ରାଉର‌କେଲା(ରୀନା ରାମ୍ ଭୂୟାଁ):ସମୟ ବଦଳିବା ସହିତ ପରିବହନ ବ୍ୟବସ୍ଥା ବି ବଦଳିବାରେ ଲାଗିଛି। ହାତ ରିକ୍ସା ଏବେ ଲୁପ୍ତପ୍ରାୟ ଅବସ୍ଥାରେ ପହଞ୍ଚି ଗଲାଣି। ଯେଉଁ କେତୋଟି ହାତ ରିକ୍ସା ଅଛି ତାର ମାଲିକମାନେ ଏବେ ବୃଦ୍ଧାଅବସ୍ଥାରେ ପହଞ୍ଚିଗଲେଣି। ବୟସାଧିକ୍ୟ ଯୋଗୁଁ ରିକ୍ସା ଟାଣିବାକୁ ବଳ ନ ଥିଲେ ବି ସେମାନଙ୍କ ପାଇଁ ଅନ୍ୟ କୌଣସି ବିକଳ୍ପ ନାହିଁ। 

Advertisment

ରିକ୍ସାକୁ ପଚାରେ କିଏ?

ଯେଉଁ କିଛିଟା ସ୍ଥାନରେ ରିକ୍ସା ଅଛି। ତାହାର ମାଲିକମାନଙ୍କୁ ଅନେକ ସମୟ ଧରି ରିକ୍ସା ଉପରେ ଗୁମସୁମ୍ ହୋଇ ବସୁଥିବାର ଦେଖିବାକୁ ମିଳୁଛି। କାରଣ ଯାତ୍ରୀମାନେ ସେମାନଙ୍କ ଗନ୍ଥବ୍ୟସ୍ଥଳକୁ କମସମୟ କିପରି ପହଞ୍ଚିବେ ସେ ଲକ୍ଷ୍ୟରେ ଥାଆନ୍ତି। ତେଣୁ ସେମାନେ ଅଟୋ, ଟ୍ୟାକ୍ସି ବା ସିଟି ବସକୁ ଆପଣାଇ ଯାତ୍ରା କରିଥାଆନ୍ତି। ଏଭଳି କ୍ଷେତ୍ରରେ ରିକ୍ସାକୁ ପଚାରେ କିଏ?

ଅଧିକପଢ଼ନ୍ତୁ: ସଙ୍କଟଜନକ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ଅଣ୍ଟାଭିଡ଼ିଛି ଏୟାର ଇଣ୍ଡିଆ

ସଂଘର୍ଷ କାହାଣୀ ବଖାଣିଲେ ରିକ୍ସା ଚାଳକ

ରାଉରକେଲା ଷ୍ଟେସନ ନିକଟରେ ଏହି ବୁଡ଼ି ଯାଉଥିବା ଜୀବିକାକୁ  ଜାବୁଡ଼ି ଧରି ତା’ ଉପରେ ଗୁମସୁମ ହୋଇ ବସିଥିବା ଜଣେ ବୃଦ୍ଧ ସମସ୍ତଙ୍କ ଦୃଷ୍ଟିଆଢ଼ୁଆଳକୁ ଆସିଛନ୍ତି । ମନ ଶୁଖାଇ ରିକ୍ସା ଉପରେ ବସି ଚିନ୍ତାରେ ବୁଡ଼ି ଯାଇଥିବା ବୃଦ୍ଧଙ୍କ ନିକଟକୁ ଯାଇ ତାଙ୍କୁ ତାଙ୍କ ଅବସ୍ଥା ବିଷୟରେ ପଚାରିବାରୁ ସେ ମୌନ ରହିଥିଲେ। କିଛି କହିବା ପୂର୍ବରୁ ତାଙ୍କ ଆଖିରୁ ଆପଣାଛାଏଁ ଧାରଧାର ହୋଇ ଗଡ଼ି ଯାଇଥିଲା ଲୁହ। ଲୁହକୁ ପୋଛି କୋହଭରା କଣ୍ଠରେ ବୃଦ୍ଧ ତାଙ୍କ ସଂଘର୍ଷ କାହାଣୀ ବଖାଣି କହିଛନ୍ତି, ‘ମୋ ଜୀବନ ଖୁବ ସଂଘର୍ଷଭରା। ପିଲାଟି ଦିନରୁ ବଞ୍ଚିବା ପାଇଁ କରୁଛି ସଂଘର୍ଷ। ମୋ ଘର ଗୋପବନ୍ଧୁପାଲ୍ଲୀ। ନାମ ରାଜନ ଯାଦବ ଓ  ବୟସ ୬୫ବର୍ଷ ପାଖା‌ପାଖି ହେବ। ଘରେ ମୋର ଦିବ୍ୟାଙ୍ଗପୁଅ ଓ ଅସୁସ୍ଥ ମା’ ଅଛନ୍ତି। ଘରର ସମସ୍ତ ଭାର ମୋ କାନ୍ଧ ଉପରେ। ପୁଅ ମୋର ଦିବ୍ୟାଙ୍ଗ ହେତୁ ସେ କାମ କରିବାକୁ ଅକ୍ଷମ। ପିଲାଟି ଦିନରୁ ତାକୁ ତାର ମା’ ଛାଡ଼ି ଚାଲିଗଲା। ସେହି ଦିନ ଠାରୁ ମୁଁ ତାର ଉଭୟ ବାପା ଓ ମା’।

ପାଠପଢ଼ିବା ସମୟରେ ଶିଖିଥିଲେ ରିକ୍ସା ଚଲାଇବା

ଆମ ଘରର ଆର୍ଥିକ ଅବସ୍ଥା ଖୁବ ଦୁର୍ବଳ ଥିଲା ଓ ରହିଛି ମଧ୍ୟ। ମୋର ବାପା ରିକ୍ସା ଚଳାଇ ପରିବାର ପୋଷୁଥିଲେ। ପାଠପଢ଼ିବା ସମୟରେ ମୁଁ ବି ରିକ୍ସା ଚଲାଇବ ଶିଖି ଦୁଇପଇସା ରୋଜଗାର କରିବା ଆରମ୍ଭ କରିଲି। ସେ ସମୟରେ ପାଠପଢ଼ା ପ୍ରତି ମୁଁ ମନ ଦେଲି ନାହିଁ କି ମୋତେ କେହି ଜୋର ବି କଲେନାହିଁ। ଧୀରେଧୀରେ ମୁଁ ରିକ୍ସାଚାଳନାକୁ ମୋର ଜୀବିକା ଭାବେ ଆପଣାଇ ନେଲି।

ବୁଡ଼ିବାକୁ ବସିଲାଣି ରିକ୍ସା ଚାଳକଙ୍କ ଜୀବିକା

ବର୍ତ୍ତମାନ ପରିସ୍ଥିତି ଏମିତି ଆସି ପହଞ୍ଚିଛି କି ରିକ୍ସା ଚାଳକଙ୍କ ଜୀବିକା ବୁଡ଼ିବାକୁ ବସିଲାଣି। ଇତିମଧ୍ୟରେ ମୋତେ ବାର୍ଦ୍ଧକ୍ୟ ବି ଗ୍ରାସ ଗଲାଣି। ପୂର୍ବଭଳି ଲୋକଙ୍କ ରିକ୍ସା ପ୍ରତି ନା ଚାହିଦା ଅଛି ନା ମୋର ସେ ବୋଝ ବୋହିବାକୁ ବଳ ଅଛି। ତଥାପି ପରିବାର ପାଇଁ ଦିବ୍ୟାଙ୍ଗ ପୁଅ ଓ ଅସୁସ୍ଥ ମା’ ମୁହଁରେ ଦାନା ଦେବା ପାଇଁ ସେ ଖରା ହେଉ ଅବା ବର୍ଷା କି ଶୀତ ସକାଳ ୬ଟାରୁ ମୁଁ ରିକ୍ସା ଧରି ବାହାରି ଆସିଥାଏ ସନ୍ଧ୍ୟା ୮ଟାରେ ଘରକୁ ଫେରେ। ଦୂରବାଟ ମୁଁ ଯାତ୍ରା କରିପାରେ ନାହିଁ କି କୌଣସି  ଗ୍ରାହକ ବି ରିକ୍ସାରେ ବସି ଦୂରକୁ ଯିବାକୁ ଚାହାନ୍ତି ନାହିଁ। ତେଣୁ ଆଖପାଖ ସ୍ଥାନକୁ ଯିବାକୁ ଯେଉଁ ଗ୍ରାହକ ଆସିଥାଆନ୍ତି। ସେମାନଙ୍କୁ ନେଇ ମୁଁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇ ଦେଇଥାଏ। କେଉଁଦିନ ୨୦୦ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେଉଥିବା ବେଳେ ଆଉ କିଛି ଦିନ ଆଦୌ ଗ୍ରାହକ ମିଳନ୍ତି ନାହିଁ। ତଥାପି ମୁଁ ହାର ମାନି ନାହିଁ କି ମାନିବି ନାହିଁ। ବୃଦ୍ଧ ହୋଇଯାଇଛି ସତ କିନ୍ତୁ ହାତଗୋଡ଼ ତ ଚାଲୁଛି। ଯେତେଦିନ ଚାଲିଥିବ କର୍ମ କରୁଥିବି। ତେଣିକି ସେ ଇଶ୍ବରଙ୍କ ଇଚ୍ଛା।’

ଅଧିକପଢ଼ନ୍ତୁ:ୟୁକ୍ରେନ ଉପରେ ବଡ଼ ଆକ୍ରମଣ ଆରମ୍ଭ କଲା ରୁଷ: ୫୧ କ୍ଷେପଣାସ୍ତ୍ର ୬୦୦ରୁ ଅଧିକ ଡ୍ରୋନ୍ ଦ୍ବାରା ବୋମା ମାଡ଼