ଆହୁରି ପଢ଼ନ୍ତୁ: Russia-Ukraine: ଆବୁଧାବିରେ ରୁଷ-ୟୁକ୍ରେନ ଶାନ୍ତି ଆଲୋଚନା: ଆଞ୍ଚଳିକ ବିବାଦ ଚୁକ୍ତିରେ ସାଜିଛି ପ୍ରତିବନ୍ଧକ

ସୁରକ୍ଷା ବାହିନୀକୁ ବଡ଼ ସଫଳତା

ଉଲ୍ଲେଖନୀୟ ଯେ, ଚାଇଁବସା ଜଙ୍ଗଲରୁ ସଂପୂର୍ଣ୍ଣ ନକ୍ସଲ ହଟାଇବା ପାଇଁ ସୁରକ୍ଷା ବାହିନୀର ଲଗାତାର ସର୍ଚ୍ଚ ଅପରେସନ ଜାରି ରହିଛି। ଏହି କ୍ରମରେ ଗତ ୩ ବର୍ଷ ମଧ୍ୟରେ ମୋଟ ୧୮୩ ଜଣ ନକ୍ସଲଭ୍କୁ ଗିରଫ କରାଯାଇଛି। ଗତ ୨୨ ତାରିଖରେ ୧୧ ଜଣ ଏବଂ ୨୩ ତାରିଖରେ ୧୬ ଜଣ ନକ୍ସଲ ନିପାତ କରାଯାଇଛି। ଏତଦ୍‌ ବ୍ୟତୀତ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ସାମଗ୍ରୀ ଏବଂ ନକ୍ସଲମାନେ ବ୍ୟବହାର କରୁଥିବା ଜିନିଷପତ୍ର ଜବତ କରାଯାଇଛି। ଝାଡ଼ଖଣ୍ଡ ପୁଲିସ ମହାନିର୍ଦ୍ଦେଶଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: Water Problem: ଖରାଦିନ ପୂର୍ବରୁ ଶୁଖିଲା ଦିଲ୍ଲୀର ଟ୍ୟାପ୍