ରାଉରକେଲା (ରୀନା ରାମ୍ ଭୂୟାଁ): ରାଉରକେଲାର ଛେଣ୍ଡ କଲୋନିର ସ୍ମୃତିରେଖା ନାୟକ ଷ୍ଟିଲସିଟି ସହିତ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଗତବର୍ଷ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଥିବା ସ୍ମୃତି ଚଳିତବର୍ଷ ଓଡ଼ିଆ ବର୍ଣ୍ଣମାଳାର ୧୨,୯୭୬ଟି ଅକ୍ଷର ବ୍ୟବହାର କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ଉଲ୍ଲେଖନୀୟ ଚିତ୍ର ଆଙ୍କି ଏସିଆ ବୁକ୍ ଅଫ୍ ରେକର୍ଡର (ପରବର୍ତ୍ତୀ ସଂସ୍କରଣ) ପାଇଁ ମନୋନୀତ ହୋଇଛନ୍ତି। ଚର୍ଚ୍ଚାରେ ଥିବା ଏହି ଚିତ୍ର ଆଙ୍କିବା ପାଇଁ ତାଙ୍କୁ ଏକମାସରୁ ଅଧିକ ସମୟ ଲାଗିଥିଲା।

Advertisment

ଅଧିକପଢ଼ନ୍ତୁ:କୁକୁରଙ୍କୁ ମାଂସ ଖୁଆଇ ୧୮ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଲେ ଲୁଟେରା, ସିସିଟିଭିରୁ ଜଣାପଡ଼ିଲା ସତ

ଓଡ଼ିଆ ବର୍ଣ୍ଣମାଳାରେ ଶ୍ରୀଜଗନ୍ନାଥ

ଖୁବ ସୁନ୍ଦର ଭାବେ ଓଡ଼ିଆ ଲିପିର ବ୍ୟବହାର କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଙ୍କିଥିବା ଏହି ଚିତ୍ର ମାଧ୍ୟମରେ ସ୍ମୃତିଙ୍କ ଚିତ୍ରକଳା ପ୍ରତି ଥିବା ଧୈର୍ଯ୍ୟ ଏବଂ ନିଷ୍ଠା ବାରିହୁଏ। ଏଥିରେ ସେ ଅ ଠାରୁ ଁ ପର୍ଯ୍ୟନ୍ତ ଅକ୍ଷରକୁ ଖଞ୍ଜିଛନ୍ତି। ‘ଂ’କୁ ୨୫୫୦ଥର ବ୍ୟବହାର କରିଛନ୍ତି। ସ୍ମୃତିଙ୍କ ଏ ଅନନ୍ୟ ପ୍ରୟାସ କେବଳ ତାଙ୍କର କଳାତ୍ମକ ପ୍ରତିଭାକୁ ପ୍ରକାଶ କରେ ନାହିଁ ବରଂ ଓଡ଼ିଆ ଭାଷାର ସମୃଦ୍ଧିକୁ ମଧ୍ୟ ଦର୍ଶାଉଛି। 

ଚକଖଡ଼ି ଧରିବା ବୟସରୁ ଆରମ୍ଭ କରିଛନ୍ତି ଚିତ୍ର ଆଙ୍କିବା

ସ୍ମୃତିରେଖାଙ୍କ କହିବାନୁସାରେ, ସେ ପେନସିଲ ଧରି ଶିଖି ନଥିବା ପୂର୍ବରୁ ଚକଖଡ଼ିରେ ଚିତ୍ର ଆଙ୍କିବା ଆରମ୍ଭ କରି ଦେଇଥିଲେ। ପିଲାଟି ଦିନରୁ ଚିତ୍ରପ୍ରତି ଥିବା ଅହେତୁକ ଦୁର୍ବଳତାକୁ ତାଙ୍କ ମା’ ଅନୁଭବ କରି ପାରିଥିଲେ। ଆଜି ପର୍ଯ୍ୟନ୍ତ ସେ ତାଙ୍କ ବାପାମା’ଙ୍କ ପ୍ରେରଣାରେ ସେ ଏଇ କ୍ଷେତ୍ରରେ ଆଗେଇ ଚାଲିଛନ୍ତି । ସ୍ମୃତି ଇତିମଧ୍ୟରେ ପଟ୍ଟଚିତ୍ର, ମଣ୍ଡଳା ଆର୍ଟ, ପୋର୍ଟରେଟ, କ୍ଲଥ, ସ୍ପଟ୍ କାନଭାସ୍ ପେଣ୍ଟିଂ ସମେତ ଓଡ଼ିଆ ଲିପିର ବ୍ୟବହାର କରି ନିଜ କଳାର ପ୍ରଦର୍ଶନ କରିଛନ୍ତି। କେବଳ ଏତିକି ନୁହେଁ ସେ ୨୧ ପ୍ରକାର ମଞ୍ଜିରେ ସୁନ୍ଦର ଭାବେ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଚିତ୍ର ଆଙ୍କଛନ୍ତି। 

ମା’ ସ୍ବର୍ଣ୍ଣପ୍ରଭା ନାୟକ ଓ ବାପା ଶିବପ୍ରସାଦ ନାୟକଙ୍କ କନ୍ୟା ସ୍ମୃତିରେଖା କୁହନ୍ତି, ‘ ଚିତ୍ରକଳାକୁ ନେଇ ଦେଖିଛି ଅନେକ ସ୍ବପ୍ନ। ସେ ସ୍ବପ୍ନକୁ କହିବା ଅପେକ୍ଷା ପୂରଣ କରି ଦେଖାଇବି।

ଅଧିକପଢ଼ନ୍ତୁ:ଇଗନଉ ଅନଲାଇନ କୋର୍ସ ପାଇଁ ପଞ୍ଜିକରଣ ଆରମ୍ଭ